ବାର୍ଡଫ୍ଲୁ ଭୟ: ଓୟୁଏଟି ଫାର୍ମରେ ୯୨୨ କୁକୁଡ଼ା ମରାଗଲା

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଫାର୍ମରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ର​‌େ​‌ମ ମଙ୍ଗଳବାର ବିଧିବଦ୍ଧ ଭାବେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମେ ଓୟୁଏଟି ଫାର୍ମରେ ଥିବା ୭୯୮ ଲେୟର କୁକୁଡାକୁ ମିଶାଇ ମୋଟ ୯୨୨ଟି ପକ୍ଷୀଙ୍କୁ ମାରି ପ୍ରଥମେ ମାରି ପୋତି ଦିଆଯାଇଛି। ଏଥିପାଇଁ ପୂର୍ବାହ୍ନରେ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବାର୍ଡଫ୍ଲୁ ବ୍ୟାପିବା ଆଶଂକାରେ ଚିଲିକା ବନ୍ୟପ୍ରାଣୀ ବିଭାଗ ବିଦେଶୀ ପକ୍ଷୀଙ୍କ ଲାଳ, ମଳ ଓ ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ବରସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଇଛନ୍ତି। ସେହିପରି ନନ୍ଦନକାନନ ପକ୍ଷୀ ଉଦ୍ୟାନର ଅନେକ ପକ୍ଷୀଙ୍କ ଲାଳ ଓ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି। ବାର୍ଡଫ୍ଲୁ ଯେପରି ଅଧିକ ସଂକ୍ରମଣ ନ ହେବ ସେଥିପାଇଁ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ବାର୍ଡଫ୍ଲୁର ସଂକ୍ରମଣକୁ ଦୃଷ୍ଟିରେ ରଖି ଓୟୁଏଟି ପରିସରରେ ସଂକ୍ରମିତ କୁକୁଡା ମାରିବାକୁ ୧୩ଟି ଟିମ୍‌ ପ୍ରସ୍ତୁତ କରାଯାଇଥିଲା। ଏହି ୧୩ଟି ଟିମ୍‌ ଓୟୁଏଟି ଫାର୍ମ ଏବଂ ଏହାର ୧ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ବିଭିନ୍ନ କୁକୁଡା ମାଂସ ବିକ୍ରି ହେଉଥିବା ଦୋକାନକୁ ଟିମ୍‌ର ସଦସ୍ୟମାନେ ଯାଇ କୁକୁଡା ସଂଗ୍ରହ କରି ସେସବୁକୁ ମାରିଥିଲେ। ରାତି ସୁଦ୍ଧା ରାପିଟ୍ ରେସପନ୍ସ ଟିମ୍‌ ମୋଟ ୯୨୨ଟି କୁକୁଡାକୁ ମରାଯାଇଥିବା ପ୍ରାଣୀ ସମ୍ପଦ ବିଭାଗର ଯୁଗ୍ମ ନିର୍ଦେଶକ ଡ. ପ୍ରତାପ ଖମାରୀ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା ଚିକେନ୍ ସେଣ୍ଟର ଓ କୁକୁଡା ଫାର୍ମଗୁଡ଼ିକରୁ ନମୂନା ସଂଗ୍ରହ କରାଯିବ ବୋଲି ଜଣାପଡିଛି। ଏହି ଅଭିଯାନ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଚାଲିବ।

କୁକୁଡା ମରାଯିବା ଲାଗି ମଙ୍ଗଳବାର ୧୩ଟି ଟିମ୍‌ ଗଠନ କରାଯାଇଥିଲା। ପ୍ରତ୍ୟେକ ଟିମ୍‌ରେ ୪ ଜଣ ସଦସ୍ୟ ରହିଥିଲେ। ସେମାନଙ୍କୁ ଓୟୁଏଟି ପରିସରରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଡାକ୍ତରୀ ଦଳ ଦ୍ବାରା କୁକୁଡା ମରା ଦଳର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯାଞ୍ଚ ବେଳେ ଯେଉଁ ସଦସ୍ୟମାନଙ୍କୁ ଥଣ୍ଡା ଓ ଶରୀରରେ କୌଣସି କ୍ଷତ ଚିହ୍ନ ଥିଲେ ତାଙ୍କୁ କୁକୁଡା ମରା ଅଭିଯାନରୁ ବାଦ୍‌ ଦିଆଯାଇଥିଲା। କୁକୁଡା ମରା ଅଭିଯାନର ସାମିଲ୍‌ ଟିମ୍‌ର ସଦସ୍ୟଙ୍କୁ ସ୍ବତନ୍ତ୍ର ଭାବେ ଏକ ପୋଷାକ ପିନ୍ଧିବାକୁ ଦିଆଯାଇଥିଲା। କେତେକ ଟିମ୍‌କୁ ଓୟୁଏଟି ଫାର୍ମର ୧ କିଲୋମିଟର ବ୍ୟାସାର୍ଦ୍ଧ ଥିବା ଚିକେନ୍‌ ସେଣ୍ଟର ଓ ବସ୍ତିକୁ ଯାଇ କୁକୁଡା ଖୋଜି ସେସବୁକୁ ମାରିବାର ବ୍ୟବସ୍ଥା କରିଥିଲେ। କେତେକ ବସ୍ତିରେ ଲୋକମାନେ ବାର୍ଡଫ୍ଲୁ ନେଇ କୌଣସି ସୂଚନା ପାଇ ନ ଥିଲେ ମଧ୍ୟ ସେମାନେ କ୍ଷତିପୂରଣ ପାଇବେ ବୋଲି ଟିମ୍‌ର ସଦସ୍ୟମାନେ ବୁଝାସୁଝା କରିଥିଲେ। ଫଳରେ ଲୋକମାନେ ସେମାନଙ୍କ କୁକୁଡା ଟିମ୍‌ର ସଦସ୍ୟମାନଙ୍କୁ ହସ୍ତାନ୍ତର କରୁଥିବା ଦେଖାଯାଇଥିଲା।

ଓୟୁଏଟି ଭେଟନାରୀ ବିଭାଗର କୁକୁଡା ଫାର୍ମ ଅଞ୍ଚଳକୁ ସିଲ୍‌ କରିଦିଆଯାଇଥିଲା। କୁକୁଡା ମରା ଅଭିଯାନ ଆରମ୍ଭ ହେବା ପୂର୍ବରୁ ପୁଲିସ ମୁତୟନ କରାଯାଇଥିଲା। ପୁଲିସ କର୍ମଚାରୀମାନଙ୍କୁ ମଧ୍ୟ ମୁହଁରେ ମାସ୍କ ବାନ୍ଧିବାକୁ ଦିଆଯାଇଥିଲା। ଫାର୍ମରେ ଥିବା ଶତାଧିକ କୁକୁଡାକୁ ମାରି ପୋତି ଦିଆଯାଇଥିଲା। ଏଥିପାଇଁ ମେସିନ୍ ମାଧ୍ୟମରେ ଏକ ବୃହତ ଗର୍ତ୍ତ ଖୋଳା ଯାଇଥିଲା। ମୃତ କୁକୁଡାଗୁଡ଼ିକୁ ଗର୍ତ୍ତରେ ଫିଙ୍ଗା ଯିବା ପରେ ବ୍ଲିଚିଂ​ ଏବଂ ଚୂନ ପକାଇ ​‌ସେସବୁକୁ ପୋତି ଦିଆଯାଇଥିଲା। ବାର୍ଡଫ୍ଲୁ ଭୁତାଣୁ ଯେପରି ଆଉ ସଂକ୍ରମିତ ନ ହେବ ସେଥିପାଇଁ ସମସ୍ତ ପ୍ରକାର ପ୍ରତିକାରମୂଳକ ପଦକ୍ଷେପ ନିଆଯାଇଥିଲା ବୋଲି ଡାକ୍ତର ଖମାରୀ ସୂଚନା ଦେଇଛନ୍ତି।

​‌ଓୟୁଏଟିରେ ଅଣ୍ଡା ଦିଆ କୁକୁଡା ପାଇଁ ଗବେଷଣା କରାଯାଉଥିବା ଲେୟର ଫାର୍ମରେ ୪ ଦିନ ମଧ୍ୟରେ  ହଜାର ହଜାର କୁକୁଡା ମରିଥିଲେ। ଫଳରେ ଓୟୁଏଟି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଥିଲା। ଗତ ୨୫ ତାରିଖରେ କୁକୁଡାର ନମୂନା ସଂଗ୍ରହ କରାଯାଇ ଭୋପାଳ କେନ୍ଦ୍ରୀୟ ଲାବୋରେଟୋରିକୁ ପଠାଯାଇଥିଲା। ତେବେ ସୋମବାର ରିପୋର୍ଟ ଆସିବା ପୂର୍ବରୁ ଓୟୁଏଟି ଫାର୍ମର ବିଶେଷଜ୍ଞମାନେ ବାର୍ଡଫ୍ଲୁ ଆଶଂକା କରି ମୃତ କୁକୁଡାଗୁଡ଼ିକୁ ବଡ଼ ଗାତ ଖୋଳି ସେଥିରେ ବ୍ଲିଚିଂ ଓ ଚୂନ ପକାଇ ପୋତି ପକାଇଥିଲେ। ଫାର୍ମରେ ମୋଟ ୨୮୦୦ରୁ ଅଧିକ ଲେୟର କୁକୁଡା ଥିଲେ। ବାର୍ଡଫ୍ଲୁ ସଂକ୍ରମଣ ଯୋଗୁଁ ସେଥିରୁ ପ୍ରାୟ ୨୦୦୦ କୁକୁଡା ଏଥିଯୋଗୁଁ ମରି ଯାଇଥିଲେ। ରାଜ୍ୟରେ ପୂର୍ବରୁ ବାର୍ଡଫ୍ଲୁ ଭୂତାଣୁ ଦେଖାଦେଇଥିବାରୁ ଏହି କୁକୁଡା ମଡ଼କକୁ ନେଇ ଓୟୁଏଟି କର୍ତ୍ତୃପକ୍ଷ ମଧ୍ୟ ସତର୍କତା ଅବଲମ୍ବନ କରିଥିଲେ। ଓୟୁଏଟି ଭେଟନାରୀ ବିଭାଗର ପାଥଲୋଜି ବିଭାଗର ମୁଖ୍ୟ ଡା. ସୁଶେନ କୁମାର ପଣ୍ଡା, ଶଲ୍ୟ ବିଭାଗର ମୁଖ୍ୟ ଡା. ଇନ୍ଦ୍ରମଣି ନାଥ ଏବଂ ପ୍ରାଣୀ ସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କୁକୁଡା ମରା ଅଭିଯାନକୁ ତଦାରଖ କରିଥିଲେ।

ଓୟୁଏଟି କୁକୁଡା ଫାର୍ମର ୧୨୨୫ ଅଣ୍ଡା, ୧୩୫୦ କିଲୋଗ୍ରାମ କୁକୁଡା ଖାଦ୍ୟକୁ ପୋତି ନଷ୍ଟ କରାଯାଇଛି। ସେହିପରି ୧ କିଲୋମିଟର  ଅଞ୍ଚଳରେ ଥିବା କୁକୁଡା ଦୋକାନ ଏବଂ କୁକୁଡା ଚାଷୀଙ୍କଠାରୁ ୧୧୭ଟି କୁକୁଡା, ୭ଟି ବତକକୁ ମାରି ପୋତି ଦିଆଯାଇଛି। ୭ଟି ରାପିଡ୍‌ ରେସପନ୍ସ ଟିମ୍‌ ୯୧୫ଟି କୁକୁଡା ଏବଂ ୭ଟି ବତକକୁ ମାରି ପୋତିଦେଇଛନ୍ତି। ସେହିପରି ମୋଟ ୪୬୩୧ ଅଣ୍ଡା ନଷ୍ଟ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀ ଓ ବ୍ୟବସାୟୀଙ୍କୁ ମୋଟ ୧୭,୮୮୭ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି।

Comments are closed.