ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ବୁର୍ଲା :  ଶୀତ ଆସିବା ସହିତ ହୀରାକୁଦ ଜଳଭଣ୍ଡାରକୁ ଗତ ନଭେମ୍ବର ମାସରୁ ବିଦେଶୀ ପରିବ୍ରାଜକ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଶୁକ୍ରବାର ଠାରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଆଗାମୀ ୯ ତାରିଖରେ ଚୁଡ଼ାନ୍ତ ପକ୍ଷୀଗଣନାର ସଂଖ୍ୟା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳ ୬ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହୀରାକୁଦର ବିସ୍ତିର୍ଣ୍ଣ ଜଳରାଶିରେ ସମୁଦାୟ ୧୫ଟି ସେକ୍ଟରରେ ଏହି ପକ୍ଷୀଗଣନା କରାଯାଉଛି । ସମୁଦାୟ ୫୩୩ ବର୍ଗ କିଲୋମିଟର ଏବଂ ୫.୭ ବର୍ଗ କିଲୋମିଟରରେ ପକ୍ଷୀଗଣନା କରାଯିବ । ଏଥି ନିମିତ୍ତ ସମୁଦାୟ ୩୮ଟି ଦଳ, ଯେଉଁ ଦଳରେ ବାହାରର ୧୭ ଜଣ ବିଶେଷଜ୍ଞଙ୍କ ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହିଛନ୍ତି । ଏହି ପକ୍ଷୀଗଣନାରେ ସମୁଦାୟ ୩୦ଟି ବୋଟକୁ ଏହି ପକ୍ଷୀଗଣନାରେ ସାମିଲ କରାଯାଇଥିବା ବେଳେ ଓଡ଼ିଶା-ଛତିଶଗଡ଼ ସୀମାବର୍ତ୍ତି ଅନ୍ତରାଦି-ସକସୋଡା ଗ୍ରାମ ପର୍ଯ୍ୟନ୍ତ ଏହି ପକ୍ଷୀଗଣନା କରାଯାଉଛି । ଚଳିତ ବର୍ଷ ପ୍ରଥମଥର ପାଇଁ ପକ୍ଷୀଗଣାନାରେ ୩୮ ବର୍ଗକିଲୋମିଟର ସୀମାବୃଦ୍ଧି କରାଯାଇ ଓଡ଼ିଶା-ଛତିଶଗଡ଼ ସୀମା ପର୍ଯ୍ୟନ୍ତ ସାମିଲ କରାଯାଇଥିବା ବନବିଭାଗ ସୁତ୍ରରୁ ପ୍ରକାଶ ପାଇଛି।

ଚଳିତ ବର୍ଷ ହୀରାକୁଦ ଜଳସ୍ତର ଅଧିକ ରହିବା ଫଳରେ ବିହଙ୍ଗ ମାନଙ୍କ କ୍ରିଡ଼ା ପାଇଁ ପର୍ଯ୍ୟାପ୍ତ ଜଳରାଶି ରହିଛି। ଅବଶ୍ୟ  ଚଳିତ ବର୍ଷ  ବିଳମ୍ବରେ ଶୀତ ଆରମ୍ଭ ହୋଇଥିବାରୁ ବିଦେଶୀ ପକ୍ଷୀ ବିଳମ୍ବରେ ଆସିଥିଲେ। ସୁଚନା ଥାଉକି, ୨୦୨୦ ମସିହାରେ ସ୍ପଟ ବିଲ ଡ଼କ, ହ୍ୱିସିଲିଂ ଡ଼କ, ବାର୍ଡ଼େଡ଼ ବଲ୍କ, ସ୍ଟଟେଡ଼ ଡ଼କ, କମନ ପୋଚାଡ଼, ଗଲ, ରଡ଼ିସେଲ ଡ଼କ ଦଶ ପ୍ରଜାତିର ପକ୍ଷୀ ପ୍ରାଥମିକ ଭାବରେ ଜଳଭଣ୍ଡାରକୁ ନଭେମ୍ବର ମାସରେ ପହଞ୍ଚିଥିବା ଦୃଷ୍ଟାନ୍ତ ରହିଥିଲା। ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମର ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ବିହଙ୍ଗମାନେ ଆସିବା ଆରମ୍ଭ କରିଥାଆନ୍ତି । ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ଏଠାରେ ଏମାନେ ନଭେମ୍ବର ମାସ ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ଆସିଥାଆନ୍ତି। ଶୀତ ଅପସରି ଯିବାପରେ ଫେବୃଆରୀ ଶେଷ ବେଳକୁ ନିଜ ନିଜ ଦେଶକୁ ପୁଣି ପ୍ରତ୍ୟାବତର୍ତ୍ତନ କରିଥାନ୍ତି । ଏହି ପକ୍ଷୀମାନେ ନଦୀବନ୍ଧର ପାୱାର ଚେନାଲ, ଭିତରେ ଥିବା କୁଦ, ପାଶ୍ୱର୍ବର୍ତ୍ତୀ ଡେବ୍ରୀଗଡ଼ ଅଭୟାରଣ୍ୟ, କମ୍ଗାଁ, ବାରଖଣ୍ଡିଆ, ରେଙ୍ଗାଲି ଓ ଡାଇକ୍ ପ୍ରଭୃତିର ବନାଞ୍ଚଳରେ ଅବସ୍ଥାନ କରିଥାନ୍ତି। ଏହି ପକ୍ଷୀମାନେ ମୁଖ୍ୟତଃ କାସ୍ପିଆନ୍ ସାଗର, ମଙ୍ଗୋଲିଆ, କେନ୍ଦ୍ର ଓ ଦକ୍ଷିଣ-ପୂର୍ବ ଏସିଆ, ହିମାଳୟ, ବୈକାଲ ହ୍ରଦ ଆଦି ସ୍ଥାନରୁ ଆସିଥାନ୍ତି। ବନ ବିଭାଗର ଗଣନା ଅନୁଯାୟୀ ଗତବର୍ଷ ହୀରାକୁଦକୁ ୯୭ ହଜାର ୮୯୯ ସଂଖ୍ୟକ ବଦେଶୀ ବିହଂଗ ଆସିଥିଲେ। ୨୦୧୯ରେ ରେକର୍ଡ଼ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ପକ୍ଷୀ ହୀରାକୁଦ ଆସିଥିଲେ। ୨୦୧୭ରେ ୭୬ ହଜାରରୁ ଅଧିକ ପକ୍ଷୀ ଆସିଥିବା ବେଳେ ୨୦୧୬ରେ ୧ ଲକ୍ଷ ୩୭ ହଜାରରୁ ଅଧିକ ପକ୍ଷୀ ଆସିଥିଲେ। ନଭେମ୍ବର ମାସ ବେଳକୁ ସାଇବେରିଆ, ୟୁରୋପ୍, ଆଫଗାନିସ୍ଥାନ, ଚୀନ ପ୍ରଭୃତି ଭୂଖଣ୍ଡରୁ ଏହି ପକ୍ଷୀମାନେ ହୀରକୁଦ୍ରୁ ଆସି ଫେବୃଆରୀ ମାସ ବେଳକୁ ନିଜ ନିଜ ଦେଶକୁ ଫେରି ଯାଆନ୍ତି। ହୀରାକୁଦ ବନ୍ଧ ନିର୍ମାଣ ପରଠାରୁ ଏହାର ୪୧୯ ବର୍ଗ କିଲୋମିଟର୍ ବିସ୍ତୀର୍ଣ୍ଣ ଜଳାଶୟକୁ ଏହି ପକ୍ଷୀମାନେ ଖାସ୍ କରି ଶୀତ ସମୟରେ ଆସିଥାନ୍ତି। ପୂର୍ବବର୍ଷ ତୁଳନାରେ ଗତଥର ଅଧିକ ପକ୍ଷୀ ଉପସ୍ଥିତ ଥିବାର ଗଣନା କରାଯାଇଛି। ଗଣନା ରିପୋର୍ଟ ଅନୁସାରେ ୮୨ ପ୍ରଜାତିର ପକ୍ଷୀ ଜଳଭଣ୍ଡାରରେ ଦେଖାଯାଇଅଛି। ୨୦୧୭-୧୮ରେ ସମୁଦାୟ ୧,୩୬,୮୩୫ ଗୋଟି ପକ୍ଷୀ ଗଣନା କରାଯାଇଅଛି। ଗତ ୨୦୧୫-୧୬ ବର୍ଷରେ ହୀରାକୁଦ ନଦୀବନ୍ଧକୁ ରେକର୍ଡ଼ ୬୦ ପ୍ରଜାତିର ୯୫୯୧୨ ସଂଖ୍ୟକ ପକ୍ଷୀ ଆସିଥିଲେ। ଏଥିରେ ହୁଇସିଲିଂ ଡକ୍, କମନ୍ ପୋ·ର୍ଡ଼, ଟଫ୍ଟେଡ଼୍ ଡକ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେଭ ଓ କମନ୍ କୁଟ୍ ଆଦି ପ୍ରଜାତିର ପକ୍ଷୀ ବିଶେଷ ଭାବରେ ଆସିଥିବା ଲକ୍ଷ୍ୟ କରାଯାଇଥିଲା। ୧୬୫୪୭ ଲେସର ହୁଇସିଲିଂ ଡକ୍, ୧୬୪୭୩ କମନ୍ ପୋ·ର୍ଡ଼, ୧୧୫୦୬ ଟଫ୍ଟେଡ଼୍ ଡକ୍, ୧୦୮୮୬ ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେଭ୍, ୯୧୪୮ସଂଖ୍ୟକ କମନ୍ କୁଟ୍ ପକ୍ଷୀ ଆସିଥିଲେ। ସେହିଭଳି ୬୧୧୨ ଲିଟିଲ୍ କୋମରାଣ୍ଟ, ୫୭୨୪ ବ୍ଲକ୍ହେଡେଡ଼୍ ଗଲ୍, ୩୫୬୦ ରେଡ଼ କ୍ରେଷ୍ଟେଡ଼ ଗ୍ରେଭ ଓ ୨୨୬୦ ଡାଉନ ହେଡେଡ ଗଲ ମଧ୍ୟ ଆସିଥିଲେ। ୨୦୧୪-୧୫ରେ ୬୩ ପ୍ରଜାତିର ୫୮୦୫୭, ୨୦୧୩-୧୪ରେ ୫୫ ପ୍ରଜାତିର ୬୩୮୯୨, ୨୦୧୨-୧୩ରେ ୫୯ ପ୍ରଜାତିର ୭୯୧୩୮ ପକ୍ଷୀ ଆସିଥିବା ବେଳେ ତା ପୂର୍ବ ବର୍ଷ ୫୨ ପ୍ରଜାତିର ୬୦୮୦୬ ପକ୍ଷୀ ଆସିଥିଲେ। ପକ୍ଷୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମସ୍ତ ବର୍ଷ ମାନଙ୍କରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡଙ୍ଗା ସହିତ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନଦୀବନ୍ଧ ଓ ପାଶ୍ୱର୍ବତର୍ତ୍ତୀ ଜଙ୍ଗଲମାନଙ୍କରେ ପହରା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଦୃଷ୍ଟାନ୍ତ ରହିଛି।

Comments are closed.