ଚଳିତ ବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ୫.୪୫ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା : ଚଳିତ ବର୍ଷ ଚିଲିକାରେ ଗତବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟାରେ  ୫.୪୫ ପ୍ରତିଶତ ବୃଦ୍ଧି ପାଇଛି। ରବିବାର ପକ୍ଷୀ ଗଣନା ହେବା ପରେ ଗତବର୍ଷ ତୁଳନାରେ ଏ ବର୍ଷ ୫୭ ହଜାର ୭୨ଟି ପକ୍ଷୀ ଅଧିକ ଆସିଛନ୍ତି। ସମଗ୍ର ଚିଲିକାରେ ୧୧ଲକ୍ଷ ୫ ହଜାର ୪୦ଟି ପକ୍ଷୀ ରହିଥିବା ବେଳେ କେବଳ ପକ୍ଷୀ ଅଭୟାରଣ୍ୟ ନଳବଣରେ ୪ ଲକ୍ଷ ୬ ହଜାର ୩୦୮ଟି ପକ୍ଷୀ ଥିବା ଗଣନାରୁ ଜଣାପଡ଼ିଛି। ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ରେଞ୍ଜରେ ୫.୫ ଲକ୍ଷ ପକ୍ଷୀ ଗଣନା କରାଯାଇଥିବା ବେଳେ ରମ୍ଭା ରେଞ୍ଜରେ ସବୁଠାରୁ କମ ପକ୍ଷୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଗଡ଼ୱାଲ ପ୍ରଜାତିର ୨ ଲକ୍ଷ ୫ ହଜାର ୮୮୩, ନର୍ଦ୍ଦନ ପିଣ୍ଟେଲ ୧ଲକ୍ଷ ୮୨ ହଜାର ୧୭୭ଟି ପକ୍ଷୀଙ୍କ ଚିଲିକାକୁ ଆଗମନ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହାସହ ଚଳିତ ବର୍ଷ ଚିଲିକାରେ ୧୮୪ ବିଦେଶୀ ଓ ଦେଶୀୟ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ  ଗତବର୍ଷ ୧୮୧ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଥିଲା। ବିଶାରଦଙ୍କ ମତାନୁଯାୟୀ, ଅନୁକୂଳ ପାଗ, ସଠିକ ଓ ପ୍ରଚୁର ଖାଦ୍ୟ, ଉପଯୁକ୍ତ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଏବଂ ଶେଷ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ବିଦେଶୀ ପକ୍ଷୀଙ୍କ ଆଗମନ କାରଣରୁ ଚିଲିକା ଓ ନଳବଣରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Comments are closed.