ବିଷାକ୍ତ ସାପ ଦଂଶନରେ ଦୁଇ ଭଉଣୀଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ବିଷଧର ସାପ ଦଂଶନରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଗତ ବିଳମ୍ବିତ ରାତ୍ରୀରେ ଗ୍ରାମର ଗୋପାଳ ଜଗଦଲାଙ୍କ ଦୁଇ ଝିଅ ଅର୍ଚ୍ଚିତା ଜଗଦଲା (୧୩) ଏବଂ ସାନ ଝିଅ ନିକିତା ଜଗଦଲା (୧୨) ଘରେ ପିତାମାତାଙ୍କ ପାଖରେ ଶୋଇଥିବା ବେଳେ କୌଣସି ବିଷଧର ସାପ ଉଭୟଙ୍କୁ ଦଂଶନ କରିଦେଇଥିଲା । ସାପଟି ଅର୍ଚ୍ଚିତାଙ୍କ କାନରେ ଏବଂ ନିକିତାଙ୍କ ଗୋଡରେ ଦଂଶନ କରିଥିବା ଜଣାପଡିଛି । ପରିବାର ଲୋକେ ସାପ କାମୁଡିଥିବାର ଜାଣିବା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଉଭୟ ଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋଟିଏ ଦିନରେ ଗୋଟିଏ ପରିବାର ଦୁଇ ଦୁଇ ଜଣ ସଦସ୍ୟଙ୍କ ସାପ କାମୁଡାରେ ମୃତ୍ୟୁ ଘଟଣା ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ସୋନପୁର ପୋଲିସ ଦୁଇ ଭଉଣୀଙ୍କ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣାଯାଇଛି ।

Comments are closed.