ସୋମବାର ଅଦାଲତରେ ହାଜର ହେବେ ବୀରମିତ୍ରପୁର ଥାନାର ବହିଷ୍କୃତ ଅଧିକାରୀ

କ୍ରାଇମବ୍ରାଞ୍ଚ ହାତ ଖାଲି ! , ଦିଲ୍ଲୀରୁ ଫେରି ସାବତବାପା କ୍ୱାରେନଣ୍ଟାଇନରେ

ସୁନ୍ଦରଗଡ଼ :  କ୍ରାଇମବ୍ରାଞ୍ଚ ଟିମ ବହିଷ୍କୃତ ଇନ୍ସପେକ୍ଟରଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପରେ ରିମାଣ୍ଡରେ ନେଇଥିଲେ। ଆସନ୍ତାକାଲି (ସୋମବାର) ଦିନ ରିମାଣ୍ଡ ଅବଧି ଶେଷ ହୋଇଯାଉଥିବାରୁ ବହିଷ୍କୃତ ଇନ୍ସପେକ୍ଟରଙ୍କୁ ପୁନଶ୍ଚ ପକ୍‍ସୋ ଅଦାଲତରେ ହାଜର କରାଯିବ ହେଲେ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚ ଟିମକୁ କୌଣସି ବିଶେଷ ସଫଳତା ହାସଲ ହୋଇନଥିବାର ଚର୍ଚ୍ଚା ଜୋର ଧରିଛି। ଏତଲାରେ ପ୍ରେମିକ କୁହାଯାଉଥିବା ଦୁଇ ଯୁବକ ସମେତ ଡାକ୍ତର, ସାବତବାପା ଓ ଅନ୍ୟ ଜଣେ କର୍ମଚାରୀ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା ହେଲେ କ୍ରାଇମବ୍ରାଞ୍ଚ ଟିମ ଇନ୍ସପେକ୍ଟରଙ୍କୁ କେବଳ ଗିରଫ କରି କୋର୍ଟରେ ହାଜର କରାଇଥିଲେ ହିଁ ଅନ୍ୟ ଅଭିଯୁକ୍ତମାନେ କ୍ରାଇମବ୍ରାଞ୍ଚର କୁଆଡ଼େ ହାତପାହାନ୍ତାରେ ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିବା ପାଇଁ ଟିମ ଏତେଟା ତତ୍ପରତା ଦେଖାଇ ନଥିବା ଅଭିଯୋଗ ହୋଇଛି। ଏପରିକି ରିମାଣ୍ଡ ଅବଧି ମଧ୍ୟରେ ଇନ୍ସପେକ୍ଟର ମଧ୍ୟ ସେହିପରି କୌଣସି ତଥ୍ୟ ଦେଇ ନଥିବାର ମଧ୍ୟ ଚର୍ଚ୍ଚା ଚାଲିଛି। ଏପରି ପରିସ୍ଥିତିରେ କ୍ରାଇମବ୍ରାଞ୍ଚର ତଦନ୍ତର ଦିଗ କେଉଁ ଆଡ଼େ ଯାଉଛି ତାହା ସ୍ପଷ୍ଟ ହୋଇପାରୁନାହିଁ। ଏ ସଂପର୍କରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ମହିଳା ଡି.ଏସ.ପିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଅପରପକ୍ଷରେ ଅଭିଯୁକ୍ତ କୁହାଯାଉଥିବା ଦୁଇ ପ୍ରେମିକ, ସାବତବାପା ରାଏବୋଗା ଥାନା ଅଞ୍ଚଳର ଆଖପାଖରେ ରହିଥିବା ବେଳେ କ୍ରାଇମବ୍ରାଞ୍ଚ କାହିକିଁ ତାଙ୍କୁ ଗିରଫ କରୁନାହିଁ ତାହା ମଧ୍ୟ ଅସ୍ପଷ୍ଟ ହୋଇରହିଛି।  ଅଭିଯୁକ୍ତ କୁହାଯାଉଥିବା ସାବତବାପା ଦିଲ୍ଲୀରୁ ଫେରି କ୍ୱାରେନଣ୍ଟାଇନରେ ରହିଥିବାର ଜଣାପଡ଼ିଛି।

Comments are closed.