ଫାଣ୍ଡି ପାଖରୁ ଚୋରି, ଚୋରକୁ କାବୁ କଲେ ସ୍ଥାନୀୟଲୋକେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଗତ ବିଳମ୍ବିତ ରାତ୍ରୀରେ ହିକୁଡି ଫାଣ୍ଡି ନିକଟସ୍ଥ ୫ଟି ଦୋକାନର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଏହି ଘଟଣାରେ ସଂପୃକ୍ତ ଚୋରକୁ ସୋନପୁର ବ୍ଲକ ଛକଠାରୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଅଏଁଲାଚୁଆ ଗାଁର ସୁଶାନ୍ତ କର୍ମି ବୋଲି ଜଣାପଡିଛି। ଅଭିଯୁକ୍ତ ପାଖରୁ ଚୋରି ହୋଇଥିବା କିଛି ସାମଗ୍ରୀ ଜବତ ହୋଇଥିବା ମଧ୍ୟ ଜଣାଯାଇଛି। ଗତକାଲି ସନ୍ଧ୍ୟା ସମୟରେ ଅଭିଯୁକ୍ତ ଯୁବକ ହିକୁଡି ଛକରେ ଇତଃସ୍ତତଃ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ଆଜି ସକାଳେ ଚୋରି ଘଟଣା ଜଣାପଡିବା ପରେ ଲୋକେ ତାକୁହିଁ ଚୋରି କରିଥିବା ସନ୍ଦେହ କରିଥିଲେ। ଅଭିଯୁକ୍ତକୁ ବୀରମହାରାଜପୁର ଥାନାକୁ ନିଆଯାଇ ପଚରାଉଚୁରା କରାଯାଉଛି।

Comments are closed.