ସମ୍ବଲପୁର ସହର – ବାୟୋ ଟଏଲେଟ ଯୋଜନା ବିଫଳ

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ତଥା ସ୍ମାର୍ଟ ସିଟି ଦୌଡରେ ସାମିଲ ହେବା ପାଇଁ ପ୍ରସ୍ତୁତି ହେଉଛି ସମ୍ବଲପୁର ସହର। ଜନତାଙ୍କ ଦ୍ୱାରା ଦାଖଲ କରାଯାଉଥିବା କୋଟି କୋଟି ଟଙ୍କାର ବିନିଯୋଗରେ ଏବେ ସମ୍ବଲପୁର ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶିକ୍ଷା ମାନଚିତ୍ରରେ ସର୍ବଭାରତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିସାରିଥିବା ସମ୍ବଲପୁର ଏବେ ମହାନଗର ନିଗମର ମାନ୍ୟତା ମଧ୍ୟ ପାଇସାରିଛି। କିନ୍ତୁ ଆର୍ଶ୍ଚଯ୍ୟର ବିଷୟ ଯେ ପ୍ରାୟ ୪ ଲକ୍ଷ ଲୋକ ସଂଖ୍ୟା ବିଶିଷ୍ଟ ଏହି ସହରରେ ହାତଗଣତି ଅସ୍ୱସ୍ଥିକର ପରିବେଶଯୁକ୍ତ ପରିଶ୍ରାଗାର ରହିଛି।

ପ୍ରାୟ ଦୁଇ ଦଶକ ତଳେ ସହରର ବହୁ ସ୍ଥାନରେ ପରିସ୍ରାଗାର ରହିଥିବା ବେଳେ ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ସହରର ବହୁସ୍ଥାନରେ ପଡାବାସୀ ମାନଙ୍କୁ ଧ୍ୟାନରେ ରଖି ବିଭିନ୍ନ ପଡା ମାନଙ୍କରେ ସୁଲଭ ଶୌଚାଳୟର ନିର୍ମାଣ କରାଯାଇଛି। କିନ୍ତୁ ସାର୍ବଜନୀନ ସ୍ଥାନ ମାନଙ୍କରେ ପରିସ୍ରାଗାର ପ୍ରତି ଧ୍ୟାନ ଦେବାକୁ ପ୍ରଶାସନ ଭୁଲିଯାଇଛି। ପୁର୍ବରୁ ଥିବା ପରିଶ୍ରାଗାର ଗୁଡିକ ମଧ୍ୟରୁ କିଛିକୁ ପୁର୍ବତନ ମ୍ୟୁନିସିପାଲିଟୀ ପକ୍ଷରୁ ଭଙ୍ଗାଯାଇ ଦୋକାନ ଘର ନିର୍ମାଣ କରି ଭଡାରେ ଲଗାଯାଇଥିବା ବେଳେ ଆଉ କିଛିକୁ ଜବରଦଖଲକାରୀ ଦଖଲ କରି ରହିଛନ୍ତି। ସମ୍ବଲପୁରର ପ୍ରମୁଖ ପ୍ରବେଶ ପଥ ଅଇଁଠାପାଲୀ ଛକ ହେଉ କି ଅନ୍ୟତମ ପ୍ରମୁଖ ପ୍ରବେଶ ପଥ ଧନୁପାଲୀ ଛକ, ମୋଦିପଡା ଛକ, ଜିଏମ କଲେଜ ଛକ, କ୍ଷେତରାଜପୁର ଛକ, ନେଲସନ ମଣ୍ଡେଲା ଛକ, ଗୋଲବଜାର, ବୀର ସୁରେନ୍ଦ୍ର ସାଏ ମାର୍ଗ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ଛକ ଗୁଡିକ ପର୍ଯ୍ୟନ୍ତ ଗୋଟିଏ ବି ପରିସ୍ରାଗାରର ନିର୍ମାଣ କରାଯାଇ ନାହିଁ। ପ୍ରାୟ ୫ ବର୍ଷ ପୁର୍ବେ ବିଭିନ୍ନ କମ୍ପାନୀର ପାରିଶ୍ୱପାରିକ ବିକାଶ ପାଣ୍ଠିରୁ କିଛି ସ୍ଥାନରେ ବାୟୋ ଟଏଲେଟର ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ ଦିନରୁ ସେଗୁଡିକରେ ପ୍ରାୟତଃ ତାଲା ଝୁଲି ରହିଥିବା ବେଳେ କିଛି ବାୟୋ ଟୟଲେଟ ଦିନ ବେଳା ଖୋଲା ରହୁଛି ଏବଂ ରାତ୍ରି ସମୟରେ ତାଲା ପକାଯାଉଛି। ବହୁ ବାୟୋ ଟଏଲେଟର କୌଣସି ଖୋଜଖବର ନ ଥିବା ବେଳେ ଆଉ କେତେ ପରତ୍ୟକ୍ତ ଅବସ୍ଥାରେ ରାସ୍ତା କଡରେ ଗଡୁଛି। ପଶ୍ଚିମ ଓଡିଶାର ପ୍ରମୁଖ ସହର ହୋଇଥିବାରୁ ସହରକୁ ପ୍ରତି ଦିନ ସହସ୍ରାଧିକ ବ୍ୟକ୍ତି ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି। ଏବେ କରୋନା ପାଇଁ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସରକାର ଜନତାଙ୍କୁ ଆହ୍ୱାନ କରୁଛନ୍ତି। କିନ୍ତୁ ସହରରେ ପରିଶ୍ରାଗାର ର ଅତ୍ୟନ୍ତ ମରୁଡି ପଡିଥିବାରୁ ଲୋକେ ପରିସ୍ରା ଅଥବା ଶୌଚ ପାଇଁ ଏଣେ ତେଣେ ଦୌଡି ନୟାନ୍ତ ହେବା ପାଇଁ ବାଧ୍ୟ ହେଉଛନ୍ତି।

ସମ୍ବଲପୁରର କେନ୍ଦ୍ର ସ୍ଥଳୀ ଲକ୍ଷ୍ମୀ ଟକିଜ ଛକରେ ଅବସ୍ଥିତ ସରକାରୀ ବସଷ୍ଟାଣ୍ଡରେ ଏହି ଅବସ୍ଥା ବହୁ ସାଂଘାତିକ ପରିସ୍ଥିତ ରହିଛି। ବହୁ ବର୍ଷ ହେଲା ବସ ଷ୍ଟାଣ୍ଡରେ ଶୌଚାଳୟ ଅଥବା ପରିସ୍ରାଗାର ର ବିଶେଷ ସୁବିଧା ନ ଥିବାରୁ ଯାତ୍ରୀ ମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶେଷ କରି ମହିଳା ଯାତ୍ରୀ ମାନଙ୍କ ଅବସ୍ଥା ନ କହିବା ଭଲ। ମାତ୍ର ୪ଟି ବାୟୋ ଟୟଲେଟ ଲଗାଯାଇଥିବା ବେଳେ ତାହା ମଧ୍ୟ ଯାତ୍ରୀ ଆବଶ୍ୟକତାକୁ ପୁରଣ କରିବାରେ ଅସମର୍ଥ। ଏହା ସହ ପରିସ୍କାର ପରିଚ୍ଛନ ରହୁ ନ ଥିବାରୁ ବିଶେଷ କରି ମହିଳା ଯାତ୍ରୀ ମାନେ ସଂକ୍ରମଣ ଭୟ ଯୋଗୁଁ ଏ ଗୁଡିକୁ ବ୍ୟବହାର କରିବା ପାଇଁ ପସନ୍ଦ କରୁ ନାହାନ୍ତି ଏବଂ ଖୋଲାରେ ଶୌଚ ପାଇଁ ବାଧ୍ୟ ହେଉଛନ୍ତି। ଅବସ୍ଥା ଏଭଳି ହୋଇଛି ଯେ ସରକାରୀ ବସ ଷ୍ଟାଣ୍ଡରେ ବସ ରହୁଥିବା ସ୍ଥାନର ଠିକ ପଛ ପାଖରେ ଲୋକେ ବାଧ୍ୟ ହୋଇ ପରସ୍ରା ଓ ଝାଡା ଫେରୁଛନ୍ତି। ଏଣୁ ଉପାୟଶୂନ୍ୟ ଯାତ୍ରୀ ଅତ୍ୟନ୍ତ ଦୁର୍ଗନ୍ଧମୟ ପରିବେଶରେ ଯାତ୍ରୀ ବସ ଷ୍ଟାଣ୍ଡରୁ ବସ ଯୋଗେ ଯାତାୟାତ କରିବା ପାଇଁ ମଜବୁର ହେଉଛନ୍ତି।

ନିଗମ ଅଞ୍ଚଳକୁ ଓପନ ଡେଫିକେସନ ଫ୍ରି ବୋଲି ଘୋଷଣା କରାଯାଇଥିବା ବେଳେ କିନ୍ତୁ ବାସ୍ତବ କ୍ଷେତ୍ରର ଚିତ୍ର ଘୋଷଣା ଠାରୁ ସମ୍ପୁର୍ଣ୍ଣ ଭିନ୍ନ। ମହାନଗର ନିଗମ ଅଞ୍ଚଳରେ ୫୦ରୁ ଉର୍ଦ୍ଧ ପ୍ରସ୍ତାବିତ ଶୌଚାଳୟ ଓ ବାୟୋଟୟଲେଟର ବ୍ୟବସ୍ଥା ରହିଛି। ଏଥି ମଧ୍ୟରୁ ୩୦ ଶୌଚାଳୟ ଓ ବାୟୋଟୟଲେଟ କାର୍ଯ୍ୟକ୍ଷମ ଥିବାର ଜଣାପଡିଛି। ନିଗମ କତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ଶୌଚାଳୟ ଗୁଡିକ ସେହି ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ହେଉଛି। ସାର୍ବଜନୀନ ସ୍ଥାନରେ ଏବେ ମଧ୍ୟ ଶୌଚାଳୟର ଘୋର ଅଭାବ ରହିଛି ଏବଂ ଏଥିପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବା ଉଚିତ ବୋଲି ସଚେତନ ନାଗରିକ ମହଲରୁ ଦାବି ହେଉଛି।

Comments
Loading...