କ୍ଷେତ୍ରମୋହନଙ୍କ ନିଆରା ପ୍ରୟାସ – ବିନା ମାଟିରେ ଘାସ ଉତ୍ପାଦନ

ଜଗତସିଂହପୁର: ଘାସ; ପୁଣି ବିନା ମାଟିରେ। ଏହା କ’ଣ ସମ୍ଭବ? ତେବେ ଅସମ୍ଭବ ମନେ ହେଉଥିବା ଏହି କାର୍ୟ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ଗାଁର ଚାଷୀ କ୍ଷେତ୍ରମୋହନ ବେହେରା। ଜୈବିକ ପଦ୍ଧତିରେ ଖୁବ୍‌ କମ୍‌ ଖର୍ଚ୍ଚରେ ଓ ସହଜରେ ସେ ପ୍ଲାଷ୍ଟିକ୍‌ ଟ୍ରେରେ ଘାସ ଜନ୍ମାଇ ପାରିଛନ୍ତି।

ରେଭେନ୍ସାରୁ ସ୍ନାତକ ପାସ୍‌ କରିବା ପରେ ସେ ଚାକିରି ପଛରେ ନ ଗୋଡାଇ କୃଷି କ୍ଷେତ୍ର ପ୍ରତି ମନୋନିବେଶ କରିଥିଲେ। କିଛି ସହଯୋଗୀଙ୍କ ସହ ମିଶି ସେ ‘ଲାଲ୍‌’ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଗଢିଥିଲେ। ଏହି ସଙ୍ଗଠନ ମାଧ୍ୟମରେ ସେ ଉନ୍ନତ କିସମର ଭଳିକି ଭଳି ଧାନ ବିହନ ଉତ୍ପାଦନ କରିଛନ୍ତି। ତାଙ୍କ ଦ୍ୱାରା ପ୍ରସ୍ତୁତ ଲାଲ କୁବେର, ଲାଲ୍‌ ବାସ୍ନା, ଲାଲ ମଣି, ରତ୍ନମେଣ୍ଟି, ହରିଶ ଓ ଚୈତନ୍ୟ ବିହନ ଖୁବ୍‌ ଲୋକପ୍ରିୟ। ମଧୁମେହ ରୋଗୀଙ୍କ ଖାଇବା ପାଇଁ କଳା ଚାଉଳ ବି ସେ ଉତ୍ପାଦନ କରିଥାନ୍ତି। ତେବେ ଗୋପାଳକଙ୍କ ପାଇଁ କିଛି କରିବାକୁ ସେ ମନସ୍ଥ କରି ଘାସ ଚାଷ କଥା ଚିନ୍ତା କରିଥିଲେ। କେମିତି କମ୍‌ ଖର୍ଚ୍ଚରେ ଅଧିକ ପରିମାଣର ଘାସ ଉତ୍ପାଦନ ହୋଇପାରିବ ସେନେଇ ସେ ରାଜ୍ୟ ତୃଣ ବିଭାଗ ସହ ଯୋଗାଯୋଗ କରିଥିଲେ। ରାଜ୍ୟ ତୃଣ ଅଧିକାରୀ କେଶବ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସେ ବିନା ମାଟିରେ ଘାସ ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଘାସ ବି ବେଶ୍‌ ପୁଷ୍ଟିକର। ଏହି ଘାସ ଖାଉଥିବା ଗାଈ ଅଧିକ ପରିମାଣର ଲହୁଣି ଅଂଶ ଥିବା ଦୁଗ୍ଧ ଦେଉଥିବା ସେ ଦାବି କରିଛନ୍ତି। ନିକଟରେ ସେ ଉତ୍ପାଦନ କରିଥିବା ଘାସର ଚାହିଦା ତାଙ୍କ ଗାଁ ଓ ପାଖାପାଖି ଅଞ୍ଚଳରେ ବେଶ ବଢ଼ିଛି। ଏହି ଘାସର ପ୍ରସ୍ତୁତି ପ୍ରଣାଳୀ ଖୁବ୍‌ ସହଜ। ଘାସ ଉତ୍ପାଦନ ପାଇଁ ଆବଶ୍ୟକ ହୋଇଥାଏ ମକା, ଗହମ ଓ ମୁଗ ଭଳି ଡାଲିଜାତୀୟ ସାମଗ୍ରୀର ଦାନା।

ଯେତେ ନଗଦ ଦାନା ହେବ, ଗଜା ହେବା ପାଇଁ ସେତେ ଭଲ ହେବ। ସର୍ବାଧିକ ୬ ମାସର ଦାନା ଏଥିପାଇଁ ବ୍ୟବହାର କରାଯାଇପାରିବ। ବିଶେଷ କରି ମକା ଓ ଗହମରୁ ପ୍ରସ୍ତୁତ ଘାସ ଅଧିକ ଲାଭଦାୟକ ଏବଂ ଶସ୍ତା। ପ୍ରଥମେ ମକା କିମ୍ବା ଗହମକୁ ବାଛି ପରିଷ୍କାର କରାଯାଏ। ଭଲ ଦାନାଗୁଡିକୁ ୨୪ ଘଣ୍ଟା ପାଇଁ ପାଣିରେ ବତୁରାଯାଏ। ପରେ ପୁଣି ୨୪ଘଣ୍ଟା ପାଇଁ ପାଣିରେ ବତୁରା ଦାନାକୁ ଅଖାରେ ବନ୍ଧାଯାଏ। ତା ପରଦିନ ଅଖାରୁ ଖୋଲି ଦାନାକୁ ପ୍ଲାଷ୍ଟିକ୍‌ ଟ୍ରେରେ ରଖାଯାଏ।

ଦ୍ୱିତୀୟ ପର୍ୟ୍ୟାୟରେ ପ୍ଲାଷ୍ଟିକ ଟ୍ରେକୁ ଥାକ ଭଳି ରଖିବା ପାଇଁ ସେ ପ୍ଲାଷ୍ଟିକ ପାଇପକୁ ବ୍ୟବହାର କରିଛନ୍ତି। ଏହି ଥାକରେ ଦେଢ ଫୁଟରେ ଫୁଟେ ମାପର ପ୍ଲାଷ୍ଟିକ ଟ୍ରେ ରଖାଯାଇଛି। ଗୋଟିଏ ଟ୍ରେରେ ୫୦୦ ଗ୍ରାମ ଦାନା ରଖାଯାଇପାରିବ। ଟ୍ରେ ରଖାଯାଇଥିବା ସ୍ଥାନର ଚାରିପଟେ ପଲିଥିନ୍‌ ବନ୍ଧା ହୋଇଥିବାବେଳେ ଚାରିପଟେ ଓ ଉପରେ ପ୍ଲାଷ୍ଟିକ ଜାଲ ବନ୍ଧାଯାଇଛି। ତିନିପଟେ ପଲିଥିନ୍‌ ବନ୍ଧା ହେବା ଦ୍ୱାରା ଦାନା ପାଇଁ ଉପଯୁକ୍ତ ଉତ୍ତାପ ମିଳିଥାଏ। ଏଥିରେ ଆବଶ୍ୟକ ପରିମାଣର ପାଣି ସିଞ୍ଚନ କରାଯିବା ଆବଶ୍ୟକ; ଯାହାଦ୍ୱାରା ୨୪ଘଣ୍ଟାରେ ଦାନା ଗଜା ହୋଇଥାଏ। ଘାସ ୬ ଇଞ୍ଚ ହେବାକୁ ମାତ୍ର ୭ଦିନ ଲାଗିଥାଏ। ୭ଦିନ ପରେ ଚେରମିଶା ଘାସକୁ ଟ୍ରେରୁ କାଢି ଗୋରୁଙ୍କୁ ଖାଇବାକୁ ଦିଆଯାଇପାରିବ। ଏହି ଘାସକୁ ଖାଉଥିବା ଗାଈ ଅଧିକ ପରିମାଣର ଦୁଗ୍ଧ ଦେବା ନିଶ୍ଚିତ।

ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ମଧ୍ୟ ଖୁବ୍‌ କମ୍‌ ହୋଇଥାଏ। ମକା ଦାନା କେଜି ନବରଙ୍ଗପୁରରେ ୨୦ ଟଙ୍କାରେ ମିଳୁଛି। ଜଗତସିଂହପୁର ଆସିବା ପାଇଁ କେଜି ପିଛା ୪ରୁ୫ଟଙ୍କା ପରିବହନ ଖର୍ଚ୍ଚ ହୋଇଥାଏ। ପାଣିଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କେଜି ପିଛା ସର୍ବାଧିକ ୫ଟଙ୍କା ଖର୍ଚ୍ଚ ହେବ। ମୋଟ ୩୦ ଟଙ୍କା ଖର୍ଚ୍ଚରେ ୮କେଜି ସବୁଜ ଘାସ ଉତ୍ପାଦିତ ହୋଇପାରୁଛି, ଯାହା ବଜାରରେ ମିଳୁଥିବା ଚୋକଡ ଖର୍ଚ୍ଚଠାରୁ ଢେର୍‌ କମ୍‌ ବୋଲି କ୍ଷେତ୍ରମୋହନ କହନ୍ତି। ବିନା ମାଟିରେ ଏହି ପ୍ରଣାଳୀରେ ଘାସ ଚାଷ କରି ଗୋପାଳକମାନେ ବେଶ୍‌ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି।

Comments are closed.