ଚାଷୀଙ୍କ ପାଇଁ ସମସ୍ୟା ହୋଇଛି ଅନଲାଇନ ପି-ପାସ୍ ମେସେଜ, ଧାନ ବିକ୍ରିରେ ବିଳମ୍ବ

ବିନିକା: ରାଜ୍ୟ ସରକାର ରାଜଧାନୀ (ଭୁବନେଶ୍ୱର) ରୁ ଟୋକନ ଦେବା ନିଷ୍ପତି ନେବାପରେ ଚାଷୀକୁ ସମ୍ପୂର୍ଣ୍ଣ ଭାବରେ ଧାନ ବିକ୍ରି ପାଇଁ ଅସୁବିଧା ଦେଖାଦେଇଛି। ବିଶେଷ କରି ଆର୍ଥିକ ଅବସ୍ଥା ସଦୃଢ଼ ନଥିବା ଚାଷୀ ତାର ଗୁଜୁରାଣ ଓ ଦିନ ମଜୁରିଆକୁ ପ୍ରାପ୍ୟ ଦେବା ପାଇଁ ଚାଷୀ ଦଲାଲ ହାତରେ କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଯାହାଫଳରେ ଏ ଅଞ୍ଚଳରେ ଧାନର ଅଭାବୀ ବିକ୍ରି ସମସ୍ୟା ସୃଷ୍ଟି ହୋଇଛି। ସରକାର ନେଇଥିବା ନିଷ୍ପତି ଅନୁସାରେ ସମ୍ପୃକ୍ତ ପେକ୍ସଗୁଡିକୁ ଧାନ ବିକିବା ପାଇଁ ଚାଷୀଙ୍କ ଟୋକନ ଭୁବନେଶ୍ୱରରୁ ଅନଲାଇନରେ ମେସେଜ୍ ଆସୁଛି। ଏହି ନିୟମ ଯୋଗୁଁ ଧାନ ବିକ୍ରି ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହୁଛନ୍ତି। ଫଳରେ ଖଳାଗୁଡିକରେ ଧାନ ଗଚ୍ଛିତ ରଖିବାକୁ ବାଧ୍ୟ ହେଉଛନ୍ତି। ହୀରାକୁଦ କେନାଲ ଜଳସେଚିତ ଅଞ୍ଚଳ ଚାଷୀଙ୍କ ପି-ପାସ୍ ଟୋକନ ପେକ୍ସ ଗୁଡିକୁ କେତେ ଚାଷୀଙ୍କ ଆସିଥିବା ବେଳେ ଏ ପର୍ୟ୍ୟନ୍ତ ଅଧିକାଂଶ ଚାଷୀଙ୍କ ମେସେଜ୍ ଆସିପାରି ନାହିଁ। ଅପରପକ୍ଷରେ ଉଠାଜଳସେଚନ ଭରସାରେ ଚାଷ କରିଥିବା ଚାଷୀଙ୍କ ପି-ପାସ୍ ଟୋକନ ଆଦୌ ପେକ୍ସ ଗୁଡିକୁ ଆସିନଥିବା ଜଣାପଡିଛି। ଯାହା ଫଳରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ସମସ୍ୟା ଦେଖାଦେଇଛି। ସରକାର ଆରମ୍ଭ କରିଥିବା ଏହି ଧାନ ବିକ୍ରି ନିୟମ ଏଭଳି ଭାବରେ କେତେଦିନ ଧରି ଅବ୍ୟବସ୍ଥା ଲାଗି ରହିବ ଓ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଥିବ ତାହା କହିବା ଅସମ୍ଭବ। ପ୍ରକାଶ ଥାଉକି କୃଷି କାର୍ୟ୍ୟ ଆରମ୍ଭ ଧାନ ଅମଳକ୍ଷମ ପର୍ୟ୍ୟନ୍ତ ଚାଷୀ ବିଭିନ୍ନ କ୍ରମରେ ଯଥେଷ୍ଟ ଖର୍ଚ୍ଚାନ୍ତ ହୋଇ ଏବେ ଅମଳ ବେଳାରେ ଧାନ ବିକିବା ପାଇଁ ତାଙ୍କୁ ଅସୁବିଧା ଦେଖାଦେଉଛି ତେବେ ଏହା ସରକାରଙ୍କ କିଭଳି ନିତି ବୋଲି ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି। ବିନିକା ଅଞ୍ଚଳର ୧୦ଟି ଯାକ ପ୍ରାଥମିକ କୃଷି ସେବା ସମବାୟ ସମିତିଗୁଡିକରେ ସରକାରଙ୍କ ଘୋଷଣା ଅନୁସାରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ଏ ଅଞ୍ଚଳର ଚାଷୀମାନେ ପ୍ରାୟ ୩୦ପ୍ରତିଶତ ଧାନ ଅମଳ କରିଥିବା ବେଳେ ଅବଶିଷ୍ଟାଂଶ ୭୦ପ୍ରତିଶତ ଧାନ ଏବେ ଚାଷ ଜମି ଗୁଡିକରେ ପରିପକ୍ୱ ଅବସ୍ଥାକୁ ଆସିଯାଇଛି। ଆଜିର ଦିନରେ କୁଲି ମଜୁରୀ ଅଭାବ ସତ୍ତେ୍ୱ ଚାଷୀ ମେସିନ ସାହାଯ୍ୟରେ ଧାନ କାଟୁଛନ୍ତି। କିନ୍ତୁ ପେକ୍ସ ଗୁଡିକୁ ଚାଷୀମାନଙ୍କ ପି-ପାସ ମେସେଜ ଆସିବାରେ ବିଳମ୍ବ ହେଉଥିବାରୁ ଅମଳ ପରେ ଧାନ କେଉଁଠି ଗଚ୍ଛିତ ରଖିବେ ସେ ନେଇ ଚିନ୍ତାରେ ପଡିଯାଇଥିବା ବେଳେ ସେଥିପାଇଁ ଖେତରୁ ଧାନ ଅମଳ କରିବା ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ବିନିକା ପେକ୍ସ ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ଚାଷୀଙ୍କ ଧାନ ବିକ୍ରି ପାଇଁ ଆସୁଥିବା ପି-ପାସ୍ ମେସେଜ୍ (ଟୋକନ) ଗୁଡିକ ଅନଲାଇନ ଆସୁଥିବାରୁ କମ୍ପ୍ୟୁଟର ରେ ଜଣାପଡୁନଥିବା ସେ ପ୍ରକାଶ କରିଛନ୍ତି। ଯାହାଫଳରେ ଚାଷୀ ଧାନ ବିକିବା ପାଇଁ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସମସ୍ୟା ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରାଙ୍କୁ ପଚାରିବାରୁ ଉଠାଜଳସେଚନ ରେ ଚାଷ କରୁଥିବା ଚାଷୀଙ୍କ ଚାଷ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଓ ପରିମାଣ ର ରିପୋର୍ଟ ସମ୍ପୃକ୍ତ ସର୍କଲର ରାଜସ୍ୱ ନିରୀକ୍ଷକ ମାନେ ତଦନ୍ତ ରିପୋର୍ଟ ଦେଇନଥିବାରୁ ଅନଲାଇନ ମେସେଜ୍ ପଠାଯିବାରେ ବିଳମ୍ବ ହେଉଛି ଆସନ୍ତା ୨/୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ସୁବର୍ଣ୍ଣପୁର ଜିଲ୍ଲାପାଳ ଦୃଷ୍ଟିଦେଇ ଯଥାଶିଗ୍ର ଚାଷୀ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।

Comments are closed.