ଛତିଶଗଡ଼ରୁ ଚୋରି ହୋଇଥିବା ଟ୍ରାକ୍ଟର ଉଦ୍ଧାର, ୩ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ କୌଡିଆମୁଣ୍ଡା କେନାଲ ଛକ ନିକଟରୁ ବିନିକା ପୁଲିସ ପକ୍ଷରୁ ଛତିଶଗଡ଼ ରାଜ୍ୟ ବଲଦାବହାର ଜିଲା ଚାନାଦେଉରୀ ଥାନା ଅଧିନ ଗୋଲାଝର ଗ୍ରାମରୁ ଗତ ୨ଦିନ ତଳେ ଚୋରି ହୋଇଥିବା ଏକ ଟ୍ରାକ୍ଟର ଜବତ ହୋଇଛି। ଏହି ଘଟଣାରେ ୩ଜଣ ଯୁବକକୁ ବିନିକା ପୁଲିସ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ଗତ ୨୦ତାରିଖ ବିଳମ୍ବିତ ରାତିରେ ଛତିଶଗଡ଼ ରାଜ୍ୟର ଚାନାଦେଉରୀ ଥାନା ଅନ୍ତର୍ଗତ ଗୋଲାଝର ଗ୍ରାମର ରୁକ୍ମଣ କୁମାର ପଟେଲ ତାଙ୍କ ଘର ସମ୍ମୁଖରେ ନିଜର ଜୋନ୍ ଡିଅର ସବୁଜ ରଙ୍ଗର ଟ୍ରାକ୍ଟର ନଂ.-ସିଜି୦୪ଏମ୍ଏନ୍-୮୬୭୪ ବିଶିଷ୍ଟ ଟ୍ରାକ୍ଟରକୁ ରଖିଥିଲେ। ଛତିଶଗଡ ଅଞ୍ଚଳର ୫ଜଣ ଦୁର୍ବୁତ୍ତ ଏହି ଟ୍ରାକ୍ଟର ଚୋରି କରିଥିଲେ। ଏହାପରେ ସେମାନେ ଉକ୍ତ ଟ୍ରାକ୍ଟରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ରାତି ଅଧିଆ ଆଣିଥିଲେ। ଛତିଶଗଡ଼ରୁ ଓଡିଶା ଆଣୁଥିବା ରାସ୍ତାରେ ବିନିକା ଥାନା ଅଞ୍ଚଳ ଅଧିନ କୌଡିଆମୁଣ୍ଡା ପର୍ଯ୍ୟନ୍ତ ଟ୍ରାକ୍ଟର ଆଣିବା ସମୟକୁ ମଧ୍ୟାହ୍ନ ହୋଇଯାଇଥିଲା। ସେହି ସମୟରେ ବିନିକା ପୁଲିସ ଗ୍ରାମାଞ୍ଚଳକୁ ପେଟ୍ରୋଲିଂରେ ବାହାରି କୌଡିଆମୁଣ୍ଡା କେନାଲ ରାସ୍ତାରେ ବିଭିନ୍ନ ପ୍ରକାର କାରଣକୁ ନେଇ ଅନୁସନ୍ଧାନ କରୁଥିଲେ। ଠିକ୍ ସେତିକି ବେଳେ ଉକ୍ତ ଟ୍ରାକ୍ଟର ସହ ୫ଜଣ ଯୁବକଙ୍କୁ ସନ୍ଦେହରେ ପୁଲିସ କାବୁ କରିବା ପୂର୍ବରୁ ସତର୍କ ହୋଇ ତାଙ୍କ ମଧ୍ୟରୁ ୨ଜଣ ଫେରାର୍ ମାରିବାକୁ ଅନ୍ୟ ୩ଜଣ ଯୁବକ ଓ ତାଙ୍କ ସହ ୨ଟି ବାଇକ୍ ପୁଲିସ ହାବୁଡରେ ପଡିଥିଲା। ତେବେ ଘଟଣାକୁ ନେଇ କିଭଳି ପରିସ୍ଥିତିରେ ଉକ୍ତ ଟ୍ରାକ୍ଟରରୁ ଯୁବକଦ୍ୱୟ ଫେରାର୍ ହୋଇଯିବାରୁ ପୁଲିସ ଘଟଣାକୁ ନେଇ ଆହୁରି ସନ୍ଦେହ କରିଥିଲେ। ଜବତ ଟ୍ରାକ୍ଟର ସହ ଧରାପଡିଥିବା ୩ଯୁବକଙ୍କୁ ବିନିକା ଥାନାକୁ ଆଣି ବିଭିନ୍ନ ଦିଗକୁ ନେଇ ପଚରା ଉଚୁରା କରିଥିଲେ। ଉକ୍ତ ଟ୍ରାକ୍ଟରକୁ ତାଙ୍କ ମଧ୍ୟରୁ ୫ଜଣ ଯାକ ଚୋରି କରି ନେଉଥିବା ପୁଲିସ ଜାଣିବାକୁ ପାଇଥିଲା।

 

ତେବେ ଘଟଣାକୁ ନେଇ ଅଧିକ ପର୍ଦ୍ଦାଫାସ ହେବାପରେ ବିନିକା ପୁଲିସ ଟ୍ରାକ୍ଟର ଓ ଚୋରଙ୍କ ସନ୍ଧାନ ପାଇବା ନିମନ୍ତେ ଛତିଶଗଡ ପୁଲିସକୁ ଯୋଗାଯୋଗ କରିଥିଲା। ଏହାପରେ ଛତିଶଗଡ ରାଜ୍ୟ ବଲଦାବହାର ଜିଲ୍ଲା ଚାନାଦେଉରୀ ଥାନା ଅଧିନ ଗୋଲାଝର ଗ୍ରାମର ଜଣେ ବ୍ୟକ୍ତିଙ୍କ ଏହି ଟ୍ରାକ୍ଟରକୁ ଦୁର୍ବୁତ୍ତ ଚୋରି କରି ନେଉଥିବା ବିନିକା ପୁଲିସ ଜାଣିବାକୁ ପାଇ ସେହି ଅଞ୍ଚଳର ଥାନାକୁ ଘଟଣା ସମ୍ପର୍କରେ ଅବଗତ କରିଥିଲା। ଏହାପରେ ଚାନାଦେଉରୀ ଥାନାର ଏସ୍.ଆଇ ସନ୍ତୋଷ କୁମାର ସାହୁ ଟିମ୍ ସହ ବିନିକା ଥାନାରେ ପହଞ୍ଚି ଟ୍ରାକ୍ଟର, ଚୋର ଓ ତାଙ୍କ ବ୍ୟବହୃତ ୨ଟି ବାଇକ୍ ଏବଂ ୪ଟି ମୋବାଇଲ ଫୋନ୍ ଜବତ କରିବା ସହ ଚାନାଦେଉରୀ ଥାନା କେସ୍ ନଂ.୪୧/୨୦୨୧ ଅନୁସାରେ ମାମଲା ରୁଜୁ କରିଥିଲେ ଏଂ ଚୋରୀ ଟ୍ରାକ୍ଟର ଓ ଜବତ ସାମଗ୍ରୀ ସହ ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତ ମାନଙ୍କୁ ଛତିଶଗଡ ନେବା ପାଇଁ ବିନିକା ଥାନା ଅଧିକାରୀଙ୍କ ଅନୁମତି ଲୋଡିଥିଲେ। ବିନିକା ଥାନା ଏସ୍.ଆଇ ସୂର୍ଯ୍ୟକାନ୍ତ ସେଠୀଙ୍କ ନେତୃତ୍ବରେ ତଦନ୍ତ ପରେ ଚୋରୀ ଟ୍ରାକ୍ଟର ଓ ଜବତ ସାମଗ୍ରୀ ଛତିଶଗଡ ପୁଲିସକୁ ହସ୍ତାନ୍ତର କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏହାପରେ ଛତିଶଗଡ ପୁଲିସକୁ ଗିରଫ ଦିଲ୍ଲୀପ କୁମାର ସାହୁ (୨୩), ବିବେକ କୁମାର କାନୁନ୍ଗୋ (୨୪) ଓ ସନ୍ତୋଷ ଷାଣ୍ଡେ (୨୫)ପ୍ରମୁଖ ଘଟଣାରେ ସଂଶ୍ଳିକ ଅଭିଯୁକ୍ତ ମାନଙ୍କୁ ଛତିଶଗଡ ପୁଲିସକୁ ହସ୍ତାନ୍ତର କରାଯାଇଥିବା ବିନିକା ଥାନା ଏସ୍.ଆଇ ସୂର୍ଯ୍ୟକାନ୍ତ ସେଠୀ ସୂଚନା ଦେଇଛନ୍ତି।

Comments are closed.