ଶିଶୁ ଜୀବନ୍ତ ଦଗ୍ଧ, ବାପ ଗୁରୁତର, ଶ୍ମଶାନ ପଠାରୁ ଶବ ଜବତ କଲା ପୁଲିସ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଶଙ୍କରା ଗ୍ରାମରେ ଆଜି ସକାଳ ପ୍ରାୟ ୬ଟାବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଏକ ଆଠ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ବାପା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଶିଶୁ ଜୀବନ୍ତ ଦଗ୍ଧକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ ମୃତ ଶିଶୁର ଶବକୁ ପରିବାରବର୍ଗ ଦାହ କରିବାକୁ ପ୍ରସ୍ତୁତି କରୁଥିବାବେଳେ ପୁଲିସ ଶ୍ମଶାନରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟାବେଳେ ଶଙ୍କରା (ଧୋବାପଡ଼ା)ର ଟିକେ ଗୁଦୁରିଆ(୪୪) ଏବଂ ତାଙ୍କ ପତ୍ନୀ ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ଲଗାଇ ଚା’ ତିଆରି କରୁଥିଲେ। ତେବେ ହଠାତ ଗ୍ୟାସ ସିଲିଣ୍ଡର ଅଘଟଣ ଘଟି ସେଥିରୁ କ୍ଷୀପ୍ର ଗତିରେ ନିଆଁ ଜଳି ଉଠିଥିଲା। କ୍ଷୀପ୍ର ଗତିରେ ନିଆଁ ଜଳି ଉଠିବା ପରେ ଘର ଭିତରେ ଶୋଇଥିବା ତାଙ୍କର ପୁଅ ସାଗର ଗୁଦୁରିଆ(୮)କୁ ସେମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶିଶୁର ପିତାମାତା ଓ ପଡ଼ୋଶୀ ଶିଶୁକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶତଚେଷ୍ଟା କରିଥିଲେ ମଧ୍ୟ ଏହି ପରିସ୍ଥିତିରେ ସମସ୍ତଙ୍କ ପକ୍ଷେ କୌଣସି ସମ୍ଭବ ହୋଇପାରି ନ ଥିଲା। ପରେ ଘଟଣା ସମ୍ପର୍କରେ ବିନିକା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଅଧିକାରୀ ଭକ୍ତ ଚରଣ ତାଣ୍ଡିଆଙ୍କ ସମେତ ସମୂହ କର୍ମଚାରୀ ଗାଁରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ ସୁଦ୍ଧା ସେତେବଳକୁ ଶିଶୁଟି ଦଗ୍ଧ ହୋଇ ଯାଇଥିଲା।

 

ଗ୍ରାମବାସୀଙ୍କ ସହାୟତାରେ ଦଗ୍ଧ ଶିଶୁକୁ ବିନିକା ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ସେତେବେଳେ ଉପସ୍ଥିତ ଥିବା ଡାକ୍ତର ଶିଶୁକୁ ମୃତ ଘୋଷଣା କରି ସେଠାରୁ ଚାଲି ଯାଇଥିଲେ। ଡାକ୍ତରଙ୍କ ପକ୍ଷରୁ ଆଉ କିଛି କୁହା ନଯିବାରୁ ପରିବାରବର୍ଗ ଶବକୁ ଘରକୁ ଆଣି ଶ୍ମଶାନକୁ ଦାହ ପାଇଁ ନେଇଥିଲେ। ତେବେ ପୁଲିସ ଘଟଣା ସଂପର୍କରେ ଖବର ପାଇ ଶବକୁ ଜବତ କରି ଆଣି ପୁନର୍ବାର ବିନିକା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଥିଲା। ଡାକ୍ତର ଦେବାଶିଷ ତ୍ରିପାଠୀ ବ୍ୟବଚ୍ଛେଦ ରିପୋର୍ଟ କରାଇଥିଲେ। ବ୍ୟବଚ୍ଛେଦ ପରେ ତାଙ୍କ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯାଇଥିଲା। ପରେ ଗାଁ ଶ୍ମଶାନରେ ମୃତ ଶିଶୁର ଶବ ସତ୍କାର କରା ଯାଇଛି। ଏ ନେଇ ବିନିକା ଥାନା କେସ ନଂ ୦୯/୨୦୨୧ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବିନିକା ଥାନା ଏସଆଇ ସୂର୍ଯ୍ୟକାନ୍ତ ସେଠୀ ଘଟଣାର ତଦନ୍ତ କରିଛନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ବିନିକା ତହସିଲଦାର ଅଲେଖ ଘୁଟା ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ କୌଡିଆମୁଣ୍ଡା ସର୍କଲ ରାଜସ୍ବ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ଟିକେଙ୍କ ଘର ଓ ରୋଷେଇ ଘର ପୋଡ଼ି ଯାଇଥିବା ବେଳେ ଆସବାବପତ୍ର ସବୁ ଜଳିଯାଇଛି। ପୀଡିତ ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

Comments are closed.