ଜାତୀୟ ସଂହତି ଓ ଏକତାର ପ୍ରତୀକ ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁ ସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର। ବିନ୍ଦୁ ସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ବିନ୍ଦୁ ସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ବର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ଼ ସମ୍ପର୍କ ରହିଛି। ତେଣୁ ଏହାକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଜି ୫ଟି କାର୍ଯ୍ୟକ୍ରମ ଅଧିନରେ ଏକାମ୍ର ଯୋଜନାର ବିନ୍ଦୁସାଗରର ପାଣିକୁ ସ୍ବଚ୍ଛ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଧାମ। ଭୁବନେଶ୍ବର କେବଳ ଏକ ମନ୍ଦିରମାଳିନୀ ନଗର ନୁହେଁ, ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି। ସେଗୁଡ଼ିକର ପରିବେଶକୁ ସ୍ବଚ୍ଛ ରଖିବା ସମସ୍ତଙ୍କର ଦାୟିତ୍ବ। ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ବ ପାଇଁ ଏକ ବଡ଼ ଆହ୍ବାନ ହେବାକୁ ଯାଉଛି। ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଞ୍ଚଳରେ ରହିଥିବା ୨.୦ରୁ ଅଧିକ ଛୋଟ ବଡ଼ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।


ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବଚ୍ଛ ଜଳ ହିଁ ସମୃଦ୍ଧ ଜୀବନ। ସମସ୍ତଙ୍କ ସହଯୋଗରେ ଆମର ରୂପାନ୍ତରର ଲକ୍ଷ ପୂରଣ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ୍‌ ଅଏଲ୍‌ କରୋପାରେନ୍‌ ଏବଂ ଇଣ୍ଡିଆନ୍‌ କେମିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହଯୋଗ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ ଏଏସ୍‌ଆଇ ତଥା ଭାରତ ସରକାର ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ। ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ ଏକାଠି କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଥିଲେ।
ରାଜ୍ୟ ପୁର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଷଦ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ।
ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ରଘୁନାଥ ମହାପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଆଇଓସିଏଲ୍‌ର ଅଧ୍ୟକ୍ଷ ଏବଂ ଆଇସିଟିର କୁଳପତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।


ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆନ୍‌ କେମିକାଲ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ସହିତ ରାଜ୍ୟ ସରକାର ୨୦୨୦ ଜୁନ୍‌ ମାସରେ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଇଣ୍ଡିଆନ୍‌ କେମିକାଲ୍ସ ଟେକ୍ନୋଲୋଜି ଦ୍ବାରା ବିକଶିତ ହୋଇଥିବା ହାଇଡ୍ରୋ-ଡାଇନାମିକ୍ କ୍ୟାଭିଟେସନ୍‌ ଟେକ୍ନୋଲୋଜି ଜରିଆରେ ତୀର୍ଥ ପୋକରୀଗୁଡ଼ିକର ଜଳର ସ୍ବଚ୍ଛତା ରଖିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ରାଜ୍ୟ ସରକାର ଏଥିପାଇଁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ ଏବଂ ଆଇସିଟି-ଆଇଓସି ପକ୍ଷରୁ ହାଇଡ୍ରୋ ଡାଇନାମିକ୍‌ ପମ୍ପ ନିୟୋଜିତ କରାଯିବ।

Comments are closed.