ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ସମ୍ମାନ

ଭୁବନେଶ୍ୱର: ନିଜର ଆଜୀବନ ସାହିତ୍ୟିକ କୃତି ପାଇଁ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ପ୍ରଖ୍ୟାତ ସାହିତ୍ୟିକା ବୀଣାପାଣି ମହାନ୍ତି ୨୦୧୯ ବର୍ଷ ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବେ। ଏହା ହେଉଛି ଓଡ଼ିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର। ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ବଳିଷ୍ଠ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବୀଣାପାଣିଙ୍କୁ ଅତିବଡ଼ୀ ସମ୍ମାନ ସହ ଅନ୍ୟ ୧୫ ଜଣ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।

ସୂଚନାଯୋଗ୍ୟ, ବୀଣାପାଣି ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଛନ୍ତି। ନିଜର ଉତ୍କୃଷ୍ଟ ସାହିତ୍ୟ କୃତି ପାଇଁ ନିକଟରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଛନ୍ତି। ବୀଣାପାଣି ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ। ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା ‘ତନ୍ଦ୍ରାହତ’ ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା। ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ ‘ଗୋଟିଏ ରାତ୍ରୀର କାହାଣୀ’ ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା। ୧୯୬୧ମସିହାରେ ତାଙ୍କ ଗଳ୍ପ ‘ନାଉଗଛ’ ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ। ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି। ‘ନାଉଗଛ’ ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା। କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା। ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ବରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା। ଏହା ବ୍ୟତୀତ ତାଙ୍କ ରଚିତ ଆହୁରି ଅନେକ ଗଳ୍ପ ଉପନ୍ୟାସ ସର୍ବଜନାଦୃତ ହୋଇଛି।

Comments are closed.