ମୋଦୀଙ୍କ ଦୃଢ ନେତୃତ୍ୱକୁ ବିଲ ଗେଟସଙ୍କ ପ୍ରଶଂସା

ସମାଜ ପୋର୍ଟାଲ ଡେସ୍କ: ମାଇକ୍ରୋସପ୍ଟ ପ୍ରତିଷ୍ଠାତା ବିଲ ଗେଟସ କୋଭିଡ-୧୯ର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ ସକ୍ରିୟ ପଦକ୍ଷେପ ଗ୍ରହଣ ପାଇଁ ତାଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଗେଟ୍ସ କହିଛନ୍ତି ଦେଶବ୍ୟାପୀ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ, ହଟସ୍ପଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ପଦକ୍ଷେପ, ପୃଥକୀକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଖର୍ଚ୍ଚ ବୃଦ୍ଧି ଅତ୍ୟନ୍ତ ପ୍ରଶଂସନୀୟ। ଗେଟ୍ସ କହିଛନ୍ତି ମୋଦୀ ସରକାର କୋଭିଡ-୧୯ର ମୁକାବିଲା ପାଇଁ ତାଙ୍କର ଉନ୍ନତ ଡିଜିଟାଲ କ୍ଷମତାର ମଧ୍ୟ ସମ୍ପୂର୍ଣ୍ଣ ବିନିଯୋଗ କରିଛନ୍ତି ଓ ଆରୋଗ୍ୟ ସେତୁ ଭଳି ଆପ୍ ବାହାର କରିଛନ୍ତି। ସେ କହିଛନ୍ତି ମୋଦୀ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଦେଶର ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ମଧ୍ୟରେ ଉତ୍ତମ ସନ୍ତୁଳନତା ରକ୍ଷା ପାଇଁ କରିଥିବା ପ୍ରଚେଷ୍ଟା ପ୍ରଶଂସନୀୟ।
ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ କରୋନା ଭୂତାଣୁର ମୁକାବିଲାରେ ବିଶ୍ୱକୁ ଆଉ ଅତିରିକ୍ତ ୧୫୦ନିୟୁତ ଡଲାର ସହାୟତା ପ୍ରଦାନ କରିଛି। ଏଥି ସହିତ ଏହି ଫାଉଣ୍ଡେସନ ଏପର୍ଯ୍ୟନ୍ତ ୨୫୦ ନିୟୁତ ଡଲାର ସହାୟତା ଦେଇସାରିଲାଣି। କୋଭିଡ-୧୯ରୁ ବିଶ୍ୱବାସୀଙ୍କୁ ସୁରକ୍ଷା ଦେବାକୁ ଫାଉଣ୍ଡେସନ ପକ୍ଷରୁ ସମସ୍ତ ଦେଶକୁ ଆହ୍ୱାନ ଦିଆଯାଇଛି।