ବିଲ୍ ଗେଟସ୍‌ଙ୍କ ସମୟ ଜ୍ଞାନ

ୱାଶିଂଟନ: ମାଇକ୍ରୋସଫ୍ଟର ପୂର୍ବତନ ସହ-ପ୍ରତିଷ୍ଠାତା ବିଲ୍ ଗେଟସ୍‌  ଆଜିକାଲି ଭିନ୍ନ ଶୈଳୀରେ ଜୀବନ ଅତିବାହିତ କରୁଛନ୍ତି। ନିକଟରେ ନିଜ ବ୍ଲଗ୍‌ରେ ସେ ଏସବୁ ତଥ୍ୟ ଉଲ୍ଲେଖ କରିଥିବାବେଳେ ଏସବୁ ସୋସିଆଲ ସାଇଟ୍‌ରେ ମଧ୍ୟ ପ୍ରକାଶିତ ହୋଇଛି। ପିଲାଦିନରୁ ଏକ ଅନୁଶାସନରେ ରହିଥିବା ବିଲ୍‌ କହିଛନ୍ତି, ଯୁବାବସ୍ଥାରେ ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା, ସବୁ କାମରେ କିପରି ସଫଳ ହେବେ? ମାଇକ୍ରୋସଫ୍ଟରେ କାମ କରୁଥିବାବେଳେ ସେ ଏହି ଚିନ୍ତାରେ ଆଗକୁ ବଢ଼ୁଥିଲେ ଯେ ବର୍ଷ ଶେଷକୁ କିପରି ଭାବେ କମ୍ପାନୀ ତାଙ୍କର ବିଶ୍ବର ୧ ନମ୍ବର ସ୍ଥାନରେ ରହିବ? କାମରେ ସେ ଏଭଳି ମଜ୍ଜି ଯାଉଥିଲେ ଯେ ଘରସଂସାର କଥା ସମ୍ପୂର୍ଣ୍ଣ ଭୁଲିଯାଉଥିଲେ। ପିଲାଙ୍କ କଥା ସେ ଆଦୌ ବୁଝିନଥିବାବେଳେ ପାରିବାରିକ ଜୀବନର ସବୁ ସୁବିଧାଅସୁବିଧାକୁ ପତ୍ନୀ ମେଲିଣ୍ଡା ଗେଟସ୍‌ ହିଁ ବୁଝୁଥିଲେ। ବିଲଙ୍କୁ ଯଦି ତାଙ୍କ ବନ୍ଧୁମାନେ ପଚାରୁଥିଲେ, ତାଙ୍କ ବଡ଼ ଝିଅ କେଉଁ ଶ୍ରେଣୀରେ ପଢ଼ୁଛି? ବିଲ୍ ସେଭଳି ପରିସ୍ଥିତିରେ ପତ୍ନୀଙ୍କୁ ପଚାରି ବୁଝୁଥିଲେ, ଝିଅ ତାଙ୍କର ଏବେ କେଉଁ ଶ୍ରେଣୀରେ? ଏବେ ସେସବୁ ମନେପଡ଼ିଲେ ଖୁବ୍ ଲଜ୍ଜାବୋଧ ଅନୁଭବ ହେଉଥିବାର ବିଲ୍‌ କହିଛନ୍ତି। ୨୫ ବର୍ଷ ନିରନ୍ତର ପରିଶ୍ରମ କରିବା ପରେ ୬୪ ବର୍ଷୀୟ ବିଲ୍ ବର୍ତ୍ତମାନ ଏକ ଶାନ୍ତ ଜୀବନ ଅତିବାହିତ କରୁଥିବାର ପ୍ରକାଶ। ୱାଶିଂଟନ୍‌ରେ ତାଙ୍କ ବିଳାସମୟ ଘରେ ପରିବାର ଓ ପୁସ୍ତକ ଗହଣରେ ଏବର ସମୟ କାଟୁଛନ୍ତି ବିଲ୍‌ ଗେଟସ୍‌। ତାଙ୍କର ଏଇ ଘରର ଆନୁମାନିକ ମୂଲ୍ୟ ୯୦୬କୋଟି ଟଙ୍କା ହେବାବେଳେ ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଗତ କିଛି ବର୍ଷ ହେଲା ବିଲ୍‌ ନିଜ ଘରର ପାଠାଗାରରେ ଅଧିକାଂଶ ସମୟ ଅତିବାହିତ କରୁଛନ୍ତି। ସକାଳ ପ୍ରହରରୁ ଖବରକାଗଜ ପଢ଼ା ଆରମ୍ଭରେ ଓ ଦିନର ଅନ୍ୟ ସମୟରେ ସେ ଉପନ୍ୟାସ ପଢ଼ୁଥିବାର ଜଣାପଡ଼ିଛି। କାମକୁ ପ୍ରାଧାନ୍ୟ ଦେଇଥିବା ସମୟରେ ପରିବାରକୁ ସେ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଆଜିର ସମୟରେ ବିଲ୍ ପରିବାରକୁ ପର୍ଯ୍ୟାପ୍ତ ସମୟ ଦେବାରେ ଆଦେ ହେଳା କରୁନାହାନ୍ତି ବୋଲି ନିଜ ବ୍ଲଗ୍ ରେ ଉଲ୍ଲେଖ କରିଛନ୍ତି। ବନ୍ଧୁବାନ୍ଧବ ଗହଣରେ ଘଣ୍ଟାଘଣ୍ଟା ସମୟ ଅତିବାହିତ କରିବାରେ ଆଉ ଏବେ ସେ କାର୍ପଣ୍ୟତା କରୁନାହାନ୍ତି। ସମୟକୁ ସେ ଯଥା ସମ୍ମାନ ଦେବା ସହ ପ୍ରତ୍ୟେକ କାର୍ଯ୍ୟକୁ ଉତ୍ତମ ଭାବେ ପରିଚାଳିତ କରୁଥିବାର ହୃଦ୍‌ବୋଧ ହୋଇଥିବାର ବିଲ୍‌ ଗେଟସ୍‌ ପ୍ରକାଶ କରିଛନ୍ତି।

Comments
Loading...