ବିଲ୍‌କିସ୍‌ ବାନୋ ମାମଲା​‌ରେ ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ,୨ ସପ୍ତାହରେ ୫୦ ଲକ୍ଷ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ପୀଡ଼ିତା ବିଲ୍‌କିସ୍‌ ବାନୋ ମାମଲାରେ ସୁପ୍ରିମକୋର୍ଟ ସୋମବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟର ସମୀକ୍ଷା ଲାଗି ରାଜ୍ୟ ସରକାରଙ୍କ ଆବେଦନକୁ ପ୍ରଧାନବିଚାରପତି ରଞ୍ଜନ ଗୋଗଇଙ୍କ ପୀଠ ଖାରଜ କରିଦେବା ସହିତ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଗୁଜରାଟ ସରକାରଙ୍କୁ ରୋକଠୋକ ନିର୍ଦେଶ ଦେଇଛନ୍ତି। ଏଥିସହ ବାନୋଙ୍କୁ ରହିବାକୁ ଘର ଓ ନିଯୁକ୍ତି ଯୋଗାଇ ଦେବା ଲାଗି ମଧ୍ୟ ପୀଠ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
୨୦୦୨ ଗୁଜରାଟ ଦଙ୍ଗା ବେଳେ ଗଣବଳାତ୍କାରର ଶୀକାର ହୋଇଥିବା ବାନୋଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ଏପ୍ରିଲ ୨୩ରେ ନିର୍ଦେଶ ଦେଇଥିଲେ। ମାତ୍ର ତାହା ଏଯାବତ ମିଳି ନ ଥିବାରୁ ବାନୋ ସର୍ବୋଚ୍ଚ ଅଦାଲତରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହା ଉପରେ ଶୁଣାଣି ବେଳେ ଗୁଜରାଟ ସରକାରଙ୍କ ପକ୍ଷ ଉପସ୍ଥାପନ କରି ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ରାଜ୍ୟ ସରକାର ଉକ୍ତ ରାୟର ପୁର୍ନବିଚାର ଚାହୁଁଥିବାରୁ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ବିଶେଷ କରି ସୁପ୍ରିମକୋର୍ଟ କ୍ଷତିପୂରଣ ପ୍ରତିଶତ ଉପରେ ବିଚାର କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ମାତ୍ର ବାନୋଙ୍କ ସହିତ ଘଟିଯାଇଥିବା ଘଟଣାକୁ ଦୃଷ୍ଟିରେ ରଖି ତାଙ୍କୁ କ୍ଷତିପୂରଣ, ଚାକିରି ଓ ବାସଗୃହ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି। ବାନୋଙ୍କୁ ୨୨ଥର ବଳାତ୍କାର କରାଯିବା ସହିତ ତାଙ୍କର ୩ ବର୍ଷ ୨ ମାସର ଶିଶୁ କନ୍ୟାକୁ କଚାଡି ହତ୍ୟା କରାଯାଇଥିଲା। ସେହିଦିନଠାରୁ ସେ ଯାଯାବର ଜୀବନ ଅତିବାହିତ କରୁଥିବା ବେଳେ ଗୁଜରାଣ ମେଣ୍ଟାଇବା ଲାଗି ସ୍ବେଚ୍ଛାସେବୀ ସଂସ୍ଥାର ଦାନ ଉପରେ ନିର୍ଭର କରୁଛନ୍ତି। ୪୦ ବର୍ଷ ବୟସ୍କ ପୀଡ଼ିତା ତାଙ୍କ ପରିବାରର ସବୁ ଲୋକଙ୍କୁ ହରାଇଛନ୍ତି। ଏଭଳି କ୍ଷେତ୍ରରେ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ନେଇ ପୀଠ କୌଣସି ସିଦ୍ଧାନ୍ତକୁ ବିସ୍ତୃତ ସମୀକ୍ଷା କରିବାକୁ ଚାହୁଁ ନାହାନ୍ତି। ପୀଡ଼ିତାଙ୍କ କ୍ଷତିକୁ ଦୃଷ୍ଟିରେ ରଖି ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପୀଠ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ଏହି କ୍ଷତିପୂରଣ ପ୍ରଦାନ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

Comments are closed.