ଗ୍ୟାରେଜ୍ରୁ ଗାଏବ ହୋଇଗଲା ବାଇକ୍ ; ଅଢେଇ ମାସ ପରେ ବି ପୁଲିସ ହାତ ଖାଲି

ବଲାଙ୍ଗିର : ଢେଙ୍କାନାଳ ଜିଲାର ମୂଳ ବାସିନ୍ଦା ହେଉଛନ୍ତି ମଞ୍ଜିଲ ପ୍ରିୟଙ୍କର। ତାଙ୍କ ବାପା ସ୍ୱର୍ଗତ ମହେଶ୍ୱର ବେହେରା ପାଟଣାଗଡ ଲାଇନ୍ପଡ଼ାରେ ରହୁଥିଲେ। ଶ୍ରୀ ପ୍ରିୟଙ୍କର ଓ ପରିବାର ଲୋକେ ଏବେ ଲାଇନ୍ପଡ଼ାରେ ରହୁଛନ୍ତି। ଗତ ଅଗଷ୍ଟ ୪ ତାରିଖ ଦିନ ମଞ୍ଜିଲ ବାପା କିଣିଥିବା ହିରୋହୋଣ୍ଡା ସିଡି ୧୦୦ ଗାଡିକୁ ପାଟଣାଗଡ ରାମଜୀ ଛକରେ ଗ୍ୟାରେଜ କରିଥିବା କାଦୋପଡ଼ାର ଗୋପୀ ସେଠଙ୍କୁ ମରାମତି କରିବାକୁ ଦେଇଥିଲେ। ତେବେ ଅଗଷ୍ଟ ୧୧ ତାରିଖ ଦିନ ଗ୍ୟାରେଜ୍କୁ ଯାଇ ଗାଡି ମାଗିବାରୁ ବାଇକ୍ ଚୋରି ହୋଇଯାଇଥିବା କହିଥିଲେ ଗ୍ୟାରେଜ୍ ମାଲିକ ଶ୍ରୀ ସେଠ। ଏହାପରେ ମଞ୍ଜିଲ ପାଟଣାଗଡ ଥାନାରେ ସେହି ଦିନ ହିଁ ଅଭିଯୋଗ କରିଥିଲେ। ପୁଲିସ ଆଇପିସିର ଦଫା ୩୭୯ରେ ୧୫୯ ନମ୍ବର ମାମଲା ରୁଜୁ କରିବା ସହ ଏଏସ୍ଆଇ ଲବଣ କିଶୋର ନନ୍ଦଙ୍କୁ ତଦନ୍ତ ଦାୟିତ୍ୱ ମିଳିଥିଲା। ହେଲେ ଅଢେଇ ମାସରୁ ଉର୍ଦ୍ଧ୍ବ ହୋଇଯାଇଥିଲେ ବି ଗାଡିର ଖୋଜଖବର ନାହିଁ। ସେହିପରି ଯେଉଁ ଗ୍ୟାରେଜ୍‌ରେ ମରାମତି ପାଇଁ ଦିଆଯାଇଥିଲା ତା’ ବିରୋଧରେ ବି ପୁଲିସ ଠୋସ୍ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ଗ୍ୟାରେଜ୍‌ରେ ଏତେ ଗାଡି ମରାମତି ହେଉଥିବା ବେଳେ ତାଙ୍କ ଗାଡି କେଉଁ ପରିସ୍ଥିତିରେ ଓ କେମିତି ଚୋରି ହୋଇଗଲା ତାହା ସନ୍ଦେହ ସୃଷ୍ଟି କରୁଛି। ଏଥିସହିତ ଗ୍ୟାରେଜ୍ ମାଲିକଙ୍କ ଅବହେଳା ବି ପଦାରେ ପଡିଛି। ତେଣୁ ପୁଲିସ ଏନେଇ ପଦକ୍ଷେପ ନେବାକୁ ମଞ୍ଜିଲ ଦାବି କରିଛନ୍ତି।

Comments are closed.