ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ

ଗୋପାଳପୁର: ଟ୍ରକ ଧକ୍କାରେ ଆଜି ଅପରାହ୍ଣରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ବିଶ୍ୱନାଥପୁର ପଣ୍ଡିତ ଗାଁ’ର ଏମ. ସନ୍ତୋଷ (୩୫)। ଘଟଣାରୁ ପ୍ରକାଶ ସନ୍ତୋଷ ଆଜି ଅପରାହ୍ଣ ପ୍ରାୟ ୫ଟା ବେଳେ ନିଜ ବାଇକ ନମ୍ବର ଓଡ଼ି ୦୭ ଏ ଏଚ ୧୮୭୪ ରେ ବଢ଼କୁସସ୍ଥଳୀରୁ ବଢ଼ଗୁମୁଳାକୁ କୌଣସି କାମରେ ଯାଉଥିଲେ। ସାତକୁଟୁଣି ଛକରେ ଥିବା ଏକ ବୁଲାଣିଆ ରାସ୍ତାରେ ଯାଉଥିବା ଏକ ଟ୍ରକ ନମ୍ବର ଓଆର ୧୫ ଏମ ୨୩୫୯ ପଛ ଚକା ତଳେ କ୍ରିଷ୍ଣାମୂର୍ତ୍ତି ପଡ଼ିଯାଇଥିଲେ। ଫଳରେ ତାଙ୍କର ଡାହାଣ ହାତ କହୁଣୀ ଠାରୁ ଅଲଗା ହୋଇଯାଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଜରିଆରେ ଗୁରୁତର ଆହତ କ୍ରିଷ୍ଣାମୂର୍ତ୍ତିଙ୍କୁ ଏମକେସିଜି ମେଡିକାଲ ପଠାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷ ମେଡିକାଲରେ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି।
ଖବର ପାଇ ଗୋପାଳପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା କହିଛି।

Comments are closed.