ଦୁଇ ବାଇକ୍ ମୁହାଁମୁହିଁ: ୨ ମୃତ,୩ ଗୁରୁତର

ମୋହନା: ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମ ନିକଟ ବୁଲାଣି ଠାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଓ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଅତ୍ୟନ୍ତ ଭୟାନକ ଥିଲା। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକର ମୋହନା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗୁରୁତର ଆହତ ୩ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ ସୋମବାର ସକାଳ ପ୍ରାୟ ୧୦ଟା ବେଳେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମର ଆଶ୍ବାନ ବୀର ଓ ପୁଅ ତାଙ୍କ ନାବାଳକ ପୁଅ ରେଗନ ବୀର ହିରୋହଣ୍ଡା ଗ୍ଳେମର ବାଇକ୍ (ନଂ ଓଡ଼ି୦୭ଡବ୍ଲ୍ୟୁ ୩୬୫୦) ଯୋଗେ ପାଣିଗଣ୍ଡା ଆଡ଼କୁ ଯାଉଥିଲେ। ବିପରୀତ ଦିଗ ପାଣିଗଣ୍ଡାରୁ ଅଡବାକୁ ଆଉ ଏକ ହଣ୍ଡା ଗାଡ଼ି (ନଂ-ଓଡ଼ି୦୮ଏମ୍ ୮୦୨୬) ରେ ଦମାଦୁଆ ଗ୍ରାମର ସିନୁ ନାୟକ(୧୭),ସପିନ ମଳିକ(୧୫) ଓ ସୁମିତ ମାଝି(୧୩) ଆସୁଥିଲେ। ଦମାଦୁଆ ଗ୍ରାମ ନିକଟ ବୁଲାଣି ଠାରେ ୨ ବାଇକ୍ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଛେଳିଗଡ଼ ଗ୍ରାମର ରେଗନ ବୀରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦମାଦୁଆ ଗ୍ରାମର ସିନୁ ନାୟକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତରଙ୍କ ମୁଣ୍ଡ ଓ ନାକରୁ ରକ୍ତ ସ୍ରାବ ସହ ହାତ, ଗୋଡ ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଅମୃତରାଜ ଜେନା ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ଅଡବା ଏସ୍‌ଆଇ ଉତ୍କଳ କେଶରୀ ପ୍ରଧାନ, ହୃଷିକେଷ ପଣ୍ଡା ସଦଳବଳେ ପହଞ୍ଚି ମୃତଦେହ ଓ ଗାଡ଼ି ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

Comments are closed.