ନବକଳେବର ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

ସାମିଲ ହେବେ ଅଧିକ ଘରୋଇ ଚିକିତ୍ସାଳୟ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୩ବର୍ଷ ତଳେ ହାତକୁ ନିଆଯାଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ର ନବକଳେବର ହେବ। ଏହି ଯୋଜନାରେ ଲୋକେ କିଭଳି ଅଧିକ ସୁଫଳ ପାଇବା ସହିତ ନିର୍ଭରଯୋଗ୍ୟ ଭରସା କରିପାରିବେ ତାକୁ ନେଇ ସରକାରଙ୍କ ପକ୍ଷରୁ ସୁଦୂର ପ୍ରସାରୀ ଲକ୍ଷ୍ୟ ରହିଛି। ରାଜ୍ୟବାସୀଙ୍କ ପାଇଁ ସରକାରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହେଉଥିଲେ ହେଁ ଘରୋଇ ଚିକିତ୍ସାଳୟରେ କିଭଳି ଉତ୍ତମ ସେବା ପାଇ ପାରିବେ ତାକୁ ଦୃଷ୍ଟିରେ ରଖି ଅଧିକ ଘରୋଇ ଚିକିତ୍ସାଳୟକୁ ସଂଯୋଗୀକରଣ କରାଯିବ। ଏହାସହିତ ନୂତନ ଜ୍ଞାନକୌଶଳ ଯୋଡାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ସୂଚନା ଅନୁଯାୟୀ ୨୦୧୮ ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ଯୋଜନା ଲାଗୁ କରିଥିବାରୁ ତାକୁ ନେଇ ବିରୋଧୀ ଦଳ ପକ୍ଷରୁ ବହୁ ବିରୋଧ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହି ଯୋଜନା କେବଳ ଯେ ରାଜ୍ୟରେ ଲୋକପ୍ରିୟ ହୋଇଥିଲା ତାହା ନୁହେଁ, ଜାତୀୟସ୍ତରରେ ମଧ୍ୟ ପ୍ରଶଂସିତ ହୋଇଥିଲା। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଆୟୁଷ୍ମାନ ଯୋଜନାରେ ଓଡ଼ିଶାକୁ ଯୋଡିବା ପାଇଁ ବିଜେପି ପକ୍ଷରୁ ସବୁବେଳେ ଚାପ ପ୍ରୟୋଗ କରାଯାଉଛି। ହେଲେ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ନ ଦେଇ ନିଜ ଯୋଜନାକୁ କିଭଳି ଅଧିକ ସୁଦୃଢ଼ କରାଯାଇ ପାରିବ ତା’ ଉପରେ ପ୍ରାଧାନ୍ୟ ଦେଉଛନ୍ତି।
ଯୋଜନାର ଶୁଭାରମ୍ଭ ବର୍ଷରେ ୨୦୧୮ ଅଗଷ୍ଟ ୧୫ରୁ ୨୦୧୯, ଜୁଲାଇ ୩୧ ମଧ୍ୟରେ ୪୮ଲକ୍ଷ ୮୮ହଜାର ୨୮୮ ଲୋକ ସରକାରୀ ଚିକିତ୍ସାଳୟ ଅନ୍ତଃବିଭାଗରୁ ସ୍ବାସ୍ଥ୍ୟସେବା ସୁବିଧା ପାଇଥିବାବେଳେ ୬କୋଟି ୧୧ଲକ୍ଷ ୪୩ହଜାର ୯୪୭ଜଣ ବହିର୍ବିଭାଗରେ ଚିକିତ୍ସିତ ହୋଇଛନ୍ତି।
ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୯-୨୦ ବର୍ଷରେ ୧ଲକ୍ଷ ଟଙ୍କା ମଧ୍ୟରେ ୩୪ହଜାର ୨୯ଜଣ ଲୋକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ୩୪ହଜାର ୩୦୪ ଏବଂ ୨୦୨୧-୨୨ ବର୍ଷରେ ଏପର୍ଯ୍ୟନ୍ତ ୨୬ହଜାର ୭୪୨ଜଣ ଚିକିତ୍ସିତ ହୋଇଛନ୍ତି। ଇତିମଧ୍ୟରେ ୯୫ହଜାର ୭୫ଜଣ ହିତାଧିକାରୀ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପାଇଛନ୍ତି।
ଆଗାମୀ ଦିନରେ ୧୦ରୁ ଅଧିକ ଘରୋଇ ଚିକିତ୍ସାଳୟକୁ ସଂଯୋଗ କରାଯିବା ଦ୍ବାରା ବିଭିନ୍ନ ସ୍ଥାନରେ ଲୋକେ ବିଭିନ୍ନ ପ୍ରକାର ଜଟିଳ ରୋଗରୁ ଉପଶମ ପାଇପାରିବେ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

Comments are closed.