ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କର ପ୍ରତିବଦ୍ଧତା:ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଜିଲା ପାଇଁ ବେଗୁନିଆରୁ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବେଗୁନିଆ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଗୁନିଆ ଗସ୍ତରେ ଆସି ମିନି ଷ୍ଟାଡିଅମରୁ ଖୋର୍ଦ୍ଧା ଜିଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କର ପ୍ରତିବଦ୍ଧତା। ଏ ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଶ୍ରେଷ୍ଠ ଉପହାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ଉପକୃତ ହେବେ ଏବଂ ଖୋର୍ଦ୍ଧା ଜିଲାର୪ ଲକ୍ଷ ପରିବାରର ୧୪ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକି ପିଲାଙ୍କ ପାଠପଢା ବନ୍ଦ କରିଦିଅନ୍ତି। ସେ ସବୁ ବିଷୟ ତାଙ୍କ ମନରେ ବହୁତ ଦୁଃଖ ଦେଇଥାଏ। ଏବେ ଲୋକମାନଙ୍କ ସ୍ବାସ୍ଥ୍ୟ ଖରାପ ହେଲେ କାର୍ଡ ଖଣ୍ଡକ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ କୌଣସି କାଗଜପତ୍ର କିମ୍ବା ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହି ଯୋଜନାରେ ମହିଳା ମାନେ ୧୦ଲକ୍ଷ ଏବଂ ପୁରୁଷ ମାନେ ୫ ଲକ୍ଷ ପର୍ୟ୍ୟନ୍ତ ସହାୟତା ରାଶି ପାଇ ପାରିବେ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତେକଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକସା ଵାଲା, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହି କାର୍ୟ୍ୟକ୍ରମ ହେଉଛି ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ। ସ୍ୱାସ୍ଥ୍ୟ କାର୍ଡ ସହିତ ଖୋର୍ଦ୍ଧା ଜିଲ୍ଲାରେ ୯୮୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ରକୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ପ୍ରଣୟନ କରୁଥିବା ଯୋଜନା ସମ୍ପର୍କରେ କହିଥିଲେ। ମନ୍ତ୍ରୀ ଅଶୋକ ପଣ୍ଡା ରାଜ୍ୟ ଏବଂ ଜାତୀୟ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ ବୋଲି କହିଥିଲେ। ଏହି ସଭାରେ ୫ ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ। ଶେଷରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମୁଖମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରଥର ଶୁଭ ଉଦଘାଟନ କରିଥିଲେ।

Comments are closed.