ବିଜୁ ଗ୍ରାମୀଣ ବଜାର: ନିର୍ମାଣ ସରିବା ଦିନଠାରୁ ପଡିଛି ତାଲା

ବେଗୁନିଆ: ବେଗୁନିଆ ବ୍ଲକ ମୁଖ୍ୟ ଫାଟକ ଆଗରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ରାସ୍ତାକୁ ଲାଗି ବେଗୁନିଆ ପଞ୍ଚାୟତର ଜାଗ୍ରୀବାଡ଼ ମୌଜ଼ା ରେ ନିର୍ମାଣ କରାଯାଇଥିବା ବିଜୁ ଗ୍ରାମୀଣ ବଜ଼ାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ଦୀର୍ଘ ୨୫ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ନିର୍ମାଣ ସରିବା ପରେ ଘର ଗୁଡିକ କାହାକୁ ବଣ୍ଟନ କରିବା ପରିବର୍ତ୍ତେସେହିଦିନଠାରୁ ତାଲା ପଡି ରହିଛି। ଫଳରେ ଯେଉଁ ମହତ ଉଦ୍ଦେଶ୍ୟ ନେଇ ସମ୍ପୃକ୍ତ ୧୦ବଖରା ଘର ନିର୍ମାଣ କରାଯାଇଥିଲା ତାର ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ। ସମ୍ପୂର୍ଣ ଗ୍ରାମୀଣ ରୋଜଗାର ଯୋଜନା(ପଞ୍ଚାୟତ ସମିତି ଅଂଶ) ଅର୍ଥ ରାଶିରେ ସେ ସମୟରେ ୪ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଘରଗୁଡିକ ନିର୍ମାଣ କରାଯାଇଥିଲା କ୍ଷ କିନ୍ତୁ କିଛି ନ୍ୟସ୍ଥସ୍ୱାର୍ଥ କର୍ମଚାରୀଙ୍କ ଯୋଗୁଁ ଉକ୍ତ ଗୃହ ଗୁଡିକ ବେରୋଜଗାରୀଙ୍କୁ ରୋଜଗାରକ୍ଷମ କରାଇବାରେ ସହାୟକ ହୋଇପାରିଲା ନାହିଁ।

 

ବରଂ ସରକାରୀ କର୍ମଚାରୀଙ୍କର ଦାୟିତ୍ବହୀନତା ଯୋଗୁଁ ସରକାରଙ୍କର ୪ ଲକ୍ଷ ଟଙ୍କା ପାଣିରେ ପଡିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଉକ୍ତ ଘର ଗୁଡିକ ବ୍ୟବହାର ହେଉ ନଥିବା ଯୋଗୁଁ ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଘର ଗୁଡିକ ଭାଙ୍ଗିରୁଜି ଗଲାଣି କ୍ଷ ଘର ଆଗରେ ଥିବା ତାଜା ଗୁଡିକ ମଧ୍ୟ ଭାଙ୍ଗି ଗଲାଣି। ସଟର ଗୁଡିକରେ କଳଙ୍କି ଲାଗି ଗଲାଣି। ଘର ଗୁଡିକ ଆଦୌ ଖୋଲା ଯାଉ ନଥିବା ଯୋଗୁଁ ଘର ଭିତରେ ଉଇ ହୁଙ୍କା ଚଢି ଯିବା ସହିତ ସରୀସୃପ ମାନଙ୍କର ବାସ ସ୍ଥଳୀ ପାଲଟିଛି। ଘର ବାରଣ୍ଡା ବୁଲା ଗାଈ ଗୋରୁ ଏବଂ କୁକୁର ମାନଙ୍କ ସହିତ ଯାଯାବର ମାନଙ୍କର ଆଶ୍ରୟସ୍ଥଳ ପାଲଟିଛି । ଦୀର୍ଘ ୨୫ବର୍ଷ ତଳେ ଘର ଗୁଡିକ ବଣ୍ଟନ କ୍ଷେତ୍ରରେ କୁଆଡେ ଅନିୟମିତତା ହେଉଥିବାର ଦର୍ଶାଇ ଜଣେ ବ୍ୟକ୍ତି କୋର୍ଟରେ କେଶ କରିବା ପରେ ଘର ଗୁଡିକ ବଣ୍ଟନ କରାନଯାଇ ତାଲା ପକାଇ ରଖାଯାଇଛି। କିନ୍ତୁ ଉକ୍ତ କେଶର ତୁରନ୍ତ ଫଇସଲା କରିବା କ୍ଷେତ୍ରରେ ବ୍ଲକ ପ୍ରଶାସନ ତରଫରୁ ଉପଯୁକ୍ତ ପଦକ୍ଷେପ ନିଆ ଯାଉ ନଥିବାର ସାଧାରଣରେ ଆଲୋଚନା ହେଉଛି । ତେଣୁ ପ୍ରଶାସନ ସମ୍ପୃକ୍ତ କେଶର ଫଇସଲା ଦିଗରେ ଯଦି ଉପଯୁକ୍ତ ପଦକ୍ଷେପ ତୁରନ୍ତ ଗ୍ରହଣ ନକରେ ତାହେଲେ ବର୍ତମାନ ଘରଗୁଡିକର ଅବସ୍ଥା ଯାହା ହେଲାଣି ଆଉ କିଛି ଦିନ ପରେ ଘର ଗୁଡିକ ମାଟିରେ ମିଶିଯିବ ବୋଲି ପଞ୍ଚାୟତ ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Comments are closed.