ରେଗେଡାପଡାରେ ବିଜୁ ସେତୁ ଉଦ୍‌ଘାଟିତ

ଆଠଗଡ : ଆଠଗଡ ବ୍ଲକର ଖୁଣ୍ଟକଟା ପଞ୍ଚାୟତ ଅନ୍ତର୍ଗତ ରେଗେଡାପଡାଠାରେ ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ୬.୯୬କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ସେତୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ଘାଟିତ କରିଛନ୍ତି। ୧୨୨.୫୨ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁଟିର ନିର୍ମାଣ କାର୍ଯ୍ୟ ୨୦୧୬ ମସିହା ଡିସେମ୍ବର ମାସରେ ଆରମ୍ଭ ହୋଇଥିବାବେଳେ ଗତ ୨୦୨୦ ନଭେମ୍ବର ମାସରେ ସଂପୃର୍ଣ୍ଣ ହୋଇଥିଲା। ଏହି ସେତୁଟି କାର୍ଯ୍ୟକ୍ଷମ ହେବା ପରେ ଖୁଣ୍ଟକଟା, ବଡଭୂଇଁ, ଜେନାପଦା ସମେତ ଗୁଡୁପଡା, ଇଚ୍ଛାପୁର ଓ ସୀମାବର୍ତ୍ତୀ ଢେଙ୍କାନାଳ ସଦର ଅଞ୍ଚଳର ଲୋକମାନେ ସିଧାସଳଖ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳରେ ଗମନାଗମନାର ଯେତିକି ବିକାଶ ହେବ ସେହି ଅନୁଯାୟୀ କୃଷକ ଓ ଅନ୍ୟମାନଙ୍କର ମଧ୍ୟ ଆର୍ଥିକ ବିକାଶ ଘଟିବ ବୋଲି ସାଂସଦ ଶ୍ରୀ ମହତାବ ମତବ୍ୟକ୍ତ କରିଥିଲେ। ଜେନାପଦା, ଖୁଣ୍ଟକଟା, ବଡଭୂଇଁ ଆଦି ପଞ୍ଚାୟତର ଲୋକ ଏବଂ ସୀମାବର୍ତ୍ତୀ ବାଙ୍କୀ ୬ପଞ୍ଚାୟତ ଅଞ୍ଚଳର ଲୋକମାନେ ଏହି ସେତୁ ଦ୍ୱାରା ବେଶ ଉପକୃତ ହୋଇପାରିବେ ବୋଲି ସାଂସଦ କହିଥିଲେ। ବିଶେଷକରି କୃଷିପ୍ରଧାନ ଏହି ଅଞ୍ଚଳଗୁଡିକର କୃଷକମାନେ ସେମାନଙ୍କର କୃଷିଉତ୍ପାଦ ପରିବହନ ଲାଗି ଏହି ସେତୁ ଏକ ମାଇଲଖୁଣ୍ଟ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ। ଏହା ପୂର୍ବରୁ ସାଂସଦ ଓ ମନ୍ତ୍ରୀ ଖୁଣ୍ଟକଟାଠାରେ ରାମଲୀଳା ମଣ୍ଡପ, ରେଗେଡାପଡାରେ ଅଙ୍ଗନବାଡି କେନ୍ଦ୍ରର ନୂତନଗୃହ, ନୂଆବନ୍ଧ ଶବରସାହି କୋଠଘର, ନୂଆବନ୍ଧରେ ପାନୀୟଜଳ ଯୋଗାଣ ପ୍ରକଳ୍ପ, ପ୍ରଗତି ଯୁବକ ସଂଘର ନୂତନ ଗୃହ, ମାରୁଗୋଠ ଓ ଜେନାପଦାରେ ମୁଖ୍ୟରାସ୍ତାକଡରେ ଯାତ୍ରୀ ବିଶ୍ରାମାଗାର ଉଦ୍ଘାଟନ କରିଥିବାବେଳେ ନୂଆବନ୍ଧର ନୂଆସାହିଠାରେ କୋଠଘର ପାଇଁ ଶିଳାନ୍ୟାସ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦଳାଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ଖୁଣ୍ଟକଟା ସରପଞ୍ଚ ମନି ନାଏକ, ସମିତିସଭ୍ୟ ବିଜୟ ପ୍ରଧାନ, ଜେନାପଦା ସରପଞ୍ଚ ମିନତୀ ଖଟୁଆ, ସମିତିସଭ୍ୟ ପ୍ରକାଶ ଶତପଥୀ, ବଡଭୂଇଁ ସରପଞ୍ଚ ପ୍ରମିଳା ସାହୁ, ସମିତିସଭ୍ୟ ରଶ୍ମିତା ପ୍ରଧାନଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପରମାଣିକ ଯୋଗଦେଇଥିଲେ।

Comments are closed.