ବିଜୁ ବାବୁଙ୍କ ସାନ ପୁଅ ନୂଆପଡା ଜିଲା ବଡ ହୋଇଗଲାଣି : ମୁଖ୍ୟମନ୍ତ୍ରୀ

– ୨୩୭୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଶୁଭାରମ୍ଭ,

– ୯୫୦ କୋଟି ଟଙ୍କାର ପ୍ରକଳ୍ପ ଅଗ୍ରଗତିରେ

– ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ,

– ନଆପଡା ଜିଲାକୁ ୩କୋଟି ଅଟକଳ ମୂଲ୍ୟର ବିଜ୍ଞାନ ପାର୍କ ଭେଟି

– ଜିଲାରେ ଦୁଇଟି ଇନଡୋର ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି,

– ସ୍ୱାଧୀନତା ସଂଗ୍ରାମରେ ଜିଲାର ଭାଗିଦାରୀକୁ ମନେ ପକାଇଲେ

– ସ୍ୱାଧୀନତା ସଂଗ୍ରାମରେ ଭେଲା ଗ୍ରାମର ମହିଳାଙ୍କ ବଳିଦାନ ଅତୁଳନୀୟ

– ୨୦୨୨ ସୁଦ୍ଧା ଜିଲାର ପ୍ରତ୍ୟେକ ଘରକୁ ପାଇପ ପାଣି

ନୂଆପଡା : ଦିନିକିଆ ନୂଆପଡା ଜିଲା ଗସ୍ତରେ ଆସି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩୭୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସହ ପ୍ରାୟ ୫୦ କୋଟି ଟଙ୍କାର ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ସହ ୯୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମରେ ନୂଆପଡା ଜିଲାର ବଳିଦାନକୁ ମନେ ପକାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ବିଶେଷ କରି ନୂଆପଡାର ସାଲିହାଗଡ ରକ୍ତରଞ୍ଜିତ କାହାଣୀ ଓ କୋମନା ବ୍ଲକ ଭେଲା ଗ୍ରାମର ମହିଳାମାନଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନକୁ ମନେପକାଇ ମୁଖ୍ୟମନ୍ତ୍ରୀ ଭେଲାଠାରେ ଏକ ମେମୋରିଆଲ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବିଜୁବାବୁଙ୍କ କଥାକୁ ମନେ ପକାଇ କହିଥିଲେ ଯେ, ୧୯୯୩ ମସିହାରେ ଜିଲା ଗଠନ ସମୟରେ କେହି ଜଣେ ନୂଆପଡା ପରି ଏକ ଛୋଟ ସବଡିଭିଜନକୁ ଜିଲା କରିବାର ଅଭିପ୍ରାୟ କଣ ବୋଲି ବିଜୁବାବୁଙ୍କୁ ପଚାରିବାରେ ବାପା ମା ନିଜର ସବୁଠାରୁ ଛୋଟ ସନ୍ତାନକୁ ଅଧିକ ଭଲ ପାଇଥାନ୍ତି ବୋଲି ସେ କହିଥିଲେ। ଆଜି ବିଜୁବାବୁଙ୍କ ସେ ଦିନର ଛୋଟ ଛୁଆ ବଡ ହୋଇଗଲାଣି ବୋଲି ନବୀନ ପଟ୍ଟନାୟକ ପ୍ରକାଶ କରିବା ସହ ଓଡିଶାର ବିକାଶ ଯାତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ସଶକ୍ତ ସମୃଦ୍ଧ ହୋଇପାରିଛି ବୋଲି କହିଥିଲେ। ସେହିପରି ଜିଲାର ସବୁଠାରୁ ବଡ ସମସ୍ୟା ଜିଲାର ପାନୀୟ ଜଳରେ ଫ୍ଲୋରାଇଡର ଉପସ୍ଥିତି ପରିପ୍ରେକ୍ଷୀରେ ଜିଲାରେ ୩୨୦ କୋଟି ଟଙ୍କା ବ୍ୟୟରେ ମେଗା ଜଳ ପ୍ରକଳ୍ପ ମାଧ୍ୟମରେ ଜିଲାର ସବୁ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ବର୍ତ୍ତମାନ ୫୫% ଘରକୁ ପାଇପ ଲାଇନ ଯୋଗେ ପାଣି ପହଞ୍ଚି ସାରିଛି ୨୦୨୨ ସୁଦ୍ଧା ଜିଲାର ପ୍ରତ୍ୟକ ଘରକୁ ପାଇପ ପାଣି ପହଞ୍ଚାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଜିଲାରେ ୧୦୦୦ରୁ ଅଧିକ ‘ଫ୍ଲୋରାଇଡ ରିମୁଭାଲ ପ୍ଲାଣ୍ଟ’ ସ୍ଥାପନା କରାଯାଇ ସାରିଛି। ଜିଲାର ୯୦୦ରୁ ଅଧିକ ଗ୍ରାମ ବର୍ତ୍ତମାନ ସମୟରେ ଶତ ପ୍ରତିଶତ ଫ୍ଲୋରାଇଡରୁ ମୁକ୍ତ ହୋଇସାରିଛି। ଜିଲାରେ ସର୍ବବୃହତ ଜଳସେଚନ ପ୍ରକଳ୍ପ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଯେଉଁମାନେ ବାସହରା ହୋଇଛନ୍ତି, ଯେଉଁମାନେ ନିଜର ଭିଟାମାଟି ହରାଇଛନ୍ତି, କେବଳ ସେମାନଙ୍କ ତ୍ୟାଗ ବଳରେ ହିଁ ଏହି ପ୍ରକଳ୍ପ ହୋଇପାରିଛି, ସେମାନଙ୍କ ତ୍ୟାଗକୁ ଆଜି ଏହି ଅବସରରେ ମୁଁ ଧନ୍ୟବାଦ ଜଣାଇବା ସହ ନମନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ସେପରି ଜିଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ତିଖାଲିଠାରେ ୩କୋଟି ଟଙ୍କା ବ୍ୟୟରେ ଏକ ବିଜ୍ଞାନ ପାର୍କ ଓ ମ୍ୟୁଜିୟମ ପ୍ରତିଷ୍ଠା ଓ ଜିଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନୂଆପଡା ଖଡିଆଳଠାରେ ଦୁଇଟି ଇନଡୋର ଷ୍ଟାଡିୟମର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଜିଲାରେ ୨୨୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ମାଧ୍ୟମରେ ଜିଲାର କୋମନା ବୋଡେନ ସିନାପାଲି ନୂଆପଡାର ୧୮୦୦୦ ଏକରରୁ ଊର୍ଦ୍ଧ୍ବ ଜମିକୁ ଜଳ ଯୋଗାଇ ଦିଆଯିବ। ରାଜ୍ୟରେ ପ୍ରଥମ ଥର ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ ବ୍ୟବସ୍ଥା ଲଗୁ କରାଯାଇଥିବାରୁ ବିନା ଜମି ଅଧିଗ୍ରହଣରେ ଆମେ ଅଧିକ ୭୫୦୦ ହେକ୍ଟର ଜମିକୁ ଜଳ ଯୋଗାଇ ଦେଇ ପାରିବୁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସୂଚନା ଯୋଗ୍ୟ ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ ମୁଖ୍ୟମନ୍ତ୍ରୀ ବୁଧବାର ସକାଳ ୯ଟା ୩୦ରେ ନବୀନ ନିବାସରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଇ ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆପଡା ଯାତ୍ରା ଆସିଥିଲେ। ନୂଆପଡା ସଦର ମହକୁମା ସ୍ଥିତ ଗୌତମା ବିମାନ ଅବତରଣ ପଡିଆରେ ସକାଳ ୧୦ଟା ୪୦ରେ ଅବତରଣ ସହ ହେଲିକପ୍ଟର ଯୋଗେ ଖଡିଆଳ ବ୍ଲକ ତିକାଲି ସ୍ଥିତ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ଥଳରେ ନିର୍ମିତ ସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରେ ଜିଲାପାଳ ସ୍ୱଧାଦେବ ସିଂ, ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତରେ ୧୯୭୫.୯୮ କୋଟି ଟଙ୍କା ବ୍ୟୟରେ ଦୀର୍ଘ ୨୦ ବର୍ଷଧରି ନିର୍ମିତ ହୋଇଥିବା ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ସହ ଲୋକାର୍ପଣ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ନୂଆପଡା ଓ ପଡୋଶୀ ବଲାଙ୍ଗିର ଜିଲାର ମୋଟ ୨୯୯୦୦ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯିବ। ୨୦୦୦ ମସିହା ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାର ଏହି ବୃହତ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସେ ସମୟରେ ନୂଆପଡା ଜିଲାର ପରିଚୟ ଚିର ମରୁଡି ପୀଡିତ ଦାଦନ ପ୍ରବଣ ଜିଲା ରୂପେ ପରିଗଣିତ ହେଉଥିଲା। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ।

ତିଖାଲି ନଦୀ ବନ୍ଧ ଯୋଜନାର ଲୋକାର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ମଧ୍ୟାହ୍ନ ୧୨ଟାରେ ଖଡିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ଦେବ ହାଇସ୍କୁଲ ପଡ଼ିଆରେ ପହଞ୍ଚି ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ମଞ୍ଚରେ ରାଜ୍ୟ ସରକାରଙ୍କ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ନୂଆପଡା ବିଧ।ୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅନୁ ଗର୍ଗ, ବିଜେଡି ନେତା ଆକାଶ ଦାସ ନାୟକ, ଓଡିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ଥିଲେ।

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ସ୍ୱାଗତ ଅଭିଭାଷଣରେ ନୂଆପଡା ମାଟି ପାଇଁ ଏହା ଏକ ଚିର ସ୍ମରଣୀୟ ଦିବସ ହୋଇରହିବ ବୋଲି ଜଣାଇବା ସହ ବ୍ଲକରେ ୫ଟି ଅନୁସୂଚିତ ଜାତି ଓ ଜନଜାତି ମହାବିଦ୍ୟାଳୟ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବାକୁ ଆଗ୍ରହ କରିବା ସହ କୋମନାଠାରେ ଏକ ଗ୍ରୀଡ ସ୍ଥାପନ ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ।

ସେହିପରି ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନିଜ ଅଭିଭାଷଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁଠାରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ଅଭିହିତ କରିବା ସହ ସେ ଜଣେ ଶ୍ରେଷ୍ଠ ଜନନାୟକ ବୋଲି ସମ୍ବୋଧନ କରିଥିଲେ। ଖଡିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ କଂଗ୍ରେସରୁ ପ୍ରତିନିଧିତ୍ବ କରୁଥାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଜନନାୟକ ଏବଂ ବିଧାୟକ ରାଜୁଭାଇଙ୍କୁ ନିଜର ସୁଖଦୁଃଖର ସାଥି ବୋଲି ସମ୍ବୋଧିତ କରିବା ନେଇ ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା। ବିଧାୟକ ପାଣିଗ୍ରାହୀ ଏହି ରାଜା ଆର୍ତ୍ତତ୍ରାଣ ଦେବ ହାଇସ୍କୁଲର ଏହି ଐତିହାସିକ ପଡ଼ିଆରେ ଆଜି ପୁନଃ ଏକ ଇତିହାସ ଲେଖା ହେବାକୁ ଯାଉଛି ବୋଲି କହିଥିଲେ। ସେ ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତରେ ଆସି ନୂଆପଡା ବାସୀଙ୍କୁ ଶୁଦ୍ଧ ପାନିୟ ଜଳ, ଜଳସେଚନର ସୁବିଧା, ଉନ୍ନତ ରାସ୍ତା ପ୍ରଦାନ କରିଥିବାରୁ ଅଶେଷ ଧନ୍ୟବାଦ ଦେଇଥିଲେ। ଏଥିସହ ସେ ବିଜୁ ବାବୁଙ୍କୁ ସ୍ମରଣ କରି ତାଙ୍କର ଉତ୍ତରଦାୟଦ ଭାବରେ ନବୀନ ବାବୁ ସଦାସର୍ବଦା ନୂଆପଡାର ବିକାଶ ଦିଗରେ କାର୍ଯ୍ୟ କରିଥିବା କହିଥିଲେ।

ଶକ୍ତିମନ୍ତ୍ରି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ଅଭିଭାଷଣରେ ଆଗାମୀ ଦିନରେ ଜିଲାରେ ବିଜୁଳି ସମସ୍ୟା ରହିବା ନାହିଁ ବୋଲି ଜଣାଇଥିଲେ। ସେହିପରି ମନ୍ତ୍ରି ଟୁକିନି ସାହୁ ଜିଲାରେ ମେଗା ୱାଟର ପ୍ରୋଜେକ୍ଟ ମାଧ୍ୟମରେ ଘରଘରକୁ ପାଣି ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇ ପାରିଥିବା କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ଶ୍ରୀମୟୀ ମିଶ୍ର ଓ ଆକାଶ ଦାସ ନାୟକ ମଞ୍ଚ ସଞ୍ଚାଳନ କରିଥିଲେ। ଶେଷରେ ଜିଲାପାଳ ସ୍ୱଧାଦେବ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

ଆଜି ମୁଖମନ୍ତ୍ରୀଙ୍କ ଗସ୍ତ ଅବସରରେ ଗୃହ ବିଭାଗର ପ୍ରମୁଖ ସଚିବ ତଥା ଆଇଜି ଅମିତାଭ ଠାକୁର ଖଡିଆଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ରାଜେଶ କୁମାର ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ। ସଭା ମଞ୍ଚତଳେ ଅନେକ ବିଜେଡି ନେତାଙ୍କ ମଧ୍ୟରେ କଣ୍ଟାବାଞ୍ଜିର ଆୟୁବ ଖାଁ, ବାଙ୍କି ଚୌଦ୍ବାରର ପ୍ରଭାତ ବିଶ୍ୱାଳ, ବ୍ରଜରାଜନଗରର କିଶୋର କୁମାର ମହାନ୍ତି, ପଦ୍ମପୁରର ବିଜୟ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.