ବିଜେପୁରରେ ବିଜେପିକୁ ଅଶୋକ ଅଡୁଆ – ମଙ୍ଗ ଧରିଲେ ଧର୍ମେନ୍ଦ୍ର

ବିଜେପୁର: ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେପି ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ସେଠାରେ ପୂର୍ବରୁ ୨୦୧୮ ନିର୍ବାଚନରେ ବିଜେପି ପକ୍ଷରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ପରାସ୍ତ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ତାଙ୍କୁ ଟିକଟ ନ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଦଳ ପକ୍ଷରୁ ତାଙ୍କୁ ଉପେକ୍ଷା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଶୋକ ଆଗାମୀ ଦିନରେ ବିଜେଡିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେହିଭଳି ପୂର୍ବତନ ବିଧାୟକ ରିପୁନାଥ ସେଠୀ ମଧ୍ୟ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛନ୍ତି। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ରିପୁନାଥ ତାଙ୍କ ପୁଅ ପାଇଁ ଟିକେଟ ଚାହୁଁଥିଲେ, ନ ମିଳିବାରୁ ବିଦ୍ରୋହ କରୁଛନ୍ତି। ରିପୁନାଥ ଓ ତାଙ୍କ ପୁଅ ମଧ୍ୟ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ଏହି ଉପନିର୍ବାଚନରେ ବିଜେପି ଏବଂ କଂଗ୍ରେସର ନେତାମାନେ ପରସ୍ପର ବିରୁଦ୍ଧରେ କଥା କଟାକଟିରେ ବ୍ୟସ୍ତ ଥିବା ବେଳେ ବିଜେଡି ପୂର୍ବ ଭଳି ନିର୍ବାଚନ ରଣନୀତି ପ୍ରସ୍ତୁତ କରି ପ୍ରଚାର ପାଇଁ ଅଣ୍ଟା ଭିଡିଛି। ଗୋଟିଏ ପଟେ ବିଜେପି ପାଇଁ ଅଶୋକ ପାଣିଗ୍ରାହୀ ଓ କଂଗ୍ରେସ ପାଇଁ ରିପୁନାଥ ସେଠୀ ପ୍ରତିବନ୍ଧକ ସାଜିଥିବା ବେଳେ ବିଜେଡି ବ୍ଲକ ଓ ପଂଚାୟତସ୍ଥରୀୟ କର୍ମକର୍ତ୍ତାଙ୍କୁ ତୃଣମୂଳ ସ୍ଥରରେ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିବାକୁ ଯୋଜନା କରିଥିବା ଜଣାପଡିଛି। ଆଜି (ଶୁକ୍ରବାର) କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ସମର୍ଥନରେ ସଭା କରିଛନ୍ତି। ଚଳିତ ମାସ ୨୧ରେ ବିଜେପୁରରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।

Comments are closed.