ବିଜେପୁର ଫଳାଫଳ : ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନର ଭୋଟ ଗଣତି ଏବଂ ଫଳାଫଳ ଗୁରୁବାର ପ୍ରକାଶ ପାଇବ। ସକାଳ ୮ଟାରୁ ପଦ୍ମପୁର ଆରଏମସି, ମାର୍କେଟ ୟାର୍ଡ ପରିସରରେ ଗଣତି ହେବ। ୧୪ଟି ଟେବୁଲରେ ଗଣତି କରାଯିବ। ପ୍ରଥମେ ସର୍ଭିସ ଭୋଟରଙ୍କ ଭୋଟ ଏବଂ ପୋଷ୍ଟାଲ ଭୋଟ ଗଣତି କରାଯିବ। ପ୍ରତି ଭୋଟ ଗଣତି ଟେବୁଲରେ ଜଣେ ଲେଖାଏଁ ମାଇକ୍ରୋ ଅବଜରଭର, ସୁପରଭାଇଜର, ସହକାରୀ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିବେ। ଏହାବ୍ୟତୀତ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ମଧ୍ୟ ରହିବେ। ଗଣତି କାର୍ଯ୍ୟରେ ୧୦୩ କର୍ମଚାରୀ ନିୟୋଜିତ ହେବେ। ୧୪ଟି ଗଣତି ଟେବୁଲ ମଧ୍ୟରୁ ଗୋଟିଏ ଟେବୁଲ ଭିଭିପାଟ ଗଣତି ବୁଥ ଭାବେ ରହିବ। ଗଣତି ସରିବା ପରେ ଯେକୌଣସି ୫ଟି ଭିଭିପାଟରୁ ଭୋଟ ଗଣତି କରାଯିବ। ଗଣତି ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଗଣତିକେନ୍ଦ୍ର ପରିସରରେ ମିଡିଆସେଣ୍ଟର କାର୍ଯ୍ୟ କରିବ। ମିଡିଆ ସେଣ୍ଟର ବ୍ୟତୀତ ଗଣତିକେନ୍ଦ୍ରର ଅନ୍ୟ ସ୍ଥାନରେ ମୋବାଇଲ ଫୋନ ବ୍ୟବହାର କରାଯାଇପାରିବ ନାହିଁ।

ସୂଚନା ଯୋଗ୍ୟ, ସୋମବାର ଅନୁଷ୍ଠିତ ବିଜେପୁର ଉପ ନିର୍ବାଚନରେ ୭୯.୧୭ % ମତଦାତା ମତାଧିକାର ସାବ୍ୟସ୍ତ କରିଛନ୍ତି।  ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ୭୯% ଭୋଟ ଗ୍ରହଣ ହୋଇଥିଲା। ତେବେ ୨୦୧୮ ଉପ ନିର୍ବାଚନରେ ଏଠାରେ ମତଦାନ ହାର ୮୨% ଥିଲା।

Comments are closed.