ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦିନିକିଆ ଦଳ ଘୋଷିତ

0

କଟକ : ଚଳିତମାସ ୧୯ରୁ ଆରମ୍ଭ ହେଉଛି ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି। ଏହି ଟୁର୍ଣ୍ଣାମେଣ୍ଟ ଲାଗି ୧୫ ଜଣିଆ ଓଡ଼ିଶା ଦଳ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‍ (ଓସିଏ) ଘୋଷଣା କରିଛି। ଦିଲ୍ଲୀରେ ଆସନ୍ତା ୨୦ରୁ ହେବାକୁ ଥିବା ଏଲିଟ୍‍ ଗ୍ରୁପ୍‍ ‘ବି’ର ପ୍ରଥମ ୩ଟି ମ୍ୟାଚ୍‍ ପାଇଁ ଶୁକ୍ରବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଦଳର ନେତୃତ୍ୱ ନେବେ ଗୋବିନ୍ଦ ପୋଦ୍ଦାର। ଦଳରେ ଏକାଧିକ ଯୁବ ତଥା ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ପୂର୍ବରୁ ଘୋଷିତ ୨୦ ଜଣିଆ ସମ୍ଭାବ୍ୟ ଦଳରୁ ବସନ୍ତ ମହାନ୍ତି, ଧୀରଜ ସିଂହ, ଅରବିନ୍ଦ ସିଂହ, ଆଲୋକ ମଙ୍ଗରାଜ, ଆଲୋକ ସାହୁଙ୍କ ପରି ଖେଳାଳିଙ୍କୁ ବାଦ୍‍ ଦିଆ ଯାଇଥିଲା।
ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ୧୯ ବର୍ଷରୁ କମ୍‍ ଦଳରେ ସ୍ଥାନ ପାଇଥିବା ପେସ୍‍ ବୋଲର ରାଜେଶ ମହାନ୍ତି ପ୍ରଥମ ୩ଟି ମ୍ୟାଚ୍‍ ଖେଳିପାରିବେ। ତେଣୁ ତାଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ୩ଟି ମ୍ୟାଚ୍‍ ପରେ ଦଳରେ ଗୋଟିଏ/ଦୁଇଟି ପରିବର୍ତ୍ତନ ହୋଇପାରେ। ଦଳରେ କିଛି ନୂଆ ମୁହଁ ସାମିଲ ହୋଇଛନ୍ତି। ସେମାନେ ହେଲେ ରଘୁନାଥ ମଲ୍ଲ, ରାଜେଶ ମହାନ୍ତି, ବାମହାତି ସ୍ପିନର ପପ୍ପୁ ରାୟ ଓ ପେସ୍‍ ବୋଲର ପ୍ରୀତ ସିଂହ ଚୌହାନ। ଦଳରେ ଅଧିନାୟକ ପୋଦ୍ଦାରଙ୍କ ସହ ବିପ୍ଳବ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦୀପକ ବେହେରାଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି। ସ୍ପିନ୍‍ ବୋଲିଂ ଅଲ୍‍ରାଉଣ୍ଡର ଭାବେ ଆଇପିଏଲ୍‍ ଖେଳାଳି ଅଭିଷେକ ରାଉତ ରହିଛନ୍ତି। ସୂଚନାଯୋଗ୍ୟ; ଚଳିତବର୍ଷ ଓଡ଼ିଶା ବିଜୟ ହଜାରେ ଟ୍ରଫିର ଏଲିଟ୍‍ ଗ୍ରୁପ୍‍ ‘ବି’ରେ ସ୍ଥାନପାଇଛି। ଏହି ଗ୍ରୁପ୍‍ର ସମସ୍ତ ମ୍ୟାଚ୍‍ ନୂଆଦିଲ୍ଲୀରେ ଖେଳାଯିବ। ଏହି ଗ୍ରୁପ୍‍ରେ ୯ଟି ଦଳ ଭାଗ ନେଇଛନ୍ତି। ପ୍ରତି ଦଳ ପରସ୍ପର ବିରୋଧରେ ଥରେ ଲେଖାଏଁ ଖେଳିବେ। ସେପ୍ଟେମ୍ବର ୨୦ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଓଡ଼ିଶା ପ୍ରଥମ ମ୍ୟାଚ୍‍ ଖେଳିବ। ୨୧ରେ କେରଳ, ୨୩ରେ ଉତ୍ତର ପ୍ରଦେଶ, ୨୬ରେ ଦିଲ୍ଲୀ, ୨୮ରେ ମଧ୍ୟପ୍ରଦେଶ, ଅକ୍ଟୋବର ୨ରେ ଛତିଶଗଡ଼, ଅକ୍ଟୋବର ୪ରେ ସୌରାଷ୍ଟ୍ର ଓ ଅକ୍ଟୋବର ୬ରେ ହାଇଦରାବାଦ ବିପକ୍ଷରେ ଓଡ଼ିଶା ବାକି ୭ଟି ଲିଗ୍‍ ମ୍ୟାଚ୍‍ ଖେଳିବ। ଓଡ଼ିଶାର ପ୍ରଥମ ୫ଟି ଲିଗ୍‍ ମ୍ୟାଚ୍‍ ପାଲମ୍‍ ଗ୍ରାଉଣ୍ଡରେ ଏବଂ ଶେଷ ୨ଟି ମ୍ୟାଚ୍‍ ଫିରୋଜଶାହା କୋଟ୍‍ଲା ଗ୍ରାଉଣ୍ଡରେ ଖେଳାଯିବ।
ଓଡ଼ିଶା ଦିନିକିଆ ଦଳ
ରାଜେଶ ଧୂପର, ଅନୁରାଗ ଷଡ଼ଙ୍ଗୀ, ରଘୁନାଥ ମଲ୍ଲ, ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବିପ୍ଲବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମିଶ୍ର, ସୁଜିତ ଲେଙ୍କା (ୱିକେଟ ରକ୍ଷକ), ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା, ଅଭିଷେକ ରାଉତ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ପପ୍ପୁ ରାୟ ଓ ପ୍ରୀତ ସିଂହ ଚୌହ୍ୱାନ। ମ୍ୟାନେଜର: ବିକାଶ ପ୍ରଧାନ, ପ୍ରଶିକ୍ଷକ: ରଶ୍ମିରଞ୍ଜନ ପରିଡ଼ା, ଫିଜିଓ: ଶୁଭକାନ୍ତ ସାହୁ ଓ ଟ୍ରେନର: ମନୋଜ ବିଶ୍ୱାଳ।

Leave A Reply