ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ ଡ. ବିଜୟ ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ସେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଥିବା ସୂଚନା ମିଳିଛି। ବିଜୟ କୁମାର ସାହୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଠାରେ କରୋନା ଜନିତ ଅନେକ ଜଟିଳତା ଦେଖା ଦେଇଥିଲା ଓ ସେ ଗୁରୁତର ହୋଇଯାଇଥିଲେ। ଏହାପରେ ତାଙ୍କୁ ଏକ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲକୁ ଉନ୍ନତ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ପରଲୋକ ହୋଇଯାଇଛି ବୋଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକ ସଂପର୍କ ଅଧିକାରୀ ଶରତ କର ସୂଚନା ଦେଇଛନ୍ତି।

ଡକ୍ଟର ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏଥି ସହିତ ତାଙ୍କ ପରିବାରଲୋକଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ବିଜୟ ସାହୁଙ୍କ ପ୍ରତିଭା ଏବଂ ପରାକାଷ୍ଠାକୁ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ଏବଂ ପ୍ରଶଂସନୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।


ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡ.ବିଜୟ କୁମାର ସାହୁ ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କାର ଆଣିବା ଦିଗରେ ସର୍ବଦା ପ୍ରୟାସ ଜାରି ରଖିଥିଲେ। ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ମଧ୍ୟ କାର୍ଯ୍ୟ କରିଆସୁଥିଲେ। ରାଜ୍ୟରେ ଶିକ୍ଷାଦାନରେ ଉନ୍ନତି ଆଣିବାରେ ତାଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା।

Comments are closed.