ବିଜୟ ମହାନ୍ତି : ‘କାହାପାଇଁ ସେ ବାପା, କାହା ପାଇଁ ସାର୍‌’

ଭୁବନେଶ୍ୱର : ସେ ଥିଲେ ଜଣେ ନାଟୁଆ। ଖଳ ହେଉ ଅବା ନାୟକ ଅବା ହାସ୍ୟ ଅଭିନୟ ସବୁଥିରେ ଥିଲେ ପାରଙ୍ଗମ। ତାଙ୍କ ଆବର୍ତ୍ତମାନରେ ମୁରବୀଶୂନ୍ୟ ହୋଇଗଲା ଓଲିଉଡ-ଥିଏଟର ଜଗତ। ବିଜୟଙ୍କ ଅଭିନୟ ଅଭିଯାନରେ ପୂର୍ଣ୍ଣଛେଦ ପଡ଼ିଗଲା। ସେ ସିନା ଚାଲିଗଲେ ମାତ୍ର ତାଙ୍କ ଯାଦୁକରୀ ଅଭିନୟର ଛାପ ଛାଡ଼ିଗଲେ। ଯାହା ତାଙ୍କୁ କାଳ କାଳକୁ ସ୍ମରଣୀୟ କରି ରଖିବ….।

‘ତୁ ପରା ବିଜୟ ମହାନ୍ତି, ଜଣେ ଅଧ୍ୟାପକ’

ପ୍ରଶାନ୍ତ ନନ୍ଦ, ସାଂସଦ-ଅଭିନେତା

ଚଳଚ୍ଚିତ୍ର ‘ସ୍ୱପ୍ନସାଗର’ର ସୁଟିଂ ସମୟର କଥା। ଅଭିନେତ୍ରୀ ମହା​‌େ​‌ଶ୍ୱତାଙ୍କ ସହିତ ବିଜୟର ସୁଟିଂ ଥାଏ। ହଠାତ ବିଜୟ ଆସିଲା ଏବଂ ମୋ ଆସିଷ୍ଟାଣ୍ଟକୁ କହିଲା – ଭାଇନା କୁଆଡ଼େ ଗଲେ। ମୋର ସୁଟିଂ ଅଛି, ମତେ ସ୍କ୍ରିପ୍ଟ ଦେବେ। ଡାଏଲଗ୍‌ ଏପର୍ଯ୍ୟନ୍ତ ମୁଁ ଦେଖିନି, କହିବି କେମିତି ବୋଲି ପଚାରିଥିଲା। ଏହାପରେ ମୋ ପାଖକୁ ଆସିଲା ଏବଂ ଡାଏଲଗ୍‌ ଦେବାକୁ କହିଲା। ମୁଁ ଡଙ୍ଗା ଉପରେ ବସିଥାଏ। ଦ୍ୱୀପରେ ସୁଟିଂ ହେବାର ଥାଏ। ଡଙ୍ଗା ଉପରେ ମୁଁ ସ୍କ୍ରିପ୍ଟ ଲେଖିଦେଲି ଏବଂ ଆସିଷ୍ଟାଣ୍ଟ କାର୍ବନ କପି ବିଜୟଙ୍କୁ ଧରେଇଦେଲା। ଏହାପରେ ବିଜୟ କହିଲା -ଏଡ଼େ ଲମ୍ବା ଡାଏଲଗ ମୁଁ କେମିତି କହିବି। ସେତିକିବେଳେ ମୁଁ ପଚାରିଲି ତୁ କିଏ ? ଆରେ ତୁ ପରା ବିଜୟ, ଜଣେ ଅଧ୍ୟାପକ। ୧୨ବର୍ଷ ହେଲା ଏ ଲାଇନରେ ରହିଲୁଣି। ବାସ୍‌, ଏହାପରେ ବିଜୟ ଫେରିଗଲା ଏବଂ ଗୋଟିଏ ଟେକ୍‌ରେ ସୁଟିଂ ଓକେ ହୋଇଗଲା। ଶେଷରେ ବିଜୟ ଫେରି ଆସି କହିଲା , ମୋର ଭୁଲ ହୋଇଯାଇଛି, ମୋତେ କ୍ଷମା କରିଦିଅ। ମୁଁ କହିଲି, ସମସ୍ତେ ସମସ୍ତଙ୍କଠାରୁ ଅନେକ କିଛି ଶିଖିବାର ରହିଛି।

‘ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ’

ମହା​‌​‌ଶ୍ୱେତା ରାୟ, ଅଭିନେତ୍ରୀ

ତାଙ୍କ ସହ କାମ କରିବାର ଅନୁଭୂତି ଥିଲା ନିଆରା। ‘ପତିପତ୍ନୀ’ରେ ସେ ନେଗେଟିଭ ଚରିତ୍ର, ‘ଟିକେହସ ଟିକେ ଲୁହ’ରେ ଭାଇ, ‘ସମୟ ବଡ଼ ବଳବାନ’ରେ ତାଙ୍କ ବିପକ୍ଷରେ ଏବଂ ‘ସ୍ୱପ୍ନସାଗର’ରେ ସେ ଖଳ ଭୂମିକାରେ ଅଭିନୟ କରିଥିଲେ। ସବୁଠୁ ଭଲ ଥିଲା ଶିଶିର ମିଶ୍ରଙ୍କ ନିର୍ଦେଶନାରେ ‘ବସ୍ତ୍ରହରଣ’ ଚଳଚ୍ଚିତ୍ର। ଏଥିରେ ମୁଁ ବିଜୟ ଭାଇଙ୍କ ଉଭୟ ଝିଅ ଏବଂ ପତ୍ନୀ ଭୂମିକାରେ ଅଭିନୟ କରିଥିଲି। ଏହା ମଧ୍ୟ ଏକ ସ୍ମରଣୀୟ ଚିତ୍ର ଥିଲା। ଏହାବାଦ୍‍ ‘ବୋଉ’, ‘କୁଳନନ୍ଦନ’, ‘ସାବତ ମା’ ଭଳି ଅନେକ ଚଳଚ୍ଚିତ୍ର କରିଛି। ଉଭୟ ନିଖୁଣ ଅଭିନୟ କରିଥିଲୁ। ଯେମିତି ଏକ ଭଲ ସିନ୍‌ ଦେବୁ ଏବଂ ୱାନ୍‌ ଟେକ୍‌ରେ ଓକେ ହେବ ଏହା ଥିଲା ଆମର ଲକ୍ଷ୍ୟ।

‘ସେ ଥିଲେ ମୋ ବଡ଼ଭାଇ’

ଉତ୍ତମ ମହାନ୍ତି, ଅଭିନେତା

ସେ ଥିଲେ ମୋ ବଡ଼ଭାଇ। ମତେ ଅନେକ ସୁଯୋଗ ଦେଇଛନ୍ତି। ଏନ୍‍ଏସ୍‌ଡିରୁ ସେ ପାସ୍‌ କରି ଆସିଥାନ୍ତି। ମୋର ସେହି ସମୟରେ ଗ୍ରାଜୁଏସନ ସରିଥାଏ। କଲେଜ ଡ୍ରାମାରେ ସେ ମୋତେ ପ୍ରଥମ ସୁଯୋଗ ଦେଇଥିଲେ। ଯାହା ମୋ ପାଇଁ ସ୍ମରଣୀୟ ରହିଛି। ‘ପାଚେରି ଉଠିଲା ମଝି ଦୁଆରୁ’ ଚଳଚ୍ଚିତ୍ର ସୁଟିଂ ପାଇଁ ମୁଁ, ବଡ଼ଭାଇ ବିଜୟ ମହାନ୍ତି, ଦୁଃଖୀ ଭାଇ, ଶ୍ରୀଧର ମହାନ୍ତି ମାସାଧିକ କାଳ ବିଜୟୱାଡ଼ାର ଏକ ଗାଁକୁ ସୁଟିଂ ପାଇଁ ଯାଇଥିଲୁ। ସେଠାରେ ଲୋକେ ତେଲୁଗୁ ଛଡ଼ା ଆଉ କିଛି ବୁଝୁନଥିଲେ। ଖାଇବାକୁ ହେଲେ ଆମେ ଚିତ୍ର ମାଧ୍ୟମରେ ସେଠାରେ ଥିବା ଲୋକଙ୍କୁ କହୁଥିଲୁ। ଯାହାକୁ ନେଇ ବଡ଼ଭାଇ ବିଜୟ ବେଶ୍‌ ମଜା କରୁଥିଲେ। ଯାହା ଏବେ ବି ମନେରହିଛି।

ଦ୍ରୋଣାଚାର୍ଯ୍ୟ, ଏକଲବ୍ୟ ସମ୍ପର୍କ

ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ-ଅଭିନେତା

ମୁଁ ତାଙ୍କ ପାଖରେ ବିଧିବଦ୍ଧଭାବେ ପାଠ ପଢ଼ିନାହିଁ କିନ୍ତୁ ସେ ଥିଲେ ମୋର ଅଘୋଷିତ ଗୁରୁ। ତାଙ୍କ ମୋ ଭିତରେ ଦ୍ରୋଣାଚାର୍ଯ୍ୟ ଏବଂ ଏକଲବ୍ୟ ସମ୍ପର୍କ। ତାଙ୍କ ସହିତ ଅନେକ ଚଳଚ୍ଚିତ୍ର କରିଛି। ଅନେକ କିଛି ଶିଖିଛି। ବହୁ ଚଳଚ୍ଚିତ୍ରରେ ମୋ ବାପା ଭୂମିକାରେ ସେ ଅଭିନୟ କରିଛନ୍ତି। ପରଦା ଉପରେ ସେ ଯେମିତି ପରଦା ପଛରେ ମଧ୍ୟ ସେମିତି। ପ୍ରତି ଚଳଚ୍ଚିତ୍ରରେ ଅନୁଭୂତି ନିଆରା। ମୋର ଏକ ଚଳଚ୍ଚିତ୍ର ଥିଲା ‘କଥା ଦେଇଥିଲି ମା’କୁ।’ ଯେଉଁଥିରେ ସେ ମୋ କୋଚ୍‌ ଭୂମିକାରେ ଥିଲେ। ସେଥିରେ ସେ ଅନେକ କିଛି ଶିଖାଇଥିଲେ।

‘ଅଧୁରା ରହିଲା ଆଶା’

ଅନୁ ଚୌଧୁରୀ, ଅଭିନେତ୍ରୀ

ତାଙ୍କ ସହିତ ଏକ ଚଳଚ୍ଚିତ୍ର ନିର୍ମାଣ କରିବାର ଥିଲା ଯାହା ଅଧୁରା ରହିଗଲା। ସେଇ ଚିତ୍ରରେ ମୁଁ ଲିଡ୍‌ ରୋଲରେ ଅଭିନୟ କରିଥାନ୍ତି। ସାର୍‌ ହସ୍ପିଟାଲରେ ଥିଲାବେଳେ ମଧ୍ୟ ଏକଥା କହିଥିଲେ। ମାତ୍ର ତାହା ପୂରଣ ହେଲା ନାହିଁ। ‘ଚକା ଚକା ଭଉଁରୀ’ ଚଳଚ୍ଚିତ୍ରରେ ମୁଁ ସିଦ୍ଧାନ୍ତଙ୍କ ସହିତ ଏକ ଗୀତ ଦୃଶ୍ୟ କଳିଙ୍ଗ ଷ୍ଟୁଡିଓରେ ସୁଟିଂ କରୁଥାଏ। ଯେଉଁଠି ମୁଁ ଏକ ପେପର ଧରି ସିଦ୍ଧାନ୍ତଙ୍କ ସହିତ ଧକ୍କା ହେବା ସିନ୍‍ ରହିଥିଲା। ଏହା ମଧ୍ୟ ସୁଟିଂ ହେଲା। ବିଜୟ ସାର୍‌ ବାରଣ୍ଡାରେ ବସି ଦେଖୁଥାନ୍ତି। ସୁଟିଂ ପରେ ମତେ ଡାକି ଅନ୍ୟପ୍ରକାର କରିବାକୁ କହିଲେ। ଏହାପରେ ମୁଁ ଏହି ସିନ୍‌ କଟ୍‌ କରି ନିର୍ଦେଶକଙ୍କୁ ପୁଣି ଥରେ ସୁଟ୍‌ କରିବାକୁ କହିଲି ଏବଂ ସେୟା ହିଁ ହେଲା। ପରେ କ୍ୟାମରେରେ ଦେଖିବା ପରେ ସଠିକ୍‍ ଜଣାପଡ଼ିଲା। ଏଭଳି ବ୍ୟକ୍ତିତ୍ୱ ଥିଲେ ସାର୍‌।

‘ତୋ ରାସ୍ତା ଆଗକୁ ଲମ୍ବା ରହିଛି’

ଅଶ୍ରୁମୋଚନ ମହାନ୍ତି, ଅଭିନେତା

ନୂଆକରି ଭୁବନେଶ୍ୱର ଆସିଥାଏ। ‘ଥ୍ୟାଙ୍କ ୟୁ ମିଷ୍ଟର ଗ୍ଲାଡ୍‌’ ନାଟକରେ ମୁଁ ଏକ ପାଗଳ ଚରିତ୍ରରେ ଅଭିନୟ କରିଥିଲି। ଏହି ଚରିତ୍ରଟି ତାଙ୍କୁ କାହିଁକି କେଜାଣି ଭଲ ଲାଗିଲା। ପରେ ମୋତେ ଡାକି ଆଲିଙ୍ଗନ କରି କହିଲେ ‘ତୋ ରାସ୍ତା ଆଗକୁ ଲମ୍ବା ଅଛି।’ ଏହା ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ। ସେବେଠୁ ତାଙ୍କ ପଦାଙ୍କ ଅନୁକରଣ କରିଚାଲିଛି। ‘କାଶିଆକପିଳା’ ଚିତ୍ରରେ ମୁଁ ପୁଅ ଏବଂ ସେ ମୋର ବାପା ଭୂମିକାରେ ଅଭିନୟ କରୁଥାନ୍ତି। ଏକ ସଂଳାପ ପରେ ସେ ମୋତେ ଆଲିଙ୍ଗନ କରିଥିଲେ, ଆଉ ଅନେକ ଉପଦେଶ ଦେଇଥିଲେ। ଯାହା ମୋ ଛାତିରେ ଏକ ଗାରଭାବେ ରହିଛି ଏବଂ ରହିବ। ଏତେ କମ୍‍ ବୟସରେ ଭଗବାନ ତାଙ୍କୁ କାହିଁକି ଦଣ୍ଡ ଦେଲେ ବୁଝାପଡୁନି।

‘ଗୁରୁ ଭାବେ ସାବାସି ଦେଇଥିଲେ’

ମନୋଜ ପଟ୍ଟନାୟକ, ନାଟ୍ୟନିର୍ଦେଶକ ତଥା ଅଭିନେତା

ବିଜୟ ମହାନ୍ତି ମୋ ପାଇଁ ଗୁରୁ, ଭଗବାନ, ବଡ଼ଭାଇ ଏବଂ ଜଣେ ଭଲ ବନ୍ଧୁ। ତାଙ୍କ ଲେଖା ‘ଆମରି ଭଗବାନ’ ନାଟକ ପାଇଁ ମୁଁ ଜାତୀୟସ୍ତରକୁ ଯାଇପାରିଛି। ତାଙ୍କ ବିନା ମୋ ଜୀବନ ଅଧୁରା। ଯାହାବି ପାଇଛି ମୁଁ କେବଳ ତାଙ୍କ ପାଇଁ। ଏବେ ଏବେ ଏକ ନାଟକ ମୋର ପରିବେଷିତ ହୋଇଥିଲା ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି।’ ଯାହାକୁ ଦେଖି ବିଜୟ ସାର୍‌ କହିଥିଲେ- ‘ମନୋଜ ତୁମେ ତ ଭଲ ନାଟକ ଲେଖୁଛ। ଯେତେ ବୁଢ଼ା ହେଉଛ ସେତେ ପରିପକ୍ୱ ହେଉଛ ଏବଂ ଭଲ ନାଟକ ଲେଖୁଛ।’ ଏହା ମୋତେ ବହୁତ ଆନନ୍ଦ ଦେଇଥିଲା। ପ୍ରଥମେ ମତେ ସେ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରାଇଥିଲେ।

‘ସେ ଥିଲେ ମୋ ଅନ୍‌ ସ୍କ୍ରିନ୍‌ ବାପା’

ବର୍ଷା ପ୍ରିୟଦର୍ଶିନୀ, ଅଭିନେତ୍ରୀ

ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ସିନେ ଜଗତରେ ଅନ୍‌ ସ୍କ୍ରିନ୍‌ ବାପା ଓ ଗୁରୁ ଭାବେ ମୁଁ ଗଣନା କରେ। ସବୁବେଳ ଆମକୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି। ତାଙ୍କୁ ଓଲିଉଡ୍‌ର ମହାନାୟକ ବା ବିଗ୍‌ ବି କହିଲେ ଅତୁକ୍ତି ହେବନି। ‘ତୁ ଥିଲେ ମୋ ଡର କାହାକୁ’ ଚଳଚ୍ଚିତ୍ରର ସୁଟିଂବେଳେ ଏକ ଅଭୁଲା ସ୍ମୃତି ରହିଛି। ସେ ଚଳଚ୍ଚିତ୍ରରେ ବିଜୟ ସାର୍‌ ଯେଉଁ ସୋଫାରେ ବସିଥିଲେ ସେଥିରେ ଗୋଡ଼ ରଖି ଅଭିନୟ କରିବାକୁ ମୋତେ ନିର୍ଦେଶକ କହିଥିଲେ। ତେବେ ମୁଁ ଏହା କରିବାକୁ ମନା କରିଥିଲି। କଥା ବିଜୟ ସାର୍‌ଙ୍କ ପାଖକୁ ଯାଇଥିଲା। ସେ ନିଜେ ମୋତେ ଆସି ବୁଝେଇବା ସହ କହିଥିଲେ ଏହା ଚଳଚ୍ଚିତ୍ର। ଏଥିରେ ଅଭିନୟ ସମୟରେ ମ‌େ​‌ତ ଭୁଲି ତୁମ ଅଭିନୟକୁ ଜୀବନ୍ତ କର। ସେ କହିବା ପରେ ମୁଁ ଏହି ଦୃଶ୍ୟ କରିପାରିଥିଲି।

Comments are closed.