ବିଜାତଳାରେ ବିଜେଡିର ପ୍ରଥମ ବିଜୟ

0

ଭୁବନେଶ୍ୱର : ରାଜ୍ୟବାସୀ ବିଜେଡିର ବିକାଶଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ସହଯୋଗ ଓ ସଦିଚ୍ଛା ଜଣାଇ ଆସୁଛନ୍ତି। ପ୍ରତିଟି ନିର୍ବାଚନରୁ ଏହା ପ୍ରମାଣିତ ହୋଇଛି। ସଦ୍ୟ ସମାପ୍ତ ମୟୂରଭଞ୍ଜ ଜିଲା ବିଜାତଳା ଜିଲା ପରିଷଦ ଜୋନ୍‍ ୩୨ ଏବଂ ବିଭିନ୍ନ ଜିଲାରେ ଅନୁଷ୍ଠିତ ସରପଞ୍ଚ, ସମିତି ସଭ୍ୟ ନିର୍ବାଚନ ଫଳାଫଳରୁ ଏହା ପୁଣିଥରେ ପ୍ରମାଣିତ ହୋଇଛି। ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିବା ସମସ୍ତ ଅଞ୍ଚଳର ଭୋଟରମାନଙ୍କୁ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ବିରୋଧୀ ଦଳଗୁଡ଼ିକର ସମସ୍ତ ଅପପ୍ରଚାରକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରୁଥିବା ଏହି ଉପ ନିର୍ବାଚନରୁ ସ୍ପଷ୍ଟ ହୋଇଥିବା ବିଜେଡି ଉପ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।
ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଜିଲା ଦାୟିତ୍ୱରେ ଥିବା ଦଳର ସାଧାରଣ ସମ୍ପାଦକ ଅରୁଣକୁମାର ସାହୁ କହିଛନ୍ତି, ବିଜାତଳା ଜିଲା ପରିଷଦ ଜୋନ୍‍ ପାଇଁ ଅନୁଷ୍ଠିତ ଭୋଟରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ମାଝି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ୪୨୧୨ ଭୋଟ୍‍ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି। ସେଠାରେ ମତଦାନର ୫୦% ଭୋଟ ବିଜେଡି ପ୍ରାର୍ଥୀ ଶ୍ରୀ ମାଝିଙ୍କ ସପକ୍ଷରେ ଯାଇଛି। ସେ ୮୮୭୫ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୪୬୪୩ ଓ ଜେଏମଏମ ପ୍ରାର୍ଥୀ ୨୭୬୮ ଭୋଟ ପାଇଛନ୍ତି।
ସେ କହିଛନ୍ତି, ସ୍ୱାଧୀନତା ପରଠାରୁ ବିଜାତଳା ଜିଲା ପରିଷଦ ଜୋନ୍‍ ୩୨ ଆସନ କେବେବି ତତ୍କାଳୀନ ଜନତା ଦଳ ଓ ବର୍ତ୍ତମାନର ବିଜୁ ଜନତା ଦଳ ପ୍ରାର୍ଥୀ ଜିତିପାରିନଥିଲେ। ପ୍ରଥମଥର ପାଇଁ ଉପ ନିର୍ବାଚନରେ ଏହି ଜୋନରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଛି। ଏହି ଆସନଟି ଗତ ୨ଟି ନିର୍ବାଚନରେ ବିଜେପି ଓ ତା’ପୂର୍ବରୁ ଜେଏମ୍‍ଏମ୍‍ କବ୍‍ଜାରେ ରହିଥିଲା। ଗତ ଜିଲା ପରିଷଦ ନିର୍ବାଚନରେ ବିଜେପି ୭ ହଜାର ଭୋଟ ପାଇଥିବା ବେଳେ ଜେଏମ୍‍ଏମ୍‍ ୫ହଜାର ଓ ବିଜେଡି ୩ ହଜାର ଭୋଟ ପାଇଥିଲା। ଝାଡ଼ଖଣ୍ଡରେ ବିଜେପି ସରକାର ଗଠନ କଲା ପରେ ତା’ର ପ୍ରଭାବରେ ବିଜେପି ବିଜାତଳା ଅଞ୍ଚଳରେ ସ୍ଥିତି ସୁଦୃଢ଼ କରୁଥିଲା। କିନ୍ତୁ ଏଥର ଉପ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ବିଜେଡି ସହିତ ବିଜେପି କିମ୍ବା ଅନ୍ୟ ଦଳଗୁଡିକ ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିକୋଣରୁ ଆଦୌ ତୁଳନୀୟ ନୁହନ୍ତି ବୋଲି ପ୍ରମାଣିତ ହୋଇଛି। ଏଥର ନିର୍ବାଚନରେ ଯେଉଁ ଅନୁକମ୍ପା ଭୋଟ୍‍ ପାଇବାକୁ ବିଜେପି ଆଶା ରଖିଥିଲା ତାହା ବିଜେପି ପ୍ରାର୍ଥୀଙ୍କୁ କୌଣସି ବାଟରେ ସାହାଯ୍ୟ କରିନାହିଁ। ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୟୂରଭଞ୍ଜ ମେଡିକାଲ କଲେଜ ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ଲୋକଙ୍କୁ ପ୍ରଭାବିତ କରିଛି। ଏହି ଉପ ନିର୍ବାଚନକୁ ରାଜ୍ୟବାସୀ ଅପେକ୍ଷା କରିଥିଲେ। ବିଜେପି ସବୁବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ବିଜୁ ଜନତା ଦଳକୁ ନ୍ୟୂନ କରିବାକୁ ଚାହୁଁଛି। ରାଜ୍ୟବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ। ବିଜେପିର ସମସ୍ତ ଅଭିଯୋଗ ବିଭ୍ରାନ୍ତିକର ବୋଲି ସେ କହିଛନ୍ତି।
ପାଲଲହଡ଼ା ବ୍ଲକର ନାଗିରା, ମାହାଙ୍ଗାର ବାସୁଦେବପୁର, ପୋଲସରାର ବନ୍ତପଲ୍ଲୀ, ରାୟଗଡ଼ାର କେରାଣ୍ଡି, ଭାପୁରର ବାଘୁଆପଲ୍ଲୀ, ବୋରିଗୁମ୍ମାର ବିଜାପୁର, ନନ୍ଦପୁରର ହାକିମପୁର, ବଣାଇଁଗଡ଼ ବ୍ଲକର ପିଠାଚୋରା ପଞ୍ଚାୟତ, ଢେଙ୍କାନାଳ ସଦର ବ୍ଲକର କାଇମାଟି ଓ ମଙ୍ଗଳପୁର, ଜୁନାଗଡ଼ ବ୍ଲକର ସନ୍ନ୍ୟାସୀକୁଣ୍ଡମାଳ ଓ ହାବାସପୁର ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ପଦ ପାଇଁ ଉପନିର୍ବାଚନ ଏବଂ ରେମୁଣାର ତାଳପଦା, ହିଞ୍ଜିଳିକାଟୁର ଦୁରାବନ୍ଧ, ବଡ଼ଚଣାର ଗୋପାଳପୁର, ଖଜୁରୀପଡ଼ାର ଅଡଶୀପଡ଼ା, ଉମରକୋଟର ବଡ଼କୁମାରୀ, ଲାଠିକଟା ବ୍ଲକର କୁଲାଙ୍ଗ-ବି ପଞ୍ଚାୟତ ଓ ମୁନିଗୁଡ଼ା ବ୍ଲକର ଶିବପଦର ଓ ଶରଧାପୁର ପଞ୍ଚାୟତରେ ଅନୁଷ୍ଠିତ ସମିତି ସଭ୍ୟ ଉପ ନିର୍ବାଚନରେ ବିଜୁ ଜନତା ଦଳର ସମର୍ôଥତ ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଥିବା ସେ ସୂଚନା ଦେଇଛନ୍ତି।
୨୦୧୭ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏ ପର୍ଯ୍ୟନ୍ତ ହୋଇଥିବା କୌଣସି ଗୋଟିଏ ନିର୍ବାଚନରେ ମଧ୍ୟ ବିଜେଡି ପରାଜିତ ହୋଇନାହିଁ। ଏଥିରୁ ଏକ ବଳିଷ୍ଠ ସୂଚନା ମିଳୁଛି ଯେ ଓଡ଼ିଶାବାସୀଙ୍କ ମନ ଓ ହୃଦୟରେ ବିଜେଡି ପାଇଁ ଅଶେଷ ସମର୍ଥନ ରହିଛି। ଆଗାମୀ ଦିନରେ ବିଜେଡି ହିଁ ରାଜ୍ୟର ବିକାଶଧାରାକୁ ବଜାୟ ରଖିବ ବୋଲି ଦଳର ମୁଖପାତ୍ର ସମୀରରଞ୍ଜନ ଦାଶ କହିଥିଲେ। ଏହି ସମ୍ମିଳନୀରେ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ ଏବଂ ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply