ମାଓବାଦୀଙ୍କ ଗୁଳି ମାଡ଼ରେ ସିଆରପିଏଫର ୫ ଯବାନ ସହିଦ

0

ରାୟପୁର : ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ଶନିବାର ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ସିଆରପିଏଫର ୫ ଯବାନ ସହିଦ ହୋଇଛନ୍ତି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଛତିଶଗଡ଼ ବିଜାପୁର ଜିଲା ମୁର୍ଦ୍ଦଣ୍ଡା ଜଙ୍ଗଲରେ ମାଓବାଦୀମାନ ଏହି ଆକ୍ରମଣ କରିଛନ୍ତି।
ସୂଚନା ଅନୁସାରେ ସିଆରପିଏଫ ୧୬୮ ବାଟାଲିୟନର ଯବାନମାନେ ଶନିବାର ଆଞ୍ଚଳିକ ଆଧିପତ୍ୟ (ଏରିଆ ଡୋମିନେସନ) ପାଟ୍ରୋଲିଂରେ ଯାଇଥଲେ। ମୁର୍ଦ୍ଦଣ୍ଡା ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ସେଠାରେ କେତୋଟି ବିସ୍ଫୋରଣ ଘଟିଥିଲା। ଗୁଳି ବିନିମୟରେ ୫ ଯବାନ ସହିଦ୍‍ ଓ ୨ ଜଣ ଆହତ ହୋଇଥିଲେ ବୋଲି ପୁଲିସ୍‍ ଏଏସ୍‍ପି ଦିବ୍ୟାଙ୍ଗ ପଟେଲ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜାପୁର ଜିଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ୫ ହଜାର ଅର୍ଦ୍ଧସାମରିକ ବାହନୀଙ୍କୁ ମୁତୟନ କରାଯାଇଛି। ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ କରି ନିଜ ଉପସ୍ଥିତିକୁ ଜାହିର କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୮ ବିଧାନସଭା ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୭୨ ବିଧାନସଭା ଆସନ ପାଇଁ ନଭେମ୍ବର ୨୦ରେ ଭୋଟ ଗ୍ରହଣ କରାଯିବ।

Leave A Reply