ଭାଗ୍ୟ ବଦଳାଇଲେ ‘ସାଇକେଲ ଗର୍ଲ’ ଜ୍ୟୋତି, ୧୨ ଶହ କିମି ସାଇକେଲ ଚଲାଇ ଥିଲେ ଚର୍ଚ୍ଚାରେ

-୬ଲକ୍ଷ ଟଙ୍କା, ୪ଟି ସାଇକେଲ ସହ ମିଳିଛି ଅନେକ ଉପହାର

ପାଟଣା: ନିଜ ପିତାଙ୍କୁ ୧୨୦୦ କିମି ସାଇକେଲରେ ବସାଇ ଘରକୁ ଆଣିଥିବା ବିହାରର ‘ସାଇକେଲ ଗର୍ଲ’ ଜ୍ୟୋତି ଏବେ ସବୁଆଡ଼େ ପରିଚିତ। ଏହି ଝିଅ ପାଇଁ ୬୦ ଦିନରେ ତା’ ପରିବାରର ଭାଗ୍ୟ ବଦଳିଯାଇଛି। ଜ୍ୟୋତିଙ୍କୁ ୬ଲକ୍ଷ ଟଙ୍କା ସହ ୪ଟି ସାଇକେଲ ଓ ଅନେକ ଉପହାର ମିଳିଛି।

ସିତାମଢୀ ଜିଲା ଅନ୍ତର୍ଗତ ସିରୁହୁଲିଆ ଗାଁରେ ରହୁଥିବା ୧୫ ବର୍ଷିୟା ଜ୍ୟୋତି ଗତ ମାସ ହିଁ ଚର୍ଚ୍ଚାର ପରିସରକୁ ଆସିଥିଲେ। ଯେତେବେଳେ ସେ ନିଜ ପିତାଙ୍କୁ ଗୁରୁଗ୍ରାମରୁ ଦରଭଙ୍ଗା ପର୍ଯ୍ୟନ୍ତ ସାଇକେଲରେ ବସାଇ ଆଣିଥିଲେ। ଜ୍ୟୋତିଙ୍କ ମାଆ ଫୁଲନ ଦେବୀଙ୍କ କହିବାନୁସାରେ, ସେ ଓ ଜ୍ୟୋତି ଜାନୁଆରୀରେ ଗୁରୁଗ୍ରାମ ଯାଇଥିଲେ। ତାଙ୍କ ସ୍ୱାମୀ ସେଠାରେ ଦେଢ ବର୍ଷ ହେଲା ଇ-ରିକ୍ସା ଚଲାଉଥିଲେ। ୧୦ ଦିନ ସେଠାରେ ରହି ଫେବୃଆରୀରେ ସେ ଗାଁକୁ ଫେରି ଆସିଥିଲେ କିନ୍ତୁ ଜ୍ୟୋତି ସେଠାରେ ରହିଥିଲେ। ଫୁଲନ ଦେବୀ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଗଲା। ତେଣୁ ସେ ଚାଲି ପାରୁ ନ ଥିଲେ। ଏହାପରେ ଜ୍ୟୋତି ତାଙ୍କୁ ସାଇକେଲରେ ଘରକୁ ଅର୍ଥାତ୍‍ ଦରଭଙ୍ଗା ଆଣିଥିଲେ।

ମାଆଙ୍କ କହିବାକଥା, ଜ୍ୟୋତି ଏତେ ଲମ୍ବା ବାଟ ସାଇକେଲ ଚଲାଇ ଆସିଲା, ଏହି କାରଣରୁ ଆଜି ଆମ ଘର ତିଆରି ହେଉଛି। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ସେ ଖୁବ୍‍ ପ୍ରସଂଶିତ ହୋଇଛନ୍ତି। ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି। ଏହାବ୍ୟତୀତ ଜ୍ୟୋତିଙ୍କୁ ନଗଦ ଅଢେଇ ଲକ୍ଷ ଟଙ୍କା ମିଳିବା ସହ ବାକି ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ସବୁ ମିଶି ତାଙ୍କୁ ପ୍ରାୟ ୬ ଲକ୍ଷ ଟଙ୍କା ମିଳିଛି। ଯେଉଁ ଟଙ୍କା ମିଳିଛି ସେଥିରେ ଆମ ଘର ତିଆରି ହେଉଛି ବୋଲି ଜ୍ୟୋତିଙ୍କ ମାଆ କହିଛନ୍ତି। ଖୁସିରେ ସେ ଏହା ମଧ୍ୟ କହିଛନ୍ତି ଯେ, ଜ୍ୟୋତିଙ୍କ ପାଇଁ ଏବେ ଆମକୁ ସମସ୍ତେ ଚିହ୍ନୁଛନ୍ତି।

ଜ୍ୟୋତିଙ୍କୁ ୪ଟି ସାଇକେଲ ମିଳିଛି। ଏହାସହିତ ଅଖିଳେଶ ଯାଦବ ୧ ଲକ୍ଷ, ଚିରାଗ ପାସୱାନ ୫୧ ହଜାର ଓ ତେଜସ୍ୱୀ ଯାଦବ ଜ୍ୟୋତିଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ଜ୍ୟୋତିଙ୍କ କହିବାନୁସାରେ, ଖାଇବା ପିଇବା ପାଇଁ କିଛି ନ ଥିଲା। ଘର ମାଲିକ ଘର ଛାଡ଼ିବାକୁ କହିଲା। ତେଣୁ ମୁଁ ବାପାଙ୍କୁ କହିଲି ଚାଲ, ମୁଁ ତୁମକୁ ନେଇଯିବି। ପ୍ରଥମେ ବାପା ରାଜି ହେଉ ନ ଥିଲେ କିନ୍ତୁ ଆଉ କିଛି ରାସ୍ତା ନ ପାଇ ଶେଷରେ ସେ ଆସିବାକୁ ରାଜି ହୋଇଗଲେ। ସକାଳ ୪ରୁ ରାତି ୧୦ଟା ଯାଏ ମୁଁ ସାଇକେଲ ଚାଲାଉଥିଲି। ମଝିରେ ମଝିରେ ଅନେକ ଥର ମୋର ମନୋବଳ ଭାଙ୍ଗି ଯାଉଥିଲା। ବାପାଙ୍କୁ କହିଲି ଆଉ ସାଇକେଲ ଚଲାଇ ପାରୁନାହିଁ। ବାପା କହିଲେ, ବାହାରି ସାରିଛନ୍ତି ମାନେ ଘରେ ପହଞ୍ଚିବାକୁ ହିଁ ପଡ଼ିବ। ରାସ୍ତାରେ କେଉଁଠି ରହିବା? ଶେଷରେ ୮ ଦିନରେ ଆସି ଘରେ ପହଞ୍ଚିଲୁ। ଟଙ୍କା ଓ ସାଇକେଲ ସହିତ ଆମକୁ ଘଣ୍ଟା, ପୋଷାକ ଭଳି ଆହୁରି ଅନେକ ଉପହାର ମିଳିଛି। ସବୁ ଜିନିଷକୁ ପେଟିରେ ରଖି ଦେଇଛୁ। ନୂଆ ଘର ତିଆରି ହୋଇଯିବା ପରେ ତାକୁ ବାହାର କରିବୁ। ଜ୍ୟୋତି ଏବେ ସାଇକେଲ ଗର୍ଲ ଭାବେ ସବୁଠି ପରିଚିତ। ପିତା ମୋହନ ପାସୱାନ ଗର୍ବରେ କୁହନ୍ତି, ଜ୍ୟୋତି ଆମ ଜୀବନ ବଦଳାଇ ଦେଲା।

ସୂଚନାଯୋଗ୍ୟ, ଜ୍ୟୋତି ଏବେ ନବମ ଶ୍ରେଣୀରେ ପଢୁଛନ୍ତି। ତାଙ୍କର ଦୁଇ ଜଣ ଛୋଟ ଭାଇ ଓ ଜଣେ ସାନ ଭଉଣୀ ଅଛନ୍ତି। ଜଣେ ବଡ଼ ଭଉଣୀଙ୍କ ବିବାହ ହୋଇସାରିଛି। ସେ ନିଜ ସ୍ୱାମୀଙ୍କ ସହ ଏବେ ଜ୍ୟୋତିଙ୍କ ଘରେ ରହୁଛନ୍ତିି। ଜ୍ୟୋତି ସାଇକେଲକୁ ନେଇ ନିଜ ଭବିଷ୍ୟତ ଦେଖିଛନ୍ତି। ସେ କହିଛନ୍ତି, ମୋତେ ସାଇକେଲ ରେସ୍‍ରେ ଯିବାର ଅଛି ଓ ସେଥିରେ ହିଁ ନାଁ କରିିବି।

Comments are closed.