ଆଜି ନୀତୀଶଙ୍କ ନୂଆ ମେଣ୍ଟ ସରକାରର ଶପଥଗ୍ରହଣ; ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ, କ୍ଷମତା ବଳୟରୁ ବାଦପଡ଼ିଲା ବିଜେପି

ପାଟନା: ନୀତୀଶ କୁମାରଙ୍କ ନେତୃତ୍ବରେ ବିହାରରେ କ୍ଷମତାସୀନ ଏନଡିଏ ସରକାରର ପତନ ହୋଇଛି । ବିଜେପି ଓ ଜେଡିୟୁ ନେଇ ଗଠିତ ହୋଇଥିବା ମେଣ୍ଟରୁ ଜେଡିୟୁ ଓହରି ଯିବା ପରେ ସରକାର ଭାଙ୍ଗିଯାଇଛି । ବିଜେପି ଠାରୁ ମେଣ୍ଟ ସମ୍ପର୍କ ଛିନ୍ନ କରିବା ପରେ ନୀତୀଶ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ସହିତ ହାତ ମିଳାଇଛନ୍ତି। ନୀତୀଶଙ୍କୁ ଆରଜେଡି ସହିତ କଂଗ୍ରେସ, ସିପିଆଇ, ସିପିଆଇଏମ୍ ଆଦି ୭ଟି ଦଳ ସମର୍ଥନ କରିଛନ୍ତି। ଏହି ୭ଟି ଦଳକୁ ନେଇ ନୀତୀଶଙ୍କ ନେତୃତ୍ବରେ ଆଜି (ବୁଧବାର) ବିହାରରେ ମହାମେଣ୍ଟ ସରକାର ଗଠନ ହେବାକୁ ଯାଉଛି।

ମହାମେଣ୍ଟର ୧୬୪ ବିଧାୟକଙ୍କ ସମର୍ଥନ ପତ୍ର ସହିତ ନୀତୀଶ ଓ ତେଜସ୍ବୀ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ସରକାର ଗଠନ ନିମନ୍ତେ ଦାବି କରିଛନ୍ତି। ଦାବି ଆଧାରରେ ରାଜ୍ୟପାଳ ଫାଗୁ ଚୌହାନ ନୀତୀଶଙ୍କୁ ନୂଆ ସରକାର ଗଠନ ନିମନ୍ତେ ନିମନ୍ତ୍ରଣ କରିଛନ୍ତି । ଏହି ନିମନ୍ତ୍ରଣ ଆଧାରରେ ଆଜି ଅପରାହ୍ଣରେ ନୀତୀଶ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନୀତୀଶଙ୍କ ସହିତ ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୂଆ ସରକାରରେ ଆରଜେଡିକୁ ୧୪ ମନ୍ତ୍ରୀ ପଦ ମିଳିବାକୁ ଥିବାବେଳେ କଂଗ୍ରେସକୁ ୩ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବାବେଳେ ସରକାର ଗଠନ ପାଇଁ ୧୨୨ ଆସନ ଆବଶ୍ୟକ ।

ଆରଜେଡି ପାଖରେ ସର୍ବାଧିକ ୭୯ ବିଧାୟକ ଥିବାବେଳେ ବିଜେପି ପାଖରେ ୭୭, ଜେଡିୟୁ ପାଖରେ ୪୫, କଂଗ୍ରେସ ପାଖରେ ୧୯ ବିଧାୟକ ଅଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ସାକ୍ଷାତ କରିଥିଲେ । ତେଜସ୍ବୀ ମହାମେଣ୍ଟକୁ ନୀତୀଶଙ୍କୁ ସ୍ବାଗତ କରିଥିଲେ । ପରେ ମହାମେଣ୍ଟ ବୈଠକରେ ନୀତୀଶଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରାଯାଇଥିଲା । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ନୀତୀଶ ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଥିଲେ । ତେଜସ୍ବୀଙ୍କୁ ସାକ୍ଷାତ କାଳରେ ନୀତୀଶ କହିଥିଲେ ପଛ କଥାକୁ ଭୁଲି ଯାଇ ବିହାରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ।

ବିଜେପି ଠାରୁ ପୃଥକ୍‌ ହେବା ସମ୍ପର୍କରେ ନୀତୀଶ କହିଛନ୍ତି ଯେ ଦଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକମାନେ ଏହା ଚାହଁୁଥିଲେ। ତେଜସ୍ବୀ କହିଛନ୍ତି ଯେ ବିହାରରେ ବିଜେପିର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ। ବିଜେପି ଲୋକଙ୍କୁ ଟଙ୍କା ଦେଇ କିଣିବା କିମ୍ବା ଭୟଭୀତ କରିବା ଜାଣିଛି । ମେଣ୍ଟ ସମ୍ପର୍କ ଛିନ୍ନ କରିବା ପରେ ବିଜେପି କହିଛି ଯେ ନୀତୀଶ ବିହାରବାସୀଙ୍କୁ ଧୋକା ଦେଇଛନ୍ତି । କାରଣ ୨୦୨୦ ବିଧାନସଭା ନିର୍ବାଚନରେ ବିହାରବାସୀ ବିଜେପି-ଜେଡିୟୁ ମେଣ୍ଟକୁ ଭୋଟ ଦେଇଥିଲେ। ୨୦୦୦ ମସିହାରେ ନୀତୀଶ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏଥିମଧ୍ୟରେ ସେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତକାଲି ଶପଥ ଗ୍ରହଣ କରିବେ।

 

 

Comments are closed.