ଶୌଚାଳୟ ନ ଥିବାରୁ ଶାଶୁଘର ଛାଡ଼ିଲେ ମହିଳା

ପାଟଣା : ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଟଏଲେଟ୍‍’ର କାହାଣୀ ଅନୁଯାୟୀ, ଶୌଚାଳୟ ନ ଥିବାରୁ ନାୟିକା ଶାଶୁ ଘର ଛାଡ଼ି ନିଜ ବାପଘରକୁ ପଳାଇ ଆସିଥିଲେ। ଏଭଳି ଏକ ଅବିକଳ ଘଟଣା ବିହାରର ଅମହରା ପଞ୍ଚାୟତ ଅନ୍ତର୍ଗତ ନେମଦାରଗଞ୍ଜ ଗାଁରେ ଦେଖିବାକୁ ମିଳିଛି। ଶୌଚାଳୟ ନ ଥିବାରୁ ମହିଳା ଶାଶୁଘର ଛାଡ଼ି ବାପଘରକୁ ପଳାଇବା ସହିତ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।
ଆଜ୍ଞା ହଁ, ବିହାରର ଲଖୀସରାଇ ମହିଳା ଥାନାରେ ଶୁକ୍ରବାର ଜଣେ ମହିଳା ଏପରି ଅଭିଯୋଗ କରିଛନ୍ତି। ତାଙ୍କ ଶାଶୁ ଘରେ ଶୌଚାଳୟ ନ ଥିବାରୁ ସେ ଶାଶୁଘର ଛାଡ଼ି ଚାଲିଆସିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଶାଶୁ ଘରେ ଶୌଚାଳୟ ନ ଥିବାରୁ ତାଙ୍କୁ ଶୌଚ ପାଇଁ ଖୋଲା ସ୍ଥାନକୁ ଯିବାକୁ ପଡ଼ୁଥିଲା। ଏହି କାରଣରୁ ତାଙ୍କ ଘରେ ନିୟମିତ ଝଗଡ଼ା ହେଉଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କ ଶାଶୁ ଘର ଲୋକଙ୍କୁ ଡ଼ାକି ଉଭୟ ପକ୍ଷର ସବୁକଥା ଶୁଣିଥିଲା। ଏହାପରେ ଉକ୍ତ ପଞ୍ଚାୟତର ମୁଖିଆଙ୍କ ଉପସ୍ଥିତିରେ ଶୌଚାଳୟ ତିଆରି ଲାଗି ନିଷ୍ପତ୍ତି ହେବା ପରେ ମହିଳା ଜଣକ ନିଜ ଶାଶୁ ଘରକୁ ଯିବା ପାଇଁ ରାଜି ହୋଇଥିଲେ।

Comments are closed.