ଆସନ୍ତାକାଲି ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ

ନୂଆଦିଲ୍ଲୀ: ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ ନୀତୀଶ।  ଏ ନେଇ ରବିବାର ଏନଡିଏ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଏନଡିଏ ଦଳ ନେତା ଭାବେ ନୀତୀଶଙ୍କୁ ମନୋନୀତ କରାଯାଇଛି। ଏହାପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ଏନ୍‍ଡିଏ-ଜେଡିୟୁ. ସରକାର ଗଠନ ପାଇଁ ସେମାନଙ୍କର ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ଅର୍ଥାତ ସୋମବାର ଅପରାହ୍ନରେ ଶପଥ ଗ୍ରହଣ କରିବେ ବୋଲି ନୀତୀଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବିହାରରେ ସରକାର ଗଠନ ଲାଗି ଆଜି ପାଟନାଠାରେ ନବନିର୍ବାଚିତ ଏନ୍‍ଡିଏ ବିଧାୟକଙ୍କ ବୈଠକ ବସିଥିଲା । ଏହି ବୈଠକରେ ଏନ୍‍ଡିଏ ଅନ୍ତର୍ଗତ ବିଜେପି, ଜେଡିୟୁ., ହିନ୍ଦୁସ୍ତାନୀ ଆୱମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟିର ନିର୍ବାଚିତ ସଦସ୍ୟମାନେ ଯୋଗଦେଇଥିଲେ। ନୀତିଶ କୁମାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ସରକାର ଗଠନ ନେଇ ଏନ୍‍ଡିଏ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି। ସେହି ଦୃଷ୍ଟିରୁ ରାଜ୍ୟପାଳ ସରକାର ଗଠନ ପାଇଁ ଏନ୍‍ଡିଏକୁ ଆମନ୍ତ୍ରଣ କରିବେ। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ବିଜେପି ୭୪, ଜେ.ଡି.ୟୁ. ୪୩, ହିନ୍ଦୁସ୍ତାନୀ ଆମ୍‍ ମୋର୍ଚ୍ଚା ଏବଂ ବିକାଶଶୀଳ ଇନ୍‍ସାନ୍‍ ପାର୍ଟି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ଜଣେ ସ୍ୱାଧୀନ ସଦସ୍ୟ ସୁମିତ୍‍ ସିଂହ ମଧ୍ୟ ଏନ୍‍ଡିଏକୁ ସମର୍ଥନ ନେଇ ଘୋଷଣା କରିଛନ୍ତି।

Comments are closed.