ବିହାର ମନ୍ତ୍ରୀ ଦମ୍ପତ୍ତି କରୋନା ପଜିଟିଭ୍

କାଟିହାର: ବିହାର କ୍ୟାବିନେଟ୍‌ ମନ୍ତ୍ରୀ ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ ହୋଇଛନ୍ତି। ରବିବାର ସେମାନଙ୍କୁ କୋଭିଡ୍‌-୧୯ ଟେଷ୍ଟ କରାଯିବା ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। କାଟିହାର ଜିଲାର ଏକ ହୋଟେଲ୍‌ରେ ଉଭୟ ଦମ୍ପତ୍ତିଙ୍କୁ ଆଇସୋଲେସନ୍‌ରେ ରହିବାପାଇଁ ପଠାଇ ଦିଆଯାଇଛି। ଏହି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନିତିଶ କୁମାର ସରକାରଙ୍କ ପ୍ରଥମ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି।
କାଟିହାର ଜିଲାପାଳ କନ୍‌ୱାଲ୍‌ ତନୁଜ୍‌ କହିଛନ୍ତି ଯେ ଉଭୟ ମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାକୁ କୋଭିଡ୍-୧୯ ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ପଠାଯାଇଥିଲା। ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ମନ୍ତ୍ରୀ ହେଉଛନ୍ତି ପ୍ରାଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ। ତାଙ୍କର ନମୁନା ପାଟଣାରେ ପରୀକ୍ଷା କରାଯାଇଥିଲା ଏବଂ ସେ ରାଜଧାନୀ ପାଟଣାରୁ କାଟିହାର ଫେରିଥିଲେ। ଉଭୟ ମନ୍ତ୍ରୀ ଦମ୍ପତ୍ତିଙ୍କୁ ଟାଉନ୍‌ର ଏକ ହୋଟେଲ୍‌ରେ ଆଇସୋଲେସନ୍‌ରେ ରଖାଯାଇଛି। ଯେଉଁମାନେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ଏବଂ ସେମାନଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ୍‌ ପରୀକ୍ଷା ହେବ।
ମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ଜାଣିବା ପରେ ସେ କାଟିହାର ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌କୁ ଯାଇଥିଲେ। ସେଠାରୁ ଆସି ଟାଉନ୍‌ର ଏକ ହୋଟେଲ୍‌ରେ ଆସୋଲେସନ୍‌ରେ ଅଛନ୍ତି।

Comments are closed.