ବିହାରରେ ବଜ୍ର ଓ ବର୍ଷା ତାଣ୍ଡବ: ୨୪ ଘଣ୍ଟାରେ ଗଲା ୨୬ ଜୀବନ

ବିହାରରେ କରୋନା ସଂକ୍ରମଣ ଅପେକ୍ଷା ଚଳିତ ସପ୍ତାହରେ ବଜ୍ରପାତରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆଜି ଅର୍ଥାତ ଗୁରୁବାର ଦିନ ପୁଣି ବର୍ଷ ଓ ବଜ୍ରପାତରେ ସେଠାରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଜିଲ୍ଲାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ବଜ୍ରପାତରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଟନାରେ ୬ ଜଣ, ପୂର୍ବ ଚମ୍ପାରଣରେ ୪ ଜଣ, ସମସ୍ତିପୁରରେ ୭ ଜଣ, କତିହାରରେ ୩ ଜଣ, ଶିବରରେ ୨ ଜଣ ଏବଂ ମାଧେପୁରା, ପୂର୍ଣ୍ଣିଆ ଏବଂ ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିହାରରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ସମ୍ଭାବନା ଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ବିହାରର ବିଭିନ୍ନ ଜିଲ୍ଲାରେ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜୁନ୍ ୨୬ରେ ୯୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ରାଜ୍ୟରେ ପ୍ରଥମ କରୋନା ମାମଲା ଚିହ୍ନଟ ହେବା ପରଠାରୁ ବିହାରରେ କୋଭିଡ -୧୯ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୮ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ବଜ୍ରପାତରେ ୧୨୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

Comments are closed.