ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୩୧% ଦାଗୀ ନେତା, ୨୩%ଙ୍କ ବିରୋଧ​‌ରେ ଗୁରୁତର ମାମଲା

ବିହାର ବିଧାନସଭା ନିର୍ବାଚନ ୨୦୨୦ ରେ ରାଜନୈତିକ ଦଳଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କୌଣସି ଫରକ ପକାଇନାହିଁ । ସୁପ୍ରିମକୋର୍ଟ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଅପରାଧିକ ଛବି ଥିବା ବ୍ୟକ୍ତିମାନଙ୍କୁ ଦଳୀୟ ଟିକେଟ ନ ଦେବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳକୁ ନିର୍ଦେଶ ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ବିହାର ନିର୍ବାଚନରେ କିଛି ପ୍ରଭାବ ପକାଇ ନାହିଁ ।   ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା  ମୋଟ ୧୦୬୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୨୮ ଅର୍ଥାତ୍ ୩୧% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୨୪୪ ଅର୍ଥାତ୍ ୨୩ % ପ୍ରାର୍ଥୀଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ ।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି):  ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆରଜେଡ଼ିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ଅର୍ଥାତ୍ ମୋଟ ପ୍ରାର୍ଥୀଙ୍କ୭୩%ଙ୍କ ବିରୋଧ​‌ରେ ବିଭିନ୍ନ ଅପରାଧ ଅଭିଯୋଗ ଥିବା ବେଳେ ୨୨ ଜଣଙ୍କ ବିରୋଧରେ ଗୁରୁତର ଅପରାଧ ଘଟାଇଥିବା ଅଭିଯୋଗ ରହିଛି ।

ଭାରତୀୟ ଜନତା ପାର୍ଟି(ବିଜେପି):  ଏହି ପ୍ରସଙ୍ଗରେ ବିଜେପି ମଧ୍ୟ  ଆରଜେଡ଼ିଠାରୁ ପଛରେ ନାହିଁ । ପ୍ରଥମ ପର୍ଯ୍ୟାୟରେ ୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୨% ଅର୍ଥାତ୍ ୨୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ୧୩ ଜଣ ବିଭିନ୍ନ ଗୁରୁତର ଅପରାଧ ସହ ଜଡ଼ିତ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଲୋକ ଜନଶକ୍ତି ପାର୍ଟି (ଏଲଜେପି): ଏଲଜେପିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୫୯% ଅର୍ଥାତ୍ ୨୪ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୨୦ ଜଣ ଗୁରୁତର ଅପରାଧ ସହ ଜଡ଼ିତ ଥିବା ଅଭିଯୋଗ ହୋଇଛି ।

କଂଗ୍ରେସ: ପ୍ରଥମ ପର୍ଯ୍ୟାୟରେ  କଂଗ୍ରେସର ୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି, ଅର୍ଥାତ୍ କଂଗ୍ରେସର ୫୭% ପ୍ରାର୍ଥୀ ବିଭିନ୍ନ ଅପରାଧ ସହ ଜଡ଼ିତ ଥିବା ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ଗୁରୁତର ଅପରାଧରେ ଜଡ଼ିତ ୯ ଜଣଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

 ଜନତା ଦଳ ୟୁନାଇଟେଡ଼ (ଜେଡ଼ିୟୁ): ପ୍ରଥମ ପର୍ଯ୍ୟାୟରେ ଜେଡ଼ିୟୁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏହି ୧୫ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ଗୁରୁତର ଅଭିଯୋଗ । ଅର୍ଥାତ ଦଳର ୪୩% ପ୍ରାର୍ଥୀ ବିଭିନ୍ନ ଅପରାଧ ସହ ଜଡ଼ିତ ।

ବହୁଜନ ସମାଜ ପାର୍ଟି (ବିଏସପି): ପ୍ରଥମ ପର୍ଯ୍ୟାୟରେ ବିଏସପି ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩୧% ଅର୍ଥାତ୍ ୨୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୫ ଜଣଙ୍କ ବିରୋଧରେ ଗୁରୁତର ମାମଲା ଥିବା ଜଣାପଡ଼ିଛି ।

ମହିଳା ହିଂସା ମାମଲା : ବିହାର ବିଧାନସଭା ନିର୍ବାଚନରେ ​​ସମସ୍ତ ଦଳର ୨୯ ଜଣ ପ୍ରାର୍ଥୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସହ ଜଡିତ ମାମଲା  ରହିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ରହିଥିବା ସୂଚନା ମିଳିଛି ।

ହତ୍ୟା  ମାମଲା : ସତ୍ୟପାଠରେ ୨୧ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୦୨ ଧାରା ଅର୍ଥାତ ହତ୍ୟା ମାମଲା ରହିଥିବା ସ୍ବୀକାର କରିଛନ୍ତି । ସେହିପରି ୬୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ୩୦୭ (ହତ୍ୟା ଉଦ୍ୟମ) ଅଭିଯୋଗ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

Comments are closed.