ଭିନ୍ନ ଜାତିରେ ପ୍ରେମ ପାଇଁ ଯୁବତୀଙ୍କୁ ଗଛରେ ବାନ୍ଧି ମାଡ଼

0

ନୱାଡ଼ା : ବିହାରର ନୱାଡ଼ା ଅଞ୍ଚଳରେ ଜଣେ ୧୮ବର୍ଷର ଯୁବତୀ ଭିନ୍ନ ଜାତିର ଯୁବକଙ୍କୁ ପ୍ରେମ କରିବା ଅପରାଧରେ ପଞ୍ଚାୟତ ଆକ୍ରୋଶର ଶିକାର ହୋଇଛନ୍ତି। ଗ୍ରାମବାସୀ ତାଙ୍କୁ ଏକ ଗଛରେ ବାନ୍ଧି ସର୍ବସାଧାରଣରେ ମାଡ଼ ମାରିଛନ୍ତି। ଏ ସଂକ୍ରାନ୍ତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଲିସ ମାମଲା ହାତକୁ ନେଇଛି। ଦୁଇ ଦିନ ପୂର୍ବେ ଏଭଳି ଅନ୍ୟ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଜଣେ ମହିଳାଙ୍କୁ ଗଛରେ ବାନ୍ଧି କିଛି ଲୋକ ମାଡ଼ ମାରିବା ସହ ଲଣ୍ଡା କରିଦେଇଥିଲେ।
ଭିଡିଓ ଦୃଶ୍ୟ ଅନୁଯାୟୀ, ଯୁବତୀଙ୍କୁ ଦଉଡ଼ିରେ ଏକ ଗଛରେ ବାନ୍ଧି ଦିଆଯାଇଛି। କିଛି ବୟସ୍କ ମହିଳାଙ୍କ ସମେତ ଗ୍ରାମର କେତେକ ଲୋକ ଓ ଛୋଟ ପିଲା ସେଠାରେ ଉପସ୍ଥିତ ଅଛନ୍ତି। ଜଣେ ଲୋକ ଯୁବତୀଙ୍କ ଚୁଟି ଟାଣି ଧମକଚମକ ଦେଉଥିବାବେଳେ ଆଉ ଜଣେ ବାଡ଼ି ଧରି ପିଟିବାକୁ ଉଦ୍ୟତ ହେଉଛି। ତୃତୀୟ ବ୍ୟକ୍ତି ତାଙ୍କୁ ଧମକ ଦେବା ସହ ପାଣି ପିଇବାକୁ ଦେଉଛି। ଯୁବତୀଜଣଙ୍କ ପଞ୍ଚାୟତକୁ ଅବମାନନା କରିଥିବା ସେମାନେ ଅଭିଯୋଗ କରୁଛନ୍ତି। ବିସ୍ମୟର ବିଷୟ ହେଉଛି; ଯୁବତୀଙ୍କ ବାପା ଆକ୍ରମଣକାରୀଙ୍କୁ ସମର୍ଥନ କରିଛନ୍ତି। ‘ଝିଅ ଭିନ୍ନ ଜାତିର ଯୁବକଙ୍କୁ ଭଲ ପାଇ ଭୁଲ୍‍ କରିଛି; ଏହା ଏକ ଅପରାଧ। ସେ ଜଣେ ଅପରାଧୀ; ସେଥିପାଇଁ ତାଙ୍କୁ ଦଣ୍ଡବିଧାନ କରାଯାଉଛି ବୋଲି ଯୁବତୀଙ୍କ ବାପା କହିଛନ୍ତି।’ ସେ ଆହୁରି କହିଛନ୍ତି ଯେ ‘ଝିଅର ବିବାହ ନିଜ ଜାତିର ଜଣଙ୍କ ସହିତ ସ୍ଥିର ହୋଇଥିଲା; କିନ୍ତୁ ସେ ଏଥିରେ ରାଜି ନ ଥିବାରୁ ରାତିର ଅନ୍ଧାରରେ ଘରୁ ଲୁଚି ପଳାଇଥିଲା। ପରେ ତାକୁ ଠାବ କରାଯାଇଛି। ତାକୁ ଦଣ୍ଡିତ କରାଯିବା ଉଚିତ।’

Leave A Reply