ଏହି ଦେଶ ହେଉଛି କରୋନା ଟିକାର ସବୁଠୁ ବଡ଼ କ୍ରେତା, କିଣିଛି ୧୬୦ କୋଟି ଭାକ୍ସିନ୍‌

କରୋନା ଏକ ବିଶ୍ବ ମହାମାରୀ। ଏହାର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ର ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ଅନେକ ରାଷ୍ଟ୍ର କୋରୋନା ଟିକାର ବ୍ୟବହାର କଲେଣି। ତେବେ ଏହି ଟିକାର ସବୁଠୁ ବଡ଼ କ୍ରେତା ହେଉଛି ଭାରତ। ଭାରତ ୧୬୦ କୋଟି ଟିକା କିଣିଛି। ତେବେ ଏହି ଟିକାଗୁଡ଼ିକ କୌଣସି ଗୋଟିଏ କମ୍ପାନୀର ନୁହେଁ। ୩ଟି କମ୍ପାନୀର ଟିକା କିଣାଯାଇଛି।

Image Courtesy: mint

୧୬୦ କୋଟି ଟିକା ୮୦ କୋଟି ଲୋକଙ୍କୁ ପ୍ରଦାନ କରାଯିବ, ଯାହାଦ୍ବାରା ଦେଶର ୬୦ ପ୍ରତିଶତ ଲୋକଙ୍କୁ ସୁଫଳ ମିଳିପାରିବ। ଗୋଷ୍ଠୀ ସ୍ତରରେ ରୋଗପ୍ରତିରୋଧକ ଶକ୍ତି ବିକଶିତ କରିବାରେ ଏହି ପରିମାଣର ଟିକା ଯଥେଷ୍ଟ ବୋଲି ବୈଜ୍ଞାନିକମାନେ କହିଛନ୍ତି। ୬୦ % ଲୋକଙ୍କୁ ଟିକା ଦିଆଯିବା ଫଳରେ ସେମାନଙ୍କ ଶରୀରରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ।

Image Courtesy: HT

ଭାରତ କିଣିଥିବା ଟିକା ମଧ୍ୟରୁ ୫୦ କୋଟି ଟିକା ଅକ୍ସଫର୍ଡ ୟୁନିଭର୍ସିଟିର ଆଷ୍ଟ୍ରାଜେନେକା ଭାକ୍ସିନ ରହିଛି। ଆମେରିକୀୟ କମ୍ପାନୀ ନୋଭାଭାକ୍ସଠାରୁ ୧୦୦ କୋଟି ଟିକା କିଣିଛି। ରୁଷର ଗାମାଲେୟାର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ସ୍ଫୁଟନିକ୍‌ ଭି ଟିକାରୁ ୧୦ କୋଟି କିଣାଯାଇଛି। ଆମେରିକାସ୍ଥିତ ଡ୍ୟୁକ୍‌ ୟୁନିଭର୍ସିଟି ଗ୍ଲୋବାଲ ହେଲ୍‌ଥ ଇନୋଭେଶନ ସେଣ୍ଟର ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି।

ଭାରତ ୩ଟି କମ୍ପାନୀର ଟିକା କ୍ରୟ କରିଥିବାବେଳେ ଆମେରିକା ଏବଂ ୟୁରୋପିୟନ ୟୁନିୟନ ୬ ପ୍ରକାର ଟିକା କିଣିଛନ୍ତି। ତେବେ ଭାରତ ବିଶ୍ଵର ସବୁଠାରୁ ଅଧିକ ଟିକା କ୍ରୟ କରୁଥିବା ଦେଶ ବୋଲି ତଥ୍ୟରୁ ଜଣାପଡ଼ିଛି। ଏହା ପଛକୁ ରହିଛି ୟୁରୋପୀୟ ସଂଘ, ଯାହା ୧୫୮ କୋଟି ଟିକା କିଣିଛି। ସେହିପରି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକା ୧୦୦ କୋଟି ଟିକା କିଣିଛି।

ଜଣାଶୁଣା ଭାଇରୋଲୋଜିଷ୍ଟ ଶାହିଦ ଜମୀଲ କହିଛନ୍ତି, ଭାରତ ଦ୍ବାରା ବୁକିଂ ହୋଇଥିବା ସମସ୍ତଟିକା ଭାରତୀୟ କମ୍ପାନୀଗୁଡ଼ିକ ଦ୍ବାରା ପ୍ରସ୍ତୁତ ହୋଇଛି। ସେଥିରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ନୋଭାଭାକ୍ସକୁ ପୁଣେସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ସ୍ଫୁଟନିକ୍‌ ଭି ହାଇଦ୍ରାବାଦସ୍ଥିତ ଡକ୍ଟର ରେଡ୍ଡୀ’ ଲାବରେଟୋରୀ ଦ୍ବାରା ତିଆରି ହୋଇଛି।

Comments are closed.