ବିଏସପି ଏମପିଙ୍କ ନାଁରେ ବଳାତ୍କାର ମାମଲା; ସୁରକ୍ଷା ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଣେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିଏସପିର ନବନିର୍ବାଚିତ ଏମପି ଅତୁଲ ରାୟଙ୍କୁ ଝଟ୍‌କା ଲାଗିଛି। ଗିରଫଦାରୀରୁ ବର୍ତ୍ତିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେବା ପରେ ଏମପି ଅତୁଲଙ୍କ ପାଇଁ ଅଡୁଆ ବଢ଼ିଯାଇଛି। ଫଳରେ ଯେକୌଣସି ମୁହୂର୍ତ୍ତରେ ପୁଲିସ ତାଙ୍କୁ ଗିରଫ କରିବା ସମ୍ଭାବନା ରହିଛି।

ଉତ୍ତରପ୍ରଦେଶର ଘୋଶି ଲୋକସଭା ଆସନରୁ ଅତୁଲ ରାୟ ଚଳିତ ଥର ନିର୍ବାଚିତ ହୋଇଥିଲେ। ବାରାଣସୀର ଜଣେ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଗିରଫଦାରି ଏଡ଼ାଇବାକୁ ଅତୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ପିଟିଶନର ଶୁଣାଣି କରି ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ମେ ୧ ତାରିଖରେ ପୁଲିସ ଅତୁଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଛାତ୍ରୀ ଜଣକ ଅଭିଯୋଗରେ ଦର୍ଶାଇଥିଲେ ଯେ, ଅତୁଲ ତାଙ୍କୁ ତାଙ୍କ ପତ୍ନୀଙ୍କ ସହିତ ସାକ୍ଷାତ କରାଇବା ବାହାନାରେ ଘରକୁ ଡାକି ନେଇଥିଲେ। ପରେ ସେଠାରେ ତାଙ୍କୁ ବଳାତ୍କାର କରିଥିଲେ।

Comments are closed.