ଅଳିଆ ଆବର୍ଜନାମୟ ହେବନି ବଲାଙ୍ଗିର ସହର, ବିଜାଖମନରେ ଖୋଲିବ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର

ଅଳିଆରୁ ବାହାରିବ ଜୈବିକ ଖତ

ବଲାଙ୍ଗୀର : କୁଢ କୁଢ ମଇଳା। ବିଭିନ୍ନପଡ଼ାର ଲୋକେ ଆବର୍ଜନା ରାସ୍ତା ପାଖରେ ଫିଙ୍ଗି ଦେଉଥିଲେ। ବ୍ୟବହାର ଉପଯୋଗୀ ହୋଇ ପାରୁ ନଥିବା ସାମଗ୍ରୀ ମଧ୍ୟ ପଡୁଥିଲା। ଅଳିଆ, ଆବର୍ଜନା ପଡି ରହୁଥିବା ବେଳେ ଆବଶ୍ୟକ କର୍ମଚାରୀଙ୍କ ସମସ୍ୟା ମଧ୍ୟ ଥିଲା। କେବେ ସୁଧୁରିବ ବଲାଙ୍ଗୀର ପୌରାଞ୍ଚଳର ସ୍ଥିତି ବୋଲି ଆଲୋଚନା କରୁଥିଲେ ଲୋକେ। ପ୍ରାଥମିକ ଭାବେ ଡଷ୍ଟବିନ ପଡ଼ା ପଡ଼ାରେ ବଣ୍ଟା ଯାଇଥିଲା। ଡଷ୍ଟବିନ୍ ହରଣଚାଲ ହୋଇଗଲା। ତା’ପରେ ବିଭିନ୍ନ ପଡ଼ା ଅଞ୍ଚଳରେ ଅଳିଆ କୁଣ୍ଡବି ନିର୍ମାଣ ହେଲା। ଏହାର ସଠିକ୍ ବିନିଯୋଗ ହେଲା ନାହିଁ ଲୋକଙ୍କ ଦ୍ୱାରା। କୁଣ୍ଡରେ ଅଳିଆ, ଆବର୍ଜନା ନପକାଇ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଅଳିଆ ଫିଙ୍ଗିଲେ। ସଚେତନ କରାଯିବା ସତ୍ତ୍ବେ ବଦଳିଲା ନାହିଁ ସ୍ଥିତି। ଓଲଟି ଅଳିଆ, ଆବର୍ଜନା ହଟାଇବାରେ ପୌରପାଳିକା ବିଫଳ ହୋଇଛି ବୋଲି ଲୋକେ ସମାଲୋଚନା କରୁଥିଲେ। ତେବେ ପୌରାଞ୍ଚଳରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ କିଭଳି ପରିଚାଳନା କରାଯିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ବଲାଙ୍ଗୀର-ଟିଟିଲାଗଡ ରୋଡର ବିଜାଖମନ ନିକଟରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର କାମ ଜୋରସୋରରେ ଚାଲିଛି। ମାର୍ଚ୍ଚ ମାସ ମଧ୍ୟରେ ଏହି କେନ୍ଦ୍ର କାର୍ୟ୍ୟକ୍ଷମ ହେବ ଓ ଲୋକେ ଉପକୃତ ହେବେ ବୋଲି ଆଶା ରଖାଯାଇଛି।
ବଲାଙ୍ଗୀର ପୌରାଞ୍ଚଳରେ ପ୍ରତିଦିନ ପ୍ରାୟ ୭ଟନ୍ ଅଳିଆ ଆବର୍ଜନା ବାହାରେ। ତେବେ ବିଜାଖମନ ନିକଟରେ ବଲାଙ୍ଗିର ପୌରପାଳିକା ପକ୍ଷରୁ ଆରମ୍ଭ କରାଯାଇଛି ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର(ଏମ୍ସିସି)। ଘରକୁ ଘର ବୁଲି ତଥା ବଜାର ଅଞ୍ଚଳରୁ କର୍ମଚାରୀମାନେ ଅଳିଆ ଆବର୍ଜନା ଉଠାଇବା ପରେ ତାକୁ ନିଆଯିବ ଏମ୍ସିସିକୁ। ସେଠାରେ ୫ଟନ୍ ବିଶିଷ୍ଟ ଡମ୍ପିଂୟାର୍ଡ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରାସ୍ତା କଡ଼ରେ ଫିଙ୍ଗା ହେଉଥିବା ଭାତ, ତରକାର, ବିଭିନ୍ନ ଖାଦ୍ୟପଦାର୍ଥ, ପରିବା ବଜାରରୁ ବାହାରୁ ଥିବା ପନିପରିବା ଆବର୍ଜନା ଆଦିକୁ ରଖାଯିବ। ପର୍ୟ୍ୟାୟକ୍ରମେ ତାହା ଗୋଟିଏ ଟାଙ୍କିରୁ ଅନ୍ୟ ଟାଙ୍କିକୁ ଯିବ। ପ୍ରାୟ ୪୦ରୁ ୪୫ ଦିନ ମଧ୍ୟରେ ତାହା ଖତରେ ପରିଣତ ହେବ। ସେହି ଖତ ବଗିଚା, ନର୍ସରୀ, ତଥା ପୌରାଞ୍ଚଳରେ ଥିବା ବିଭିନ୍ନ ପାର୍କରେ ଥିବା ଗଛରେ ବ୍ୟବହାର କରାଯିବ। ଏହି ଖତକୁ ବଜାରରେ ବିକ୍ରୟ ବି କରାଯାଇପାରିବ।

ଏଥିରେ ମହିଳା ଏସ୍ଏଚ୍ଜିକୁ ସାମିଲ କରି ସେମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଅବ୍ୟହୃତ ଲୁହା, କାଚ ବୋତଲ, ପଲିଥିନ୍, ପ୍ଲାଷ୍ଟିକ୍ ଆଦି ବି ଆସି ଏମ୍ଆରଏଫ୍(ମେଟେରିଆଲ୍ ରିକୋଭରି ଫେସିଲିଟି) କେନ୍ଦ୍ରରେ ରଖାଯିବ। ଲୁହାକୁ ଗୋଟିଏ କୁଣ୍ଡରେ, କାଚକୁ ଗୋଟିଏ କୁଣ୍ଡରେ…ଏମିତି ଭାଗ ଭାଗ କରାଯିବ। ଲୁହା ଓ କାଚକୁ କବାଡି ବାଲାଙ୍କୁ ବିକ୍ରୟ କରାଯିବ। ସିମେଣ୍ଟ କାରଖାନାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ପରିଚାଳନା ପାଇଁ ବ୍ୟବସ୍ଥା ଥିବାରୁ ସିମେଣ୍ଟ କାରଖାନାକୁ ପ୍ଲାଷ୍ଟିକ ଓ ପଲିଥିନ୍ ପଠାଯିବ। ବଲାଙ୍ଗୀର ସ୍ଥିତ ବିଜାଖମନ ନିକଟରେ ନିର୍ମାଣ ଶେଷ ଅବସ୍ଥାରେ ଥିବା ଏହି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଖୁବ ଶୀଘ୍ର ଆରମ୍ଭ ହେବ। ସେହିପରି ନିଖିଳ ନଗର ଓ ଆଇଟିଆଇ ପାଖରେ ଥିବା ସରକାରୀ ଜମିରେ ମଧ୍ୟ ଆଉ ଦୁଇଟି ୫ଟନ୍ ବିଶିଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି। ଏଥିପାଇଁ ୩କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଜଣାପଡିଛି।

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବଲାଙ୍ଗିର ପୌରପାଳିକା ୧୫ ଟନ୍ କ୍ଷମତା ବିଶିଷ୍ଟ ତିନିଟି କେନ୍ଦ୍ର ଖୋଲିବାକୁ ଯାଉଛି। ବିଜାଖମନ ପ୍ରକଳ୍ପ ଶେଷ ହେବାକୁ ଥିବା ବେଳେ ଅନ୍ୟ ଦୁଇଟି ପ୍ରକଳ୍ପ ସରକାରୀ ଜମି ହସ୍ତାନ୍ତର ପରେ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ପରିପ୍ରେକ୍ଷୀରେ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ କହିଛନ୍ତି ଯେ, ଏହା ଆରମ୍ଭ ହେଲେ ଲୋକେ ଉପକୃତ ହେବେ। କେବଳ ଲୋକଙ୍କ ସହଯୋଗ ଆବଶ୍ୟକ। ଅଳିଆ ଏଣେତେଣେ ନଫିଙ୍ଗି ଓ ପ୍ଲାଷ୍ଟିକ୍ ତଥା ପଲିଥିନ୍ ପୋଡି ପରିବେଶ ପ୍ରଦୂଷଣ କରିବା ନାହିଁ। ଏଥିପାଇଁ ଲୋକେ ପୌରପାଳିକା କର୍ମଚାରୀଙ୍କୁ ଅଳିଆ ଆବର୍ଜନା ସଂଗ୍ରହ ବେଳେ ସହାୟତା କରିବା ଆବଶ୍ୟକ। ସେହିପରି ଅନେକଙ୍କ ପାଇଁ କର୍ମ ନିୟୋଜନ ତଥା ରୋଜଗାରର ମାଧ୍ୟମ ବି ପାଲଟିବ ଏହି କେନ୍ଦ୍ର ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦୀପ ମତ ଦେଇଛନ୍ତି।

Comments are closed.