ବାଇଡେନ୍‌ଙ୍କ ଦଳରେ ଆଉ ଜଣେ କାଶ୍ମୀର ବଂଶୋଦ୍ଭବ ସମୀରା ଫାଜ୍‌ଲି

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନିକ ଦଳରେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାଧାନ୍ୟ ବଢ଼ିଚାଲିଛି। ଅଦ୍ୟାବଧି ୧୧ ଭାରତୀୟ ବଂଶୋଦ୍ଭବଙ୍କୁ ସେ ବିଭିନ୍ନ ଦାୟିତ୍ବ ପ୍ରଦାନ କରିସାରିଲେଣି। ସଦ୍ୟତମ ଭାବେ କାଶ୍ମୀର ଜନ୍ମିତ ସମୀରା ଫାଜ୍‌ଲିଙ୍କୁ ସେ ନ୍ୟାସନାଲ ଇକୋନୋମିକ୍‌ କାଉନସିଲ (ଏନଇସି)ର ଉପନିର୍ଦେଶିକା ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମାଙ୍କ ପ୍ରଶାସନିକ ଦଳରେ ସମୀରା ଏନଇସିର ବରିଷ୍ଠ ଉପଦେଷ୍ଟା ଭାବେ ଟ୍ରେଜେରି ବିଭାଗରେ କାର୍ଯ୍ୟ କରିଥିଲେ। ଫେଡେରାଲ ରିଜର୍ଭ ବ୍ୟାଙ୍କ​‌େ​‌ର ନିର୍ଦେଶିକା ଥିବା ସମୀରାଙ୍କୁ ସମ୍ପ୍ରତି ଏନଇସିରେ ନିର୍ମାଣ, ନୂଆ ସର୍ଜନା ତଥା ଘରୋଇ ପ୍ରତିଯୋଗିତା ଦାୟିତ୍ବ ଦିଆଯାଇଛି। ହାର୍ଭାର୍ଡ ଓ ୟା​ଲେ ଲ’ ସ୍କୁଲରୁ ଶିକ୍ଷାଗ୍ରହଣ କରିଥିବା ସମୀରା ଅଧ୍ୟାପିକା ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପୂର୍ବରୁ କାଶ୍ମୀରର ମୂଳ ବାସିନ୍ଦା ଆୟଶା ଶାହାଙ୍କୁ ହ୍ବାଇଟ୍‌ ହାଉସ୍‌ର ଡିଜିଟାଲ ରଣନୀତି ବିଭାଗରେ ପାର୍ଟନରସିପ୍‌ ମ୍ୟାନେଜର ପଦରେ ନିଯୁକ୍ତି ଦେଇଥିଲେ।

Comments are closed.