ବିଡେନ୍‌ -ଟ୍ରମ୍ପ: କାହା ସ୍ଲୋଗାନ୍‌ର ଦମ୍‌ କେତେ

ୱାଶିଂଟନ୍ : ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକର ସ୍ଲୋଗାନ୍‌କୁ ନେଇ ସବୁ ସମୟରେ ଚର୍ଚ୍ଚା ହୋଇଥାଏ। ଏହି ସ୍ଲୋଗାନ୍‌ଗୁଡ଼ିକ ଖୁବ୍ କ୍ଷୁଦ୍ର ହୋଇପାରେ; କିନ୍ତୁ ପ୍ରଭାବଶାଳୀ। ମତଦାତାଙ୍କୁ ଏହା ବେଶ୍‌ ପ୍ରଭାବିତ କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏମିତି କିଛି ଚର୍ଚ୍ଚିତ ସ୍ଲୋଗାନ୍‌ ରହିଛି; ଯାହା ପ୍ରାର୍ଥୀଙ୍କ ବିଜୟର ପ୍ରମୁଖ ଆଧାର ପାଲଟିଥିବା କୁହାଯାଏ। ଚଳିତ ନିର୍ବାଚନରେ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଲୋଗାନ୍‌ ହେଉଛି ‘ମେକ୍‌ ଆମେରିକାନ୍‌ ଗ୍ରେଟ୍‌ ଏଗେନ୍‌’ (ଆମେରିକୀୟ ପୁନଃ ମହାନ କର)। ଏହି ସ୍ଲୋଗାନ୍‌ ୧୯୮୦ରେ ନିଜ ଦଳର ପ୍ରାର୍ଥୀ ରୋନାଲ୍ଡ ରେଗନ ଦେଇଥିଲେ ଓ ସହଜରେ ବିଜୟୀ ହୋଇଥିଲେ। ରେଗନ୍‌ କହିଥିଲେ, ‘ଲେଟ୍‌ ଅସ୍‌ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’। ସେହିପରି ୨୦୧୬ରେ ଟ୍ରମ୍ପଙ୍କ ସ୍ଲୋଗାନ୍‌ ଥିଲା ‘ଆମେରିକା ଫାଷ୍ଟ’। ୧୯୨୦ରେ ତାଙ୍କ ଦଳର ପ୍ରାର୍ଥୀ ୱାରେନ୍‌ ହାର୍ଡିଂ ଏହି ସ୍ଲୋଗାନ୍‌ ଦେଇ ସଫଳତା ହାସଲ କରିଥିଲେ। ଟ୍ରମ୍ପ ପୁନଶ୍ଚ ପୁରୁଣା ସ୍ଲୋଗାନ୍‌କୁ ଏଥର ଦୋହରାଇଛନ୍ତି। ଏଥର ସେ ‘ପ୍ରମିଜେସ୍‌ ମେଡ୍‌, ପ୍ରମିଜେସ୍‌ କେପ୍ଟ’ ବୋଲି ସ୍ଲୋଗାନ୍‌ ଦେଉଛନ୍ତି। ପ୍ରତିଦ୍ବନ୍ଦ୍ବୀ ବିଡେନ୍‌ଙ୍କ ସ୍ଲୋଗାନ୍‌ ହେଉଛି ‘ରିଷ୍ଟୋର ଦି ସୋଲ୍‌ ଅଫ୍‌ ଆମେରିକା, ଆୱାର ବେଷ୍ଟ ଡେଜ୍‌ ଷ୍ଟିଲ ଲାଇଜ୍‌ ଆହେଡ। ଦିସ୍‌ ଇଜ୍‌ ଆମେରିକା, ଉଇ ଆର ଆମେରିକା’।

ଲୋକପ୍ରିୟ ରାଷ୍ଟ୍ରପତି ବରାକ୍‌ ଓବାମା ୨୦୦୮ରେ ‘ୟେସ୍‌ ଉଇ କ୍ୟାନ୍‌’ ବୋଲି ସ୍ଲୋଗାନ୍‌ ଦେଇ ବିପୁଳ ବିଜୟ ହାସଲ କରିଥିଲେ। ସେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଥିଲେ। ସେ ନିଜ ଦ୍ବିତୀୟ ପାଳିରେ ‘ଚେଞ୍ଜ ଉଇ କ୍ୟାନ୍‌ ବିଲିଭ୍‌ ଇନ୍‌’ ବୋଲି କହୁଥିଲେ। ସେ ଥିଲେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି। ତାଙ୍କ ପୂର୍ବସୂରି ଜର୍ଜ ଡବ୍ଲ୍ୟୁ ବୁଶ୍‌ (ରିପବ୍ଲିକାନ୍‌) ୨୦୦୪ରେ ସ୍ଲୋଗାନ୍‌ ଦେଇଥିଲେ ‘ଏ ସେଫର ୱର୍ଲଡ ଆଣ୍ଡ ମୋର୍‌ ହୋପ୍‌ଫୁଲ ଆମେରିକା’। ତାଙ୍କ ଦ୍ବିତୀୟ ପାଳିରେ ବୁଶ୍‌ ଆତଙ୍କବାଦକୁ ପ୍ରସଙ୍ଗ କରିଥିଲେ। ଏହା ପୂର୍ବରୁ ଡେମୋକ୍ରାଟ୍‌ ବିଲ୍‌ କ୍ଲିଣ୍ଟନଙ୍କ ସ୍ଲୋଗାନ୍‌ ମଧ୍ୟ ପ୍ରଭାବଶାଳୀ ଥିଲା। ସେ ୧୯୯୨ରେ ‘ଫର ପିପୁଲ, ଫର ଏ ଚେଞ୍ଜ’ ଏବଂ ‘ଇଟ୍‌ ଇଜ୍‌ ଦି ଇକୋନୋମି ଷ୍ଟୁପିଡ’ ବୋଲି କହି ଅାର୍ଥିକ ମାନ୍ଦାବସ୍ଥାରୁ ଦେଶକୁ ଉଦ୍ଧାର କରିବାର ପ୍ରତିଶ୍ରୁତି ଦେଇଥିଲେ ଓ ସଫଳ ହୋଇଥିଲେ। ସେହିପରି ୧୯୮୦ରେ ରେଗନଙ୍କ ସ୍ଲୋଗାନ୍‌ ପ୍ରଥମେ ଉଲ୍ଲେଖ କରାଯାଇଛି। ୧୯୭୬ରେ ଗେରାଲ୍ଡ ଫୋର୍ଡ ‘ହାପି ଡେଜ୍‌ ଆର ହିୟର ଏଗେନ୍‌ ୱିଥ୍‌ ଫୋର୍ଡଜି’ ବୋଲି ସ୍ଲୋଗାନ୍‌ ଦେଇଥିଲେ।

୧୯୭୨ରେ ରିପବ୍ଲିକାନ୍‌ ରିଚାର୍ଡ ନିକ୍ସନଙ୍କ ସ୍ଲୋଗାନ୍‌ ଥିଲା ‘ନାଓ ମୋର ଦ୍ୟାନ୍‌ ଏଭର’। ତାଙ୍କର ବିଜୟ ସମ୍ଭାବନା କମ୍ ଥିଲେ ମଧ୍ୟ ଏହି ସ୍ଲୋଗାନ୍‌ ନିକ୍ସନଙ୍କୁ ବିପୁଳ ବିଜୟ ଦେଇଥିଲା। ୧୯୬୪ରେ ରିପବ୍ଲିକାନ୍‌ ବ୍ୟାରି ଗୋଲ୍ଡୱାଟର ‘ଇନ୍‌ ୟୋର ହାର୍ଟ, ୟୁ ନୋ ହି ଇଜ୍‌ ରାଇଟ୍‌’ ସ୍ଲୋଗାନ୍‌ ଦେଇଥିଲେ। ଏହା ‘ସିଭିଲ ରାଇଟ୍‌’ ବିରୋଧରେ ଅଭିପ୍ରେତ ଥିଲା। ୧୯୫୨ରେ ରିପବ୍ଲିକାନ୍‌ ଡ୍ବିଟ୍‌ ଏସେନ୍‌ହୋୟର ‘ଆଇ ଲାଇଗ୍‌ ଇକେ’ ସ୍ଲୋଗାନ୍‌ ଦେଇ ବିଜୟୀ ହୋଇଥିଲେ। ତାଙ୍କ ଡାକ ନାମ ଥିଲା ଇକେ। ପ୍ରଥମ ଥର ପାଇଁ ସେ ଟିଭି ବିଜ୍ଞାପନରେ ନିଜର ପ୍ରଚାର କରିଥିଲେ। ୧୯୪୮ରେ ଡେମୋକ୍ରାଟ୍‌ ହ୍ୟାରୀ ଟ୍ରୁମ୍ୟାନ୍‌ ‘ଦି ବକ୍‌ ଷ୍ଟପ୍ସ ହିୟର’ ସ୍ଲୋଗାନ୍‌ ପାଇଁ ବିଜୟୀ ହୋଇଥିଲେ। ସେ ‘ଆଇ ଆମ୍‌ ଜଷ୍ଟ ୱାଇଲ୍ଡ ଆବାଉଟ୍‌ ହ୍ୟାରୀ’ ବୋଲି ମଧ୍ୟ ପ୍ରଚାର କରୁଥିଲେ। ୧୯୩୨ରେ ତାଙ୍କ ଦଳର ହର୍ବର୍ଟ ହୁବର ‘ପ୍ଲେ ସେଫ୍‌ ୱିଥ୍‌ ହୁବର’ ବୋଲି ଆହ୍ବାନ ଦେଇ ବିଜୟଲାଭ କରିଥିଲେ। ତାଙ୍କ ପୂର୍ବରୁ ଡେମୋକ୍ରାଟ୍‌ ଅଲ୍‌ ସ୍ମିଥ୍‌ ‘ମେକ୍‌ ୟୋର ୱେଟ୍‌ ଡ୍ରିମ୍‌ କମ୍ ଟ୍ରୁ’ ବୋଲି କହି ଜିତିଥିଲେ। ୱେଟ୍‌; ଅର୍ଥାତ୍‌ ମଦ୍ୟପାନ ନିଷେଧ ନୀତିକୁ ସେ ବିରୋଧ କରୁଥିବା ଦର୍ଶାଇଥିଲେ; ଯାହାକୁ ଆମେରିକାବାସୀ ଗ୍ରହଣ କରିଥିଲେ।

Comments are closed.