ବାଇଡେନ ଦୁର୍ବଳ; ଚୀନ ବିରୋଧରେ ଯୁଦ୍ଧ କରିପାରନ୍ତି

ଜିନ୍‌ପିଙ୍ଗଙ୍କ ବୈଦେଶିକ ନୀତି ପରାମର୍ଶଦାତାଙ୍କ ଆଶଙ୍କା

ବେଜିଂ : ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଜଣେ ଦୁର୍ବଳ ରାଷ୍ଟ୍ରପତି ହେବେ। ନିଜର ଦୁର୍ବଳତା ଘୋଡ଼ାଇବା ପାଇଁ ସେ ଚୀନବିରୋଧୀ ଆଭିମୁଖ୍ୟ ପୋଷଣ କରିବେ; ଏମିତିକି ସେ ଚୀନ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି। ଏଭଳି ମତ ରଖିଛନ୍ତି ଚୀନର ଆଡଭାନ୍ସଡ ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଆଣ୍ଡ କନ୍‌ଟେମ୍ପୋରାରି ଚାଇନିଜ୍ ଷ୍ଟଡିଜର ଡିନ ଝେଙ୍ଗ ୟଙ୍ଗନିଆନ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ପ୍ରକାଶ ପାଇଥିବା ଚୀନ ବିରୋଧୀ ହାୱାରାରୁ ବାଇଡେନ୍‌ ଫାଇଦା ଉଠାଇବେ। ହ୍ବାଇଟ ହାଉସରେ ପ୍ରବେଶ ପରେ ସେ ଦେଶର ଘରୋଇ ସମସ୍ୟାଗୁଡ଼ିକର ସମାଧାନ କରି ନ ପାରିଲେ ନିଜର ଦୁର୍ବଳତା ପଦାରେ ପଡ଼ିବ। ଏହାକୁ ଘୋଡ଼ାଇବା ପାଇଁ ସେ ଚୀନ ବିରୋଧୀ ପଦକ୍ଷେପ ନେବେ ବୋଲି ୟଙ୍ଗନିଆନ କହିଛନ୍ତି। ବାଇଡେନ୍‌ ସରକାର ଗଠନ କରିବା ପରେ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ସୁଧୁରିବ ବୋଲି ଯେଉଁ ଆକଳନ କରାଯାଉଛି ତାହା ଭୁଲ ବୋଲି ସେ ମତ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ବାଇଡେନ୍‌ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଜଣେ ‘ହିଂସୁକ ବ୍ୟକ୍ତି’ ଭାବେ ସମାଲୋଚନା କରିଥିଲେ; ତେଣୁ ବାଇଡେନ୍‌ଙ୍କ ଅମଳରେ ଦୁଇ ଦେଶ ମଧ୍ୟରେ ତାରକା ଯୁଦ୍ଧ ଜୋର୍‌ ଧରିବ। ଏତଦ୍‌ ବ୍ୟତୀତ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ମଧ୍ୟ ଉଗ୍ର ହେବ ବୋଲି ସେ ଆକଳନ କରିଛନ୍ତି। ଆମେରିକା କଂଗ୍ରେସରେ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରାଟ ସଦସ୍ୟ ଚୀନ ବିରୋଧୀ ୩୦୦ ବିଧେୟକକୁ ସମର୍ଥନ କରିଥିବା ସେ ଚେତାଇ ଦେଇଛନ୍ତି। ଏଥିସହିତ ଆମେରିକାର ମୁକାବିଲା ପାଇଁ ଚୀନ ପ୍ରସ୍ତୁତ ରହିବା ଉଚିତ ଏବଂ ଆମେରିକା ବିରୋଧୀ କୌଣସି ସୁଯୋଗ ହାତଛଡ଼ା ନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ୟଙ୍ଗନିଆନ ଚୀନ ସରକାରଙ୍କର ଅନ୍ୟତମ ପରାମର୍ଶଦାତା ଥିବାରୁ ତାଙ୍କ ମତକୁ ଗୁରୁତ୍ବ ଦିଆଯାଉଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ୟଙ୍ଗନିଆନଙ୍କ ସାକ୍ଷାତକାର ଭିତ୍ତିକ ରିପୋର୍ଟରେ ଦର୍ଶାଯାଇଛି ଯେ ଶୀତଳ ଯୁଦ୍ଧ ସମର୍ଥକମାନେ ଏବେ ଆମେରିକାରେ ସକ୍ରିୟ ଥିବାରୁ ଚୀନ ସତର୍କତା ଅବଳମ୍ବନ କରିବା ଉଚିତ।

Comments are closed.