ପୌରପାଳିକାର ଦେଖାନାହିଁ ; ଜିଲାପାଳ,ଏସପି ଗଲେ କୁଆଡେ?

ବିଭୂତିପଡା ଶ୍ମଶାନରେ ଶବ ପୋଡିବାକୁ ପଡାବାସୀଙ୍କ ବିରୋଧ

ବଲାଙ୍ଗିର : ବଲାଙ୍ଗିର ସହରର ବିଭୂତିପଡା ଶ୍ମଶାନରୁ ଶବକୁ ଫେରାଇ ଦିଆଯାଉଛି। ଶବଦାହ କରିବାକୁ ଆସିଥିବା ଲୋକେ ଶବଦାହ କରିନପାରି ଫେରି ଯାଉଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏମିତି ଅନେକ ଲୋକଙ୍କୁ ଶ୍ମଶାନ ଦୂଆର ମୁହଁରୁ ଫେରାଇ ଦିଆଯାଉଥିବା ଗୁରୁତର ଅଭିଯୋଗ ହେଉଛି। ତେବେ ଶବକୁ କେହି ଅସମ୍ମାନ କରିପାରିବେ ନାହିଁ ବୋଲି କଡାକଡି ନିର୍ଦ୍ଦେଶ ଥିବା ବେଳେ ବଲାଙ୍ଗିରରେ ଖୋଲାଖୋଲି ଆଇନର ଉଲଂଘନ କରାଯାଉଛି।

ବଲାଙ୍ଗିର ସହରର ବିଭୂତିପଡା। ପଡା ଭିତରେ ରହିଛି ସ୍ୱର୍ଗଦ୍ୱାର(ଶ୍ମଶାନ)। ଏଠି କାହିଁ କେତେ ଦିନରୁ ଶଶ୍ମାନ ରହିଥିବା ବେଳେ ଏଠି ବଲାଙ୍ଗିର ସହରର ଲୋକେ ଶବଦାହ କରି ଆସୁଛନ୍ତି। ଏପରିକି ଅଜଣା ଶବକୁ ବିଭିନ୍ନ ସାମାଜିକ ସଙ୍ଗଠନ ପୁଲିସ, ପୌର ଅଧିକାରୀ, ପ୍ରଶାସନିକ ଅଧିକାରଙ୍କ ଉପସ୍ଥିତିରେ ଶବଦାହ କରାଯାଇଛି। ପୂର୍ବରୁ କେବେ ବି ବିରୋଧ ହୋଇନଥିଲା। ହେଲେ କରୋନା କାଳରେ ଯେ କୌଣସି ଶବ ଆସିଲେ ପଡାବାସୀ ତୀବ୍ର ବିରୋଧ କରିବା ଆରମ୍ଭ କରିଦେଇଛନ୍ତି ବିଭୂତି ପଡା ଶ୍ମଶାନରେ ପୋଷ୍ଟର ମରାଯିବା ସହ ଲୋକେ ଜଗି ରହୁଛନ୍ତି। ଯିଏ ଶବ ଧରି ଆସିଲେ ଫେରାଇ ଦେଉଛନ୍ତି। ଲୋକଙ୍କ କହିବା କଥା ହେଲା, ଆମେ ଆଗରୁ କେବେ ଶବଦାହ ପାଇଁ ବିରୋଧ କରିନାହୁଁ। ଆମ ଭିତରେ ବି ମଣିଷ ପଣିଆ ଅଛି। ହେଲେ ପ୍ରଶାସନ କରୋନା ପରିଚାଳନାରେ ଫେଲ ମାରିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶବକୁ ଆଣି ପୋଡାଯାଉଛି। ସେଥିରୁ ବାହାରୁ ଥିବା ଧୂଆଁ ଆମ ପାଇଁ କ୍ଷତିକାରକ ହେଉଛି। ଆମେ ଖୁବ ଭୟଭୀତ ଅଛୁ। ଯଦି ଏମିତି ଚାଲେ ତାହା ହେଲେ ଆମ ପଡାବାସୀ ମଧ୍ୟ କରୋନା ଆକ୍ରାନ୍ତ ହେଲେ କିଏ ଦାୟୀ ରହିବ। ରାଜ୍ୟ ସରକାର, ବଲାଙ୍ଗିର ଜିଲା ପ୍ରଶାସନ, ପୌର ପ୍ରଶାସନ କରୋନା କାଳରେ ହାତ ଟେକି ଦେଇଥିବା ବେଳେ ସେଭଳି କିଛି ପଦକ୍ଷେପ ନେଇ ନାହାନ୍ତି। ପଡାକୁ ସଫା ସୁତୁରା ରଖାଯାଉ ନାହିଁ। ଶବ ପୋଡି ପରେ ପାଉଁଶ ପରିଚାଳନାରେ ଯେଉଁ ଭଳି ଭାବେ ହେବା କଥା ହେଉ ନାହିଁ। କେଉଁ ଆଧାରରେ ଆମେ ବିଶ୍ୱାସ କରିବୁ ବୋଲି କହିଛନ୍ତି। ଯେତେ ଯାହା ହେଲେ ମଧ୍ୟ ଆମେ ଏଠି ଶବଦାହ କରି ଦେବୁ ନାହିଁ ବୋଲି ପଡାବାସୀ ରୋକଠୋକ ମନା କରି ଦେଇଛନ୍ତି।

ଅନ୍ୟପକ୍ଷରେ ଯେଉଁମାନଙ୍କ ଶବ କରୋନାରେ ଆକ୍ରାନ୍ତ ହୋଇନଥିଲେ ମଧ୍ୟ ସେମାନଙ୍କୁ ଅନେକ ଦୂର ଯାଇ ଶବଦାହ କରିବାକୁ ପଡୁଛି। ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ଶବକୁ ଅସମ୍ମାନ କରାଯିବ ନାହିଁ ବୋଲି ସରକାରୀ ଗାଇଡ ଲାଇନ ରହିଛି। ତାହା ପୁଣି ପୌରପରିଷଦ ଅଧିନରେ ଶ୍ମଶାନ ଥିଲେ ମଧ୍ୟ ତାକୁ ଲୋକଙ୍କ ଜରୁରୀ ସମୟରେ ଖୋଲାନଯିବାକୁ ଶବଦାହ ପାଇଁ ଆସୁଥିବା ପରିବାରମାନେ ବିରୋଧ କରିଛନ୍ତି। ସରକାରୀ ବାବୁମାନେ ଏ ନେଇ ଚୁପ୍ ପଡିବା ପରିତାପର ବିଷୟ ବୋଲି ଅଭିଯୋଗ ହେଉଛି। ଯଦି ଶ୍ମଶାନରେ କରୋନା ରୋଗୀଙ୍କୁ ଶବଦାହ କରାଯିବ ନାହିଁ। ତାହା ହେଲେ ସେହି ଶବମାନଙ୍କ ପାଇଁ ସସମ୍ମାନରେ ଅନ୍ୟତ୍ର ଶବଦାହ କରିବାର ବ୍ୟବସ୍ଥା କରାଯିବା କଥା। ଏଥିପାଇଁ ଗଲା ୬ ମାସ ମଧ୍ୟରେ ପୌରପାଳିକା ପକ୍ଷରୁ କି କି ବ୍ୟବସ୍ଥା କରାଯାଇଛି ତାହା ଜବାବ ରଖନ୍ତୁ ବୋଲି ଦାବି ହେଉଛି। ଏଭଳି ଅଭିଯୋଗ ହେଲା ପରେ ମଧ୍ୟ ପୌର ପ୍ରଶାସନ ଚୁପ୍ ହୋଇ ହାତ ବାନ୍ଧି ବସିଥିବା ବେଳେ ଜିଲାପାଳ ଓ ଏସପି କୁଆଡେ ଗଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏ ନେଇ ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ପ୍ରତିକ୍ରିୟା ଲୋଡାଯିବାରୁ ସ୍ଥାନୀୟ ଲୋକଙ୍କ ଦାବି ସମ୍ପର୍କରେ ଅବଗତ ଅଛୁ। ସହର ବାହାରେ କରୋନା ଆକ୍ରାନ୍ତ ମୃତ ବ୍ୟକ୍ତିଙ୍କ ଶବଦାହ ପୁଲିସ ଉପସ୍ଥିତିରେ କରାଯାଉଛି। ଯଦି କୌଣସି ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରଶାସନର ସହଯୋଗ ନେଇପାରିବେ ବୋଲି ସେ କହିଛନ୍ତି।

Comments are closed.