ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଦିତ୍ୟ ପ୍ରତାପଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ : ହିନ୍ଦ ମଜଦୁର ସଂଘର ରାଜ୍ୟ ଯୁବ ସଂଯୋଜକ ତଥା ନବନିର୍ବାଚିତ ଆରତୀ କାରଖାନା କର୍ମଚାରୀ ସଂଘର ସଭାପତି ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରମିକ ସଂଗଠନର କର୍ମକର୍ତ୍ତା,ସଦସ୍ୟ ଓ ଆଠଗଡର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଏକ ପଟୁଆରରେ ତାଙ୍କୁ  ଆରତୀ କାରଖାନା ପରିସରକୁ ପାଛୋଟି ଆଣିଥିଲେ। କାରଖାନାର ସଭାପତି ଏଲଟିପି ନାରାୟଣ ନବନିର୍ବାଚିତ ସଭାପତି ଶ୍ରୀ ସ୍ୱାଇଁଙ୍କୁ କାରଖାନା ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାରଖାନା ଫାଟକ ନିକଟରେ ଆୟୋଜିତ ଏକ ସଭାରେ ଶ୍ରୀ ସ୍ୱାଇଁ କହିଥିଲେ ହିନ୍ଦ୍ ମଜଦୁର ସଂଘ ଶ୍ରମିକମାନଙ୍କ ଦ୍ୱାରା ସୃଷ୍ଟି, ଶ୍ରମିକଙ୍କ ହିତ ପାଇଁ ସମର୍ପିତ ଓ ଶ୍ରମିକମାନଙ୍କ ବିକାଶରେ ସଂଗ୍ରାମରତ। ଉପସ୍ଥିତ ଶ୍ରମିକଭାଇମାନେ ହାତକୁ ହାତ ମିଳାଇ ଆଗକୁ ଚାଲିଲେ ନିଶ୍ଚିତ ଭାବରେ ଆମେ ସୁଦୃଢ ହେବା ସହିତ କାର୍ଯ୍ୟରତ ପ୍ରତିଷ୍ଠାନର ଶ୍ରୀବୃଦ୍ଧି କରିପାରିବା।

ଏହି ସଂଗଠନକୁ ଗଢିଥିବା ଯଶସ୍ୱୀ କର୍ମବୀରଙ୍କୁ ମନେପକାଇ ଶ୍ରୀ ସ୍ୱାଇଁ ପ୍ରଣିପାତ କରିବା ସହ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ନୀତି ଆଜି ଅଭାବୀ ମଣିଷର ମେରୁଦଣ୍ଡ ଭାଙ୍ଗିଦେଇଛି, ଦରଦାମ ଆକାଶଛୁଆଁ ହୋଇଛି  ବୋଲି କହିଥିଲେ। ରାଜ୍ୟ ହିନ୍ଦ ମଜଦୁର ସଂଘର ସାଧାରଣ ସଂପାଦକ ବିରଜା କିଙ୍କର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଆରତୀ କାରଖାନାର ସଭାପତି ଶ୍ରୀ ନାରାୟଣ, ବରିଷ୍ଠ ପ୍ରବନ୍ଧକ ସରୋଜ କୁମାର ଜେନା, ହିନ୍ଦ ମଜଦୁର ସଂଘ ଜିଲ୍ଲା ସଭାପତି ଅଶୋକ କୁମାର ରାଉତ, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ଆରତୀ କାରଖାନା ଶ୍ରମିକ କର୍ମଚାରୀ ସଂଘର ଉପସଭାପତି ରଂଜିତ କୁମାର ବରାଳ, ସାଧାରଣ ସଂପାଦକ ସନ୍ତୋଷ ପ୍ରଧାନ, ଘଣ୍ଟିଖାଲ ସରପଞ୍ଚ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ସମିତି ସଭ୍ୟ ପ୍ରତିନିଧି ସରୋଜ କୁମାର ପ୍ରଧାନଙ୍କ ସହିତ ନିକଟସ୍ଥ ଟିଏସ ଆଲୟେଜ, ବିପିପିଏଲ, ମାହେଶ୍ୱରୀ, ଶ୍ରୀ ସିମେଣ୍ଟ, ଜେକେଲକ୍ଷ୍ମୀ ସିମେଣ୍ଟ କାରଖାନାର ଶ୍ରମିକ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଯୁବନେତା ତଥା ଆରତୀ କାରଖାନା ଶ୍ରମିକ କର୍ମଚାରୀ ସଂଘ ନବନିର୍ବାଚିତ ସଭାପତି ଶ୍ରୀ ସ୍ୱାଇଁଙ୍କୁ ସ୍ୱାଗତ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ।

ମୃତ ଶ୍ରମିକ ଙ୍କ ପତ୍ନୀଙ୍କୁ ମିଳିବ ଭତ୍ତା,ପୁଅକୁ ନିଯୁକ୍ତି
ଗୁରୁଡିଝାଟିଆ : ଆରତୀ କାରଖାନାରେ କାର୍ଯ୍ୟରତ ଥିବା ଅବସ୍ଥାରେ ଗୁରୁତର ଅସୁସ୍ଥ ହୋଇ ଚିିକିତ୍ସା ପାଇଁ କଟକ ଯାଉଥିବା ବେଳେ ମୃତ୍ୟୁବରଣ କରିଥିବା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ପ୍ରତାପ କୁମାର ସାହୁ(୫୦) ଙ୍କ ବିଧବା ପତ୍ନୀଙ୍କୁ ମିଳିବ ମାସିକ ପ୍ରାୟ ୩ହଜାର ୫ଶହ ଟଙ୍କା ଲେଖାଏଁ ଭତ୍ତା ସହିତ ପୁଅର ଯୋଗ୍ୟତା ଅନୁଯାୟୀ କାରଖାନାରେ ଦିଆଯିବ ନିଯୁକ୍ତି। ଏହାବାଦ ଇପିଏଫ,ଇଏସଆଇ ବାବଦର ଅର୍ଥକୁ ମଧ୍ୟ ପ୍ରଦାନ କରାଯିବ ବୋଲି କାରଖାନାର ସଭାପତି ଲାଲା ତରୁଣ ପ୍ରକାଶ ନାରାୟଣ “ସମାଜ” କୁ ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ମୃତ ଶ୍ରମିକ ପ୍ରତାପ ର ଅନ୍ତ୍ୟୋଷ୍ଟିକ୍ରିୟା ପାଇଁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି । କାରଖାନାରେ ମୃତ୍ୟୁ ପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ଓ ୫ଲକ୍ଷ ଟଙ୍କା କାରଖାନା କର୍ତ୍ତୃପକ୍ଷ ମାନବିକତା ଦୃଷ୍ଟିରୁ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ। ମୋଟରେ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଗତକାଲି ଶ୍ରମିକ କର୍ମଚାରୀ ସଂଘ,ଆରତୀ କାରଖାନା କର୍ମକର୍ତ୍ତା ଓ ପୋଲିସ ଉପସ୍ଥିତିରେ ନିଷ୍ପତି ହୋଇଛି।

Comments are closed.