ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି ବଘେଲ

ରାୟପୁର : ମୁଖ୍ୟମନ୍ତ୍ରୀ ଭାବରେ ଭୂପେଶ ବଘେଲଙ୍କୁ ନିଯୁକ୍ତ କରିବା ବେଳେ କଂଗ୍ରେସ ଯେଉଁ ଅଢ଼େଇ ବର୍ଷର ସର୍ତ୍ତ ରଖିଥିଲା ତାହା ଏବେ ପୂରଣ ହୋଇଯାଇଛି। ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦରେ ଥିବା ବଘେଲ ଏବେ ସେ ଇସ୍ତଫା ଦେବାର ସମୟ ଆସିଯାଇଛି। ତାଙ୍କ ସ୍ଥାନ ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହ ଦେଓ ନେଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଏହାରି ଭିତରେ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ। ସେ କହିଛନ୍ତି ଯେ, ଯଦି ଦଳର କେନ୍ଦ୍ରୀୟ ନେତୃତ୍ବ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତେବେ ସେ ପ୍ରସ୍ତୁତ ବୋଲି ମିଡିଆ ଆଗରେ କହିଛନ୍ତି।
ଦିଲ୍ଲୀର ୧୦ ଜନପଥରେ ବୈଠକ ପରେ ଏଭଳି ବିବୃତ୍ତି ରଖିଛନ୍ତି। ଯାହାକି ତାଙ୍କ ପଦ ଯିବାର ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଛି। ବଘେଲ କହିଛନ୍ତି ଯେ, ସେ କେବଳ ମୁଖିଆଙ୍କ ନିର୍ଦ୍ଦେଶ କ୍ରମେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଯଦି ଉପରୁ ଆଦେଶ ଆସିବ ଇସ୍ତଫା ଦେବାକୁ ତାହେଲେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।
ତେବେ ୧୦ ଜନପଥରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହିତ ନୁହେଁ ବରଂ ତାଙ୍କ ଝିଅ ତଥା ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି।

Comments are closed.