MEllora 950×100

ଭୂଦାନ କର୍ମୀ ଗଜେନ୍ଦ୍ର ଦାସଙ୍କ ପରଲୋକ

ପଦ୍ମପୁର :  ବରଗଡ଼ ଜିଲାର ଜଣାଶୁଣା ସ୍ୱ।ଧୀନତା ସଂଗ୍ରାମୀ ତଥା ଭୂଦାନ କର୍ମୀ ବିନୋବା ଭାବେଙ୍କ ସହଯୋଗୀ ଗଜେନ୍ଦ୍ର ପ୍ରସାଦ ଦାସ(୯୦)ଙ୍କ ବୁଧବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।
ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ଦାସ ସମ୍ବଲପୁରରେ ସ୍କୁଲ ପାଠପଢ଼ା ସମୟରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ମାତ୍ର ବୟସ ହୋଇନଥିବାରୁ ସେ କେବେ ଜେଲ ଯାଇ ନ ଥିଲେ। ଗାନ୍ଧୀଙ୍କ ଦେହାନ୍ତ ପରେ ଅବିଭକ୍ତ ସମ୍ବଲପୁର ଜିଲାର ଭୂଦାନ ଆନ୍ଦୋଳନର ନେତୃତ୍ବ ନେବା ସହିତ ପଦଯାତ୍ରା କରି ୪୨ ଖଣ୍ଡ ସଂପୂର୍ଣ୍ଣ ଗ୍ରାମଦାନ କରି ବିନୋବା ଭାବେଙ୍କୁ ଦାନପତ୍ର ପ୍ରଦାନ କରିଥିଲେ। ଏହା ସହିତ ସେ ଗାନ୍ଧୀ ଓ ଭୂଦାନ ସଂପର୍କରେ ଅନେକ ବହି ରଚନା କରିଛନ୍ତି। ଗତ ୧୪ ତାରିଖରେ ସେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଆମନ୍ତ୍ରଣ ପାଇ ଭୁବନେଶ୍ୱର ଯାଇଥିଲେ। ସେଠାରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଅସୁସ୍ଥ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ମଧ୍ୟାହ୍ନରେ ସେହି ଡାକ୍ତରଖାନାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କର ପାର୍ଥିବ ଶରୀର ପଦ୍ମପୁର ପହଞ୍ଚିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବିଜେଡିର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ପ୍ରଭାସ ସିଂଙ୍କ ସମେତ ବହୁ ମାନ୍ୟଗନ୍ୟ ତାଙ୍କ ଘରକୁ ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରରେ ତ୍ରିରଙ୍ଗା ପତାକା ଆଚ୍ଛାଦିତ କରାଯାଇଥିଲା। ତାଙ୍କର ବିୟୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ବିମ୍ବାଧର କୁଅଁର, ପ୍ରଦୀପ ପୁରୋହିତ, ରାଷ୍ଟ୍ରୀୟ ସ୍ୱୟଂସେବକର ବିପିନ ବିହାରୀ ନନ୍ଦ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ପଛରେ ପୁଅ ପ୍ରଦୀପ, ଡାକ୍ତର ସୁଦୀପ୍ତ, ଉଦୀପ୍ତ, ଝିଅ ଅଞ୍ଚଳୀ, ଅର୍ଚ୍ଚନା, ଅଞ୍ଜନା, ସସ୍ମିତା ସମେତ ଜ୍ୱାଇଁ ନାତିନାତୁଣୀଙ୍କୁ ଛାଡି ଚାଲିଯାଇଛନ୍ତି। ଗତ ଏକମାସ ପୂର୍ବରୁ ତାଙ୍କର ସ୍ତ୍ରୀ ସରୋଜିନୀ ଇହଲୀଳା ସମ୍ବରଣ କରିଥିଲେ।

Comments are closed.