ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକାର୍ପଣ ହେଲା ଅହିଂସା ସ୍ଥଳ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ସତ୍ୟ ଓ ଅହିଂସାର ପୂଜାରୀ ଭାବେ ପରିଚିତ ଥିଲେ। ଅହିଂସାର ଅନ୍ୟ ନାମ ଭଲ ପାଇବା। ଓଡ଼ିଶା ହେଉଛି ସଂଗ୍ରାମ ଭୂମି ଏହାର କାର୍ୟ୍ୟକ୍ରମ, ସଂସ୍କୃତି, ଭାଷା ଓ କୀର୍ତ୍ତିରାଜି ସାରା ବିଶ୍ୱକୁ ଆନ୍ଦୋଳିତ କରିଛି। ଓଡ଼ିଶା କେବଳ ଭାରତ ନୁହେଁ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି। ଭଗବାନ ରାମ, କୃଷ୍ଣ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମଧୁସୁଦନ ଦାସ, ବକ୍ସି ଜଗବନ୍ଧୁ ଦାସ ସାଧାରଣ ଲୋକଙ୍କୁ ନେଇ ଜନ ଆନ୍ଦୋଳନ କରୁଥିଲେ। ମହାତ୍ମ ଗାନ୍ଧୀ ମଧ୍ୟ ସବୁବର୍ଗର ଲୋକ ଏପରିକି ୮୦ ବର୍ଷିୟ ବୃଦ୍ଧଙ୍କୁ ଜନ ଆନ୍ଦୋଳନରେ ସାମିଲ କରିପାରୁଥିଲେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ମତବ୍ୟକ୍ତ କରିଛନ୍ତି।
ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ ଯେ, ଗୌତମ ବୁଦ୍ଧ ଓ ଗାନ୍ଧୀଜ ନିଜର ସୁଯୋଗ୍ୟ ଓ ବିଶ୍ୱସ୍ତ ଶିଷ୍ୟ ଓଡ଼ିଶାରୁ ପାଇପାରିଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ଆଲୋକପାତ କରିଥିଲେ। ଏହି ଅବସରରେ ଗାନ୍ଧୀଜଙ୍କର ବଡ ପ୍ରତିମୂର୍ତ୍ତି, ଅହିଂସା ସ୍ଥଳ ଓ ମହାତ୍ମା ଗାନ୍ଧୀ ସ୍ମାରକୀ ଉଦ୍ୟାନକୁ କୁଳାଧିପତି ଲୋକାର୍ପଣ କରିଥିଲେ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଥିଲେ ଯେ ଅହିଂସା ସ୍ଥଳ ବିଦ୍ୟାର୍ଥୀ ଓ କର୍ମଚାରୀଙ୍କ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ରାମାୟଣର ଅହଲ୍ୟା କିଭଳି ସମାଜର ଅତ୍ୟଚାରର ଶୀକାର ହୋଇଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ନୀରବତା ହେଉଛି ସମାଜରେ ସବୁଠୁ ବଡ ଅସ୍ତ୍ର। ଗାନ୍ଧୀଜିଙ୍କ ଅନ୍ୟ ପ୍ରତି ଦାୟିତ୍ୱବୃଦ୍ଧ, ସର୍ବୋଦୟ,ସତ୍ୟାଗ୍ରହ, ସ୍ୱରାଜ ଆଦି ବିଚାରଧାର ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ମଧୁସୂଦନ ପାଢୀ ଯୋଗଦେଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ୟ୍ୟ ସ୍ୱାଗତଭାଷଣ ଦେବା ସହ କାର୍ୟ୍ୟକ୍ରମର ଆଭିମୂଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କୁଳସଚିବ ଦୟାଦିଧୀ ନାୟକ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ସକାଳୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ନେଇ କ୍ୟାମ୍ପସ୍‍ ସଫେଇ ଓ ପ୍ରଭାତ ଫେରି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ୟାମ୍ପସ୍‍ ପରିସରରେ ଫିଟ୍‍ ଇଣ୍ଡିଆ କାର୍ୟ୍ୟକ୍ରମ ଅବସରରେ ଗଣଦୈଡ଼ ଆୟୋଜନ ହୋଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମ୍‍ଫିଲ୍‍ ଓ ପିଏଚ୍‍ଡି ବିଦ୍ୟାର୍ଥୀଙ୍କ ପାଇଁ ନୂତନ ପାଠ୍ୟକ୍ରମ ‘ପ୍ରୋଗ୍ରାମ ଫର ପିସ୍‍ ଷ୍ଟଡିଜ’ର ବ୍ରାଉଚରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆଗାମୀ ଦିନରେ ଏହି ବିଷୟରେ ଛାତ୍ରଛାତ୍ରୀ ଗବେଷଣା କରିପାରିବେ। ଅପରାହ୍ନରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଏକ ଅନ୍ତର୍ଜାତିୟ ଆଲୋଚନାଚକ୍ର ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.